ଆବାସ ଯୋଜନାରେ ଲୋଗୋ କେଁ’

ପ୍ରଧାନମନ୍ତ୍ରୀ ଆବାସରେ ଲାଗି ପାରିବନି ବିଜୁ ଲୋଗୋ: ବିରୋଧୀଦଳ ନେତା

-ଗୃହ ଭିତରେ ଓ ବାହାରେ ବିଜେପି ଗର୍ଜିଲା,- ସରକାରଙ୍କ ୫୦ ଭାଗ ରହିଛି : ବିଜେଡି

ଭୁବେନଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ଲୋଗୋକୁ ନେଇ ଆଜି ଗୃହ ଭିତରେ ଓ ବାହାରେ ବିଜେପି ତମ୍ବିତୋଫାନ କରିଛି। ଶାସକଦଳ ସଭ୍ୟ ଏହାର ପ୍ରବଳ ବିରୋଧ କରିଥିବାବେଳେ କଂଗ୍ରେସ ମଧ୍ୟ ଦୁଇଜଣଙ୍କ କଳିରେ ତୃତୀୟ ଲାଭ ସଦୃଶ ନିଜର ଦାବି ରଖିଛି। ଏନେଇ ଗୃହରେ ବିଜେପି ଆଜି ସରକାରଙ୍କୁ ଆକ୍ରମଣ କରି ବାଚସ୍ପତିଙ୍କଠାରୁ ରୁଲିଂ ଦାବି କରିଥିଲା। ପ୍ରଥମେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏନେଇ ରାଜ୍ୟ ସରକାର ଦୃ‌ଷ୍ଟି ଦେବାକୁ ନିର୍ଦେଶ ଦେଇଥିଲେ। ହେଲେ ବିଜେପି ଏଥିରେ ସନ୍ତୁଷ୍ଟ ନ ହୋଇ ସରକାରଙ୍କ ବିବୃତି ଦାବି କରିଥିଲା। ପରେ ସର୍ବଦଳୀୟ ବୈଠକର ନିଷ୍ପତ୍ତିକ୍ରମେ ଅପରାହ୍ନରେ ବାଚସ୍ପତି ଶ୍ରୀ ପାତ୍ର ପୁନର୍ବାର ଏନେଇ ସରକାରଙ୍କୁ ଦୃଷ୍ଟିି ଦେବାକୁ ନିର୍ଦେଶ ଦେଇଥିଲେ। ବିଜେପି କ୍ଷାନ୍ତ ହୋଇଥିଲା ଏବଂ ବ୍ୟୟ ମଞ୍ଜୁରୀ ବିଲରେ ଅଂଶ ଗ୍ରହଣ କରିଥିଲା।
ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ଫଳକ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ମନ୍ତ୍ରାଳୟର ସଚିବ ନଗେନ୍ଦ୍ର ନାଥ ସିହ୍ନା ପକ୍ଷରୁ ରାଜ୍ୟ ମୁଖ୍ୟସଚିବଙ୍କୁ ଦିଆଯାଇଥିବା ପତ୍ର ଦେଖାଇ କହିଥିଲେ ଯେ ଏଥିରେ ବିଜୁ ଲୋଗୋ ଲଗାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ଏହାକୁ ସରକାର ଗ୍ରହଣ କରିବା ପରିବର୍ତ୍ତେ କଳାହାଣ୍ଡିରେ ଆବାସ ଯୋଜନାରେ ବିଜୁ ଫଳକ ଲଗାଇବା ପାଇଁ ୧୨କୋଟି ଟଙ୍କାର ଫଳକ ବରାଦ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ମିଳିଥିବା ଘରେ ପ୍ରଧାନମନ୍ତ୍ରୀ ଓ ବିଜୁ ଲୋଗୋ ଷ୍ଟିକର୍‌ ଲଗାଯିବା ନେଇ ପ୍ରଥମେ ବିଜେପି ବିରୋଧ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଡ଼ିସେମ୍ବର ମାସରେ ରାଜ୍ୟର ବିଭିନ୍ନ ବ୍ଲକ ସମ୍ମୁଖରେ ଓ ସର୍ବସାଧାରଣରେ ମୁଖ୍ୟମନ୍ତ୍ରୀଙ୍କ ତଞ୍ଚକତାପୂର୍ଣ୍ଣ ଚିଠି ଏବଂ ବିଜୁ ପକ୍କାଘର ଷ୍ଟିକରକୁ ବିଜେପିର କାର୍ଯ୍ୟକର୍ତ୍ତାମାନେ ଚିରିବା ସହ ପୋଡ଼ିଥିଲେ। ପରେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ହସ୍ତକ୍ଷେପ ଲୋଡିଥିଲେ। କେନ୍ଦ୍ର ସଚିବ ଶ୍ରୀ ସିହ୍ନା ଯେଉଁ ପତ୍ର ଦେଇଛନ୍ତି ତାକୁ ଆଧାର କରି ରାଜ୍ୟ ସରକାର ଫଳକ ରାଜନୀତିରୁ କ୍ଷାନ୍ତ ରହିବା ସହ ରାଜ୍ୟବାସୀଙ୍କ ଟଙ୍କାକୁ ଅଯଥା ଶ୍ରାଦ୍ଧ ନକରିବାକୁ ଶ୍ରୀ ନାଏକ ଦାବି କରିଥିଲେ। ଶାସକଦଳ ସଭ୍ୟ ଅମର ପ୍ରସାଦ ଶତପଥୀ ଓ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ଅଂଶଧନ ଅଛି। ବିଜୁ ପକ୍କା ଘର ଲାଗି ତିନି ବର୍ଷରେ ରାଜ୍ୟରେ ଆବାସ ଯୋଜନା ବାବଦକୁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେଥିରୁ ପ୍ରୋତ୍ସାହନ ରାଶି ସହ ପ୍ରଶାସନିକ ଖର୍ଚ୍ଚ ମିଶାଇ ରାଜ୍ୟ ସରକାର ୬ ହଜାର କୋଟି ଖର୍ଚ୍ଚ କରିଛନ୍ତି। ତେଣୁ ଫଳକରେ ବିଜୁ ବାବୁଙ୍କ ନାମ କାହିଁକି ନ ରହିବ ବୋଲି ସେ ପ୍ରଶ୍ନ କରିଥିଲେ।
ଅନ୍ୟପକ୍ଷରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ଗୃହରେ ହୋହଲ୍ଲା କରିଥିବାବେଳେ ବାହାରେ କହିଥିଲେ ଯେ ଇନ୍ଦିରା ଆବାସ ଯୋଜନାକୁ ପରିବର୍ତ୍ତନ କରି ବିଜେପି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଲେ। କଂଗ୍ରେସ ଆବାସ ଯୋଜନା ଆରମ୍ଭ କରିଥିଲେ ସୁଦ୍ଧା କେବେ ଏହାକୁ ନେଇ କଂଗ୍ରେସ କରିଛି ବୋଲି କହିନି କି ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ଫଟୋ ଲଗେଇ ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘରକୁ ମିଶାଇ ବିଜୁବାବୁଙ୍କ ଫଟୋ ଓ ନରେନ୍ଦ୍ର ମୋଦୀଙ୍କ ଫଟୋ ମରାଯାଉଛି। ଏହା କେବଳ ରାଜନୀତିକରଣ ବୋଲି ସେ କହିଥିଲେ।

Comments are closed.