ପ୍ରଧାନମନ୍ତ୍ରୀଙ୍କ ଆଣ୍ଡାମାନ ଓ ନିକୋବାର ଦ୍ଵୀପ ଗସ୍ତ ; ବିକାଶ ମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ

0

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଯୁବକମାନଙ୍କୁ ନିଯୁକ୍ତି, ପିଲାମାନଙ୍କୁ ଶିକ୍ଷା, ବୟସ୍କମାନଙ୍କୁ ଚିକିତ୍ସା ସେବା ଓ କୃଷକମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ରବିବାର କାର୍‍ ନିକୋବର୍‍ ସ୍ଥିତ ବିଶପ୍‍ ଜନ୍‍ ରିଚାର୍ଡସନ୍‍ ଷ୍ଟାଡିୟମ​​‌ରେ ଏକ ଜନସମାବେଶରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆଣ୍ଡାମାନ୍‍ ଏବଂ ନିକୋବର ଦ୍ୱୀପର ଲୋକମାନଙ୍କର ଜୀବନକୁ ସହଜ ଏବଂ ସରଳ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। କାର୍‍ ନିକୋବର ଗସ୍ତ ଅବସରରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ସୁନାମୀ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସୁନାମୀ ସ୍ମାରକୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ଆରୋଙ୍ଗଠାରେ ଏକ ଆଇଟିଆଇ ଉଦ୍‍ଘାଟନ କରିବା ସହିତ ଆଦିବାସୀ ପରିଷଦର ସଭ୍ୟମାନଙ୍କ ସହ ଆଲୋଚନା କରିଥିଲେ ।

ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ପୋର୍ଟ ବ୍ଲେୟର୍‍ର ସେଲୁଲାର୍‍ ଜେଲ୍‍ ଗସ୍ତ କରି ଶହୀଦ୍‍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୯୪୩ ମସିହା ଡିସେମ୍ବର ୩୦ତାରିଖରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଦ୍ୱାରା ପୋର୍ଟ ବ୍ଲେୟରରେ ପ୍ରଥମ ଭାରତୀୟ ତ୍ରୀରଙ୍ଗା ପତାକା ଉତ୍ତୋଳନ କରିବାର ଐତିହାସିକ ସ୍ମୃତି ଅବସରରେ ଶ୍ରୀ ମୋଦୀ ସାଉଥ୍‍ ପଏଣ୍ଟରେ ୧୫୦ ଫୁଟ୍‍ ଉଚ୍ଚରେ ଉତ୍ତୋଳନ ହୋଇଥିବା ଜାତୀୟ ପତାକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଭାରତ ମାଟିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ଵାରା ତ୍ରିରଙ୍ଗା ପତାକା ଉତ୍ତୋଳନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ଵତନ୍ତ୍ର ଡାକଟିକଟ, ମୁଦ୍ରା ଓ କଭର ଉନ୍ମୋଚନ କରିଛନ୍ତି। ସେହିପରି ଆଣ୍ଡାମାନ ଓ ନିକୋବାର ଦ୍ଵୀପ ସମୂହ ପାଇଁ ପ୍ରଧାନମନ୍ତ୍ରୀ ନବସୃଜନ ଓ ଷ୍ଟାର୍ଟ ଆପ ନୀତିକୁ ଉନ୍ମୋଚନ କରିଛନ୍ତି। ୭ ମେଗାୱାଟ କ୍ଷମତାର ଏକ ସୌର ପ୍ଳାଣ୍ଟ ଏବଂ ସୌର ଗ୍ରାମକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ଗସ୍ତ ଅବସରରେ ଆଣ୍ଡାମାନ ନିକୋବର ଦ୍ୱୀପରେ ପ୍ରଧାନମନ୍ତ୍ରୀ ଅନେଗୁଡ଼ିଏ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି।

Leave A Reply