ନୂଆ ରୂପରେ ଆସିବ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ; ୧୮ ତାରିଖ ପୂର୍ବରୁ ମିଳିବ ସୂଚନା

ନୂଆଦିଲ୍ଲୀ: କରୋନା ସଙ୍କଟର ମୁକାବିଲା କରିବା ନିମନ୍ତେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି ।

ନୂଆ ରୂପରେ ଆସିବ ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟ

ଅନ୍ୟପକ୍ଷରେ ଦେଶରେ ଲକ୍ ଡ଼ାଉନ ୪ର୍ଥ ପର୍ଯ୍ୟାୟ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ନିର୍ଦିଷ୍ଟ ଭାବରେ ସେ ଏ ପ୍ରସଙ୍ଗ ଉଲ୍ଲେଖ ନ କରିଥିଲେ ହେଁ ବିଭିନ୍ନ ରାଜ୍ୟର ପରାମର୍ଶ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ନୂଆ ରୂପରେ ଏହି ଲକ୍ଡ଼ାଉନ କାର୍ଯ୍ୟକାରୀ କରାଯିବ ଓ  ଆସନ୍ତା ୧୮ ତାରିଖ ପୂର୍ବରୁ ଏ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ  କରୋନା ସଂକ୍ରମଣର ମୁକାବିଲା ପାଇଁ ବିଶ୍ୱ ୪ ମାସରୁ ଅଧିକ ସମୟ ନେଲାଣି । ଏହି ସମୟରେ ବିଶ୍ବର ୪୨ ଲକ୍ଷରୁ ଅଧିକ ଲୋକ  ସଂକ୍ରମିତ ହୋଇଛନ୍ତି । ୩ ଲକ୍ଷ ଲୋକ ମୃତ୍ୟୁବରଣ କଲେଣି ।  କେବଳ ଗୋଟିଏ ଭୂତାଣୁ  ବିଶ୍ୱରେ ଆତଙ୍କ ସୃଷ୍ଟି କରିଦେଇଛି ।  ଏହା ମାନବ ଜାତି ପାଇଁ ଅକଳ୍ପନୀୟ;  କିନ୍ତୁ ଥକିବା, ହାରିବା, ଭାଙ୍ଗିବା ମଣିଷ ଶିଖି ନାହିଁ।  ସତର୍କ ରହି ଏହି ଯୁଦ୍ଧର ସମସ୍ତ ନିୟମ ପାଳନ କରି ଆମକୁ ଆଗକୁ ବଢିବାକୁ ହେବ । ଏହି ସମୟରେ ନିଜ ସଂକଳ୍ପ ଆହୁରି ମଜବୁତ କରିବାକୁ ହେବ । ଚଳିତ ଏକବିଂଶ ଶତାବ୍ଦୀ ଭାରତର ହେବ ବୋଲି କୁହାଯାଉଛି । କରୋନା ସଙ୍କଟ ପରେ ମଧ୍ୟ ବିଶ୍ୱରେ ଯେଉଁ ସ୍ଥିତି ଉପୁଜିବ ତାକୁ ବି ଭାରତ ଦେଖୁଛି । ଏକବିଂଶ ଶତାବ୍ଦୀକୁ ଭାରତ ନିଜ ନାମରେ କରାଇବ ଏହା କେବଳ ସ୍ବପ୍ନ ନୁହେଁ ଏକ ଦାୟିତ୍ବ ମଧ୍ୟ ।   ଆଜିର ସ୍ଥିତି ଆମକୁ ଅନେକ କିଛି ଶିକ୍ଷା ଦେଇଛି । କରୋନା ଭାରତକୁ ଆତ୍ମନିର୍ଭରଶୀଳ ହେବା ଶିଖାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

 

Comments are closed.