ଜୁନ୍ ପହିଲାରୁ ଯୁକ୍ତ ଦୁଇ ଖାତା ଦେଖା

ମେ ୩୦ ସୁଦ୍ଧା କ୍ବରେଣ୍ଟାଇନ ସେଣ୍ଟର କରାଯାଇଥିବା ଖାତାଦେଖା କେନ୍ଦ୍ର ସାନିଟାଇଜ କରିବାକୁ ଜିଲ୍ଲାପାଳମାନଙ୍କୁ କହିଲା +୨ କାଉନ୍ସିଲ୍

ଭୁବନେଶ୍ଵର : ଜୁନ୍ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଉତ୍ତରଖାତା ମୂଲ୍ୟାୟନ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ବିଧିବଦ୍ଧ ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଖାତା ଦେଖାନେଇ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା କେତେକ ମୂଲ୍ୟାୟନ କେନ୍ଦ୍ରକୁ କରୋନା ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇଥିବାରୁ ତାହାକୁ ତୁରନ୍ତ ଖାଲି କରିବା ସହ ବିଶୋଧନ କରିବାକୁ ସମସ୍ତ ଜିଲ୍ଲାପାଳମାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜୁନ ୧ରୁ ଖାତା ଦେଖା ଆରମ୍ଭ ହେବାକୁ ଥିବାରୁ ମେ ୩୦ ସୁଦ୍ଧା ଯେଉଁ ଖାତାଦେଖା କେନ୍ଦ୍ର କ୍ବାରେଣ୍ଟାଇନ ସେଣ୍ଟର ହୋଇଛି ତାହାକୁ ଖାଲି କରି ସାନିଟାଇଜ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସିଏଚଏଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ।

ସିଏଚଏଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ  କହିଛନ୍ତି ରାଜ୍ୟ ସରକାର ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ପାଇଁ ରାଜ୍ୟରେ ମୂଳ୍ୟାୟନ କେନ୍ଦ୍ରଥିବା କଲେଜକୁ କ୍ବାରେଣ୍ଟାଇନ ସେଣ୍ଟର ଓ ଅସ୍ଥାୟୀ କୋଭିଡ ମେଡିକାଲ କେନ୍ଦ୍ର କରିଛନ୍ତି । କିନ୍ତୁ ଏହାରି ମଧ୍ୟରେ ରାଜ୍ୟର ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ହୋଇନପାରିବା କାରଣରୁ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହୋଇଛି । ଯାହା ଫଳରେ ଛାତ୍ରଛାତ୍ରୀ ବହୁ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ ପହିଲାରୁ ଖାତା ଦେଖା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି ।

Comments are closed.