ପରୀକ୍ଷା କେନ୍ଦ୍ର ଚୟନରେ ଫିକ୍ସିଂ ପ୍ରସଙ୍ଗ: ୨୦ ଟି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଚୟନରେ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଥିଲା। ଏହା ଜଣାପଡିବା ପରେ ସାରା ରାଜ୍ୟରେ ଅଭିଭାବକ ଏବଂ ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାପରେ ରବିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପରିଚାଳନା କମିଟିର ଜରୁରୀ କାଳୀନ ବୈଠକ ଡକାଯାଇଥିଲା। ଏହି ବୈଠକରେ ନିଷ୍ପତି ଅନୁସାରେ ପୂର୍ବରୁ ଚୟନ କରାଯାଇଥିବା ୧୧୪୨ କେନ୍ଦ୍ର ମଧ୍ୟରୁ ୨୦ ଟି କେନ୍ଦ୍ର ପରିବର୍ତ୍ତନ ହେବ। ଏହାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଖୁବ୍ ଶୀଘ୍ର ପରିବର୍ତ୍ତିତ ପରୀକ୍ଷା କେନ୍ଦ୍ରର ବିଜ୍ଞପ୍ତି ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ପରୀକ୍ଷା କେନ୍ଦ୍ର ଫିକ୍ସିଂ ନେଇ ଅଭିଯୋଗ ହୋଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷାପାରିଷଦର କିଛି ଅସାଧୁ କର୍ମଚାରୀ ଟଙ୍କା ଖାଇ ପରୀକ୍ଷା କେନ୍ଦ୍ର ବଦଳାଇ ଦେଇଥିବା ନେଇ କମିଟି ସଭ୍ୟ ସନ୍ତୋଷ ସିଂ ସାଲୁଜା ଓ କିଶୋର ମହାନ୍ତିଙ୍କ ଅଭିଯୋଗ କରିଥିଲେ । କମିଟି ପୂର୍ବରୁ ଦେଇଥିବା ପରୀକ୍ଷା କେନ୍ଦ୍ର ତାଲିକା ବଦଳାଇ ଆଉ ଏକ ନୂତନ ତାଲିକା ପ୍ରକାଶ କରିଥିଲା ବୋଲି କମିଟି ସଭ୍ୟ ମାନେ ଅଭିଯୋଗ କରିଥିଲେ । କମିଟି ସଭ୍ୟଙ୍କ ଅଭିଯୋଗ ଅନୁଯାୟୀ ପୂର୍ବ ବର୍ଷ ପରୀକ୍ଷାରେ ଯେଉଁ ପରୀକ୍ଷା ସେଣ୍ଟର ମାନଙ୍କରେ କପି ଧରାଯାଇଥିଲା କିମ୍ୱା କପି ହେଉଥିବା ନେଇ ପରୀକ୍ଷା କେନ୍ଦ୍ରକୁ ସ୍କ୍ରାଚ କରାଯାଇଥିଲା ସେହି ପରୀକ୍ଷା କେନ୍ଦ୍ରକୁ ଚଳିତ ବର୍ଷ ସେଣ୍ଟର କରିବା ତାଲିକାରୁ ବାଦ ଦେବା ପାଇଁ କମିଟି ପ୍ରସ୍ତାବ ଦେଇଥିଲା । ହେଲେ କମିଟି ପ୍ରସ୍ତାବକୁ ବେଖାତିର କରିବା ସହ ତାହାକୁ ବଦଳାଇ ଉଚ୍ଚ ମଧ୍ୟାମିକ ଶିକ୍ଷା ପରିଷଦ ଅଲଗା ତାଲିକା ପ୍ରସ୍ତୁତ କରିଥିଲା।

ଏହି ପ୍ରସଙ୍ଗରେ ଓଡ଼ିଶା ଅଭିଭାବକ ମହାସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ଵାରସ୍ଥ ହୋଇ ନିରପେକ୍ଷ ତଦନ୍ତ ଦାବି କରିଛି। ଯାହାକୁ ଗ୍ରହଣ କରି କମିସନଙ୍କ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ରିପୋର୍ଟ ତଲବ କରାଯାଇଛି।

Comments are closed.