ମୁଁ ବୁଧୁରାମ ମୁଣ୍ଡା କହୁଛି…

ଯୋଡା: ପ୍ରଶାସନିକ ସୁବିଧା ଦୃଷ୍ଟିରୁ ୧୯୯୯ ମସିହାରେ ଗୁଆଲି ପଞ୍ଚାୟତରୁ ପୃଥକ କରାଯାଇ ଆମକୁ ବଲାଣୀ ପଞ୍ଚାୟତରେ ସାମିଲ କରାଗଲା। ୨୦୧୪ ଡିସେମ୍ବରରେ ଗ୍ରାମ ଉପକଣ୍ଠରେ ୨୫ ମହିଳାଙ୍କ ସମେତ ୬୦ ମାଓବାଦୀଙ୍କ ପଦଧ୍ୱନୀ ପ୍ରତିଧ୍ୱନିତ ହେବା ପରେ ଲୋକାଲୋଚନ ଠାରୁ ଅନେକ ଦୂରରେ ତିନୋଟି ସଂରକ୍ଷିତ ଜଙ୍ଗଲ ଇଲାକା ମଧ୍ୟରେ ଆବଦ୍ଧ କୋହ୍ଲ-ପଣ୍ଡୁଳି ଗ୍ରାମ ଜିଲା ପ୍ରଶାସନର ନଜରକୁ ଆସିଲା। ଦୈନିକ ସମାଜ ଖବର କାଗଜ ସହ ଅନ୍ୟାନ୍ୟ ଖବର କାଗଜରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ମାଓ ପ୍ରଭାବିତ ଓ ହାତୀ ଉପଦ୍ରୁତ ଅଞ୍ଚଳ ରୂପେ ପରିଚିତ ଉତ୍କଟ ଜଳକ୍ଳିଷ୍ଟ ସମସ୍ୟା ସମେତ ସ୍ଥାୟୀ ଯୋଗାଯୋଗ ଓ ବିଦ୍ୟୁତ୍‍ ଆଲୋକରୁ ବଞ୍ଚିତ ରାଜ୍ୟର ଅନ୍ତିମ ସୀମାରେ ଅବସ୍ଥିତ କୋହ୍ଲ-ପଣ୍ଡୁଳି ଗ୍ରାମରେ ଏଥି ମଧ୍ୟରେ ପାନୀୟ ଜଳ ଓ ବିଦ୍ୟୁତ୍‍ ଆଲୋକ ସମସ୍ୟା ଅନେକାଂଶରେ ପ୍ରଶମିତ ହୋଇଛି।

ରାଜନୈତିକ ଚାପରେ କେନ୍ଦୁଝର ଜିଲାର ମାଓ ପ୍ରଭାବିତ ବ୍ଲକ ପରିବର୍ତ୍ତେ ଅଣମାଓ ପ୍ରଭାବିତ ଜିଲା ସମୂହରେ କେନ୍ଦ୍ରୀୟ ଅନୁଦିତ ଆଇଏପି ଅର୍ଥର ଦୁରୁପଯୋଗ ସମ୍ପର୍କରେ ମୁଖ୍ୟତଃ ସମାଜ ଖବର କାଗଜରେ ପ୍ରକାଶିତ ହେବାପରେ ୨୦୧୫ ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହରେ ଜିଲା ପ୍ରଶାସନ ଅତି ତରବରିଆ ଢଙ୍ଗରେ ଯୋଡା ବ୍ଲକ ଅନ୍ତର୍ଗତ ବଡକାଳିମାଟି ପଞ୍ଚାୟତର ପୀଢପୋଖରୀ,ବାଲାଗୁଡା ପଞ୍ଚାୟତର ଉଲ୍ଲିବୁରୁ, ଚମକପୁର ପଞ୍ଚାୟତର ଗୁଗୁଦରି ସମେତ କୋହ୍ଲ-ପଣ୍ଡୁଳିକୁ ଆଦର୍ଶ ଗ୍ରାମ ରୂପେ ଘୋଷଣା କରିଥିଲେ। ଏପରିକି ଆଇଏପି ଅନୁଦାନ ଅର୍ଥର ୫୦ ଲକ୍ଷ ଟଙ୍କା ବିନିଯୋଗରେ ଗୁଆଲି ପଞ୍ଚାୟତର କେନ୍ଦୁଢି ଗ୍ରାମରୁ ଭାୟା କୋହ୍ଲ-ପଣ୍ଡୁଳି ଗ୍ରାମ ଦେଇ ହରମଠ ଗ୍ରାମକୁ ଏକ ସଂଯୋଗ ରାସ୍ତା ନିର୍ମାଣ ନିମନ୍ତେ ତତ୍‍କାଳୀନ ଜିଲାପାଳ ବିଷ୍ଣୁ ପ୍ରସାଦ ସାହୁ ଘୋଷଣା କରିଥିଲେ।

ଏହି ପରିପ୍ରେକ୍ଷୀରେ ଆରଡି ବିଭାଗ ଦ୍ୱାରା ମାପଚୁପ ସମ୍ପନ୍ନ କରାଯାଇ ଜିଲା ଯୋଜନା କାର୍ଯ୍ୟାଳୟରୁ ସମ୍ପୃକ୍ତ ପ୍ରକଳ୍ପ ସମ୍ବନ୍ଧୀୟ ଆବଶ୍ୟକ ଅନୁମୋଦନ ପ୍ରାପ୍ତ ହୋଇଥିଲେ ମଧ୍ୟ ଅଦ୍ୟାବିଧି ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିବା ଘଟଣା ଗ୍ରାମବାସୀଙ୍କୁ ବ୍ୟଥିତ କରିଛି। ଆଦର୍ଶ ଗ୍ରାମ ଘୋଷଣାକୁ ଚାରି ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ୫୦ଟି ପରିବାର ବସବାସ କରୁଥିବା ୪୧୭ ଜନସଂଖ୍ୟା ବିଶିଷ୍ଟ କୋହ୍ଲ-ପଣ୍ଡୁଳି, ୬୨୨ ଜନସଂଖ୍ୟା ବିଶିଷ୍ଟ ପୀଢପୋଖରୀ ତଥା ୬୨ ପରିବାର ବସବାସ କରୁଥିବା ଗୁଗୁଦରି ଓ ୧୪୮ ପରିବାର ବସବାସ କରୁଥିବା ଉଲ୍ଲିବୁରୁ ଗ୍ରାମବାସୀ ଆର୍ଥିକ, ସାମାଜିକ ଓ ବ୍ୟବସ୍ଥାଗତ ମାନଚିତ୍ରରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ। ତେବେ ଘୋଷିତ ଏହି ଚାରୋଟି ଆଦର୍ଶ ଗ୍ରାମ ମଧ୍ୟରୁ ରାଜ୍ୟର ଅନ୍ତିମ ସୀମାରେ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ କୋହ୍ଲ-ପଣ୍ଡୁଳି ଗ୍ରାମ ଅଧିବାସୀଙ୍କ ଦୁର୍ଗତି ସର୍ବାଧିକ। ଉତ୍ତର ଓ ଦକ୍ଷୀଣ ଦିଗରେ କାରୋ ସଂରକ୍ଷିତ ଜଙ୍ଗଲ, ପଶ୍ଚିମରେ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଓ ପୂର୍ବରେ ଲେକଡାଘାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆବଦ୍ଧ ଏହି ସୀମାନ୍ତ ଗ୍ରାମରୁ ପଞ୍ଚାୟତ ମୁଖ୍ୟାଳୟ ଦୂରତା ୧୭ କିମି ଓ ପଞ୍ଚାୟତ ସମିତି ମୁଖ୍ୟାଳୟ ଦୂରତା ୩୫ କିମି ହୋଇଥିବା ସମୟରେ ଜିଲା ସଦର ମହକୁମା ଦୂରତା ୧୦୮ କିମିରୁ ଅଧିକ। ସଂଯୋଜିତ ଅସ୍ଥାୟୀ ରାସ୍ତା ସହ ଯାନବାହାନର ବ୍ୟବସ୍ଥା ଉପଲବ୍ଧ ନଥିବାରୁ ଗ୍ରାମରୁ ପ୍ରାୟ ୪ କିମି ହାତୀ ପାଦଚଲା ରାସ୍ତା ଅତିକ୍ରମ କରି ଏହି ଅସହାୟ ଗ୍ରାମବାସୀଙ୍କୁ କିରିବୁରୁ-ବଲାଣୀ ମୁଖ୍ୟ ରାସ୍ତାରେ ପହଞ୍ଚି ବସ୍‍ ଧରିବାକୁ ପଡେ।

ଏପରିକି ଜାତୀୟ ନିଶ୍ଚିତ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଗହମ,ଚାଉଳ ଓ କିରାସିନି ନିମନ୍ତେ ସମ୍ପୃକ୍ତ ଗ୍ରାମବାସୀଙ୍କୁ ନିଜ ପୈତୃକ ପ୍ରାଣକୁ ବାଜି ଲଗାଇ ହାତୀ କରିର୍ଡର-୨ ରାସ୍ତାକୁ ଅତିକ୍ରମ କରିବାକୁ ହୁଏ। ଏଭଳି ସଙ୍କଟାପନ୍ନ ସ୍ଥିତିରେ ଗ୍ରାମରେ ୧୯୯୯ ମସିହାରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ପରେ ପିଲାମାନଙ୍କର ପାଠ ପଢାରେ ଡୋରି ମଧ୍ୟ ବନ୍ଧାଯାଏ ବୋଲି ବୁଧୁରାମ ମୁଣ୍ଡା ପ୍ରକାଶ କରିଛନ୍ତି। ତେଣୁ କୋହ୍ଲ-ପଣ୍ଡୁଳି ଗ୍ରାମରେ ଗଣ୍ଡାଏରୁ ଅଧିକ ମାଟ୍ର୍ୟୁକୁଲେଟ୍‍ ନଥିବା ଆକଳନରୁ ଜଣାପଡିଛି। ଖରିଫ ଋତୁରେ ଚାଷ ହେଉଥିବା ଧାନ,ମାଣ୍ଡିଆ,ଗଙ୍ଗେଇ ଫସଲ ହାତୀମାନଙ୍କ ପେଟକୁ ଯାଉଥିବା ବେଳେ ଗ୍ରାମ ସନ୍ନିକଟରେ ପ୍ରବାହୀତ ଏକମାତ୍ର ଋତୁକାଳୀନ ଟିମ୍‍ଲେଇ ନାଳ ଡିସେମ୍ବର ମାସ ସୁଦ୍ଧା ସୁଖି ଯାଉଥିବାରୁ ଏହାର ଜଳକୁ ଉପଯୋଗ କରି ରବି ଚାଷ ବା ପନିପରିବା ଚାଷ ଗ୍ରାମବାସୀଙ୍କ ନିମନ୍ତେ କଷ୍ଟସାଧ୍ୟ ହୋଇପଡିଛି।

ଗ୍ରାମ ଚର୍ତୁପାର୍ଶ୍ବସ୍ଥିତ ସଂରକ୍ଷିତ ଜଙ୍ଗଲରୁ ଲଘୁ ବନଯାତ ଦ୍ରବ୍ୟ ସମେତ ଜଙ୍ଗଲ ଯାତ ଦ୍ରବ୍ୟ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବାରୁ ଏହାର ବିନିଯୋଗ ମାଧ୍ୟମରେ କ୍ଷୁଦ୍ର ବା ଅଣୁ ବା କୁଟୀର ମୂଲ୍ୟଯୁକ୍ତ କର ଖାଦ୍ୟ ପ୍ରକ୍ରିୟା କରଣ ବା ଔଷଧୀୟ ତେଲ ଶିଳ୍ପ କାର୍ଯ୍ୟକାରୀ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉନଥିବାରୁ ଗ୍ରାମବାସୀଙ୍କ ଆର୍ଥିକ ସ୍ଥିତିରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସିପାରୁନଥିବାର ବୁଧୁରାମ ମୁଣ୍ଡା ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଛନ୍ତି।

Comments are closed.