ପରଲୋକରେ ନାଟ୍ୟକାର ବିଜୟ ମିଶ୍ର

ସମାଜ ପୋର୍ଟାଲ ଡେସ୍କ: ଅନେକ ଲୋକପ୍ରିୟ ନାଟକର ରଚୟିତା, ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ତଥା କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ବିଜୟ ମିଶ୍ରଙ୍କର ଆଜି ୮୩ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ନର୍ସିଙ୍ଗ ହୋମରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ନାଟ୍ୟକାର ବିଜୟ ମିଶ୍ର ଅନେକ ଲୋକପ୍ରିୟ ନାଟକ ରଚନା ସହ ସିନେମା ଓ ଧାରାବାହିକରେ ସଂଳାପ ଲେଖିଛନ୍ତି। ଲୋକପ୍ରିୟ ଧାରାବାହିକ ଶ୍ରୀଜଗନ୍ନାଥର ସଂଳାପ ଲେଖକ ହିସାବରେ ସେ ଓଡ଼ିଶାର ଘରେ ଘରେ ଲୋକପ୍ରିୟ ହୋଇପାରିଥିଲେ। ତାଙ୍କ ରଚିତ ନାଟକ ‘ତଟ ନିରଞ୍ଜନା’ ଅନେକ ଭାରତୀୟ ଭାଷାରେ ପ୍ରକାଶିତ ହୋଇଛି। ଦୀର୍ଘ ୫୫ ବର୍ଷ ଧରି ସେ ଲେଖନୀ ଚାଳନା କରି ସଂଳାପ ରଚନା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଥିଲେ।

ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ ସନ୍ତରାଗଡିଆଠାରେ ୧୯୩୭ ମସିହାରେ ଜନ୍ମ ଗ୍ରହଣ କରିଥିବା ବିଜୟ ମିଶ୍ରଙ୍କର ପିଲାଟି ଦିନରୁ ନାଟକ ପ୍ରତି ଦୁର୍ବଳତା ରହିଥିଲା। ତାଙ୍କ ପିତାଙ୍କ ନାମ ହରିହର ମିଶ୍ର ଓ ମାତାଙ୍କ ନାମ ଅନ୍ନପୂର୍ଣ୍ଣା ମିଶ୍ର। ଜଣେ ସିଭିଲ ଇଞ୍ଜିନିଅର ଭାବେ ଅବସର ଗ୍ରହଣ ପରେ ସେ ତାଙ୍କର ସମସ୍ତ ସମୟ ନାଟକ ଲେଖାରେ ଉପଯୋଗ କରିଥିଲେ। ମାତ୍ର ୨୧ ବର୍ଷ ବୟସରେ ତାଙ୍କ ରଚିତ ପ୍ରଥମ ନାଟକ ‘ଜନନୀ’ ଅନ୍ନପୂର୍ଣ୍ଣା ଥିଏଟର ଦ୍ୱାରା ମଞ୍ଚସ୍ଥ ହୋଇଥିଲା ଓ ଅଭୂତପୂର୍ବ ସଫଳତା ହାସଲ କରିଥିଲା। ପରେ ସେ ନାଟକ ‘ଶବ ବାହକ ମାନେ’ ରଚନା କରିଥିଲେ।

ତାଙ୍କ ରଚିତ ନାଟକ ମଧ୍ୟରେ ଆସନ୍ତା ଗ୍ରହ, ତିମିର ତୀର୍ଥ, ପ୍ରତୀକ୍ଷା, ଯାଯାବର, ପର୍ଶୁରାମ, ଯାଦୁକର, ଲାଷ୍ଟ ଟ୍ରେନ, ଭଙ୍ଗ ଆଇନା, ଏକଦା ଲାବଣ୍ୟ, ଅଚାନକ ଅକସ୍ମାତ, ତାରି ଲାଗି, ଜଣେ ରାଜା ଥିଲେ, ତଟ ନିରଞ୍ଜନା, ଦୁଇଟି ସୂର୍ଯ୍ୟ ଦଗ୍ଧ ଫୁଲକୁ ନେଇ ଓ ବାନପ୍ରସ୍ଥ ଅନ୍ୟତମ ଆରେ। ନାଟକ ‘ତଟ ନିରଞ୍ଜନା’ ଆକାଶବାଣୀ ପକ୍ଷରୁ ସର୍ବ ଭାରତୀୟ ସ୍ଥରରେ ଶ୍ରେଷ୍ଠ ନାଟକ ପୁରସ୍କାର ଲାଭ କରିଥିଲା ଓ ଏହା ୧୮ଟି ଭାଷାରେ ଅନୁଦିତ ହୋଇ ପ୍ରଚାର କରାଯାଇଥିଲା।

ତାଙ୍କ ରଚିତ ନାଟକଗୁଡିକ ମଧ୍ୟରୁ ଜନନୀ, ଯାଯାବର ଓ ଅଶାନ୍ତ ଗ୍ରହ ପରବର୍ତ୍ତୀ ସମୟରେ ଓଡ଼ିଆ ଚଳଚ୍ଚିତ୍ର ରୂପରେ ଅନେକ ଲୋକପ୍ରିୟତା ହାସଲ କରିଥିଲା। ଶ୍ରୀ ମିଶ୍ର ଓଡ଼ିଆ ଚଳଚିତ୍ର ‘ଯାଯାବର ଓ ରଜନୀଗନ୍ଧା’ର ନିର୍ଦ୍ଦେଶନା ଦେଇଥିଲେ ଓ ପୁରସ୍କୃତ ହୋଇଥିଲେ। ସେ ସଂଳାପ ରଚନା କରିଥିବା ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ରହିଛି ସୁନା ଚଢେଇ, ଯାହାକୁ ରଖିବେ ଅନନ୍ତ, ହାକିମ ବାବୁ, ଡୋରା, ମାନିନୀ, ବୋଉ, ଲକ୍ଷେ ଶିବ ପୁଜି ପାଇଛି ପୁଅ, ଶ୍ରୀ ଜଗନ୍ନାଥ, ପଞ୍ଜୁରୀ ଭିତରେ ଶାରୀ, କୁରୁକ୍ଷେତ୍ର, ସପନ ବଣିକ, ଜନନୀ, ଆସନ୍ତା ଗ୍ରହ, ଜଗା ବଳିଆ, ପରଦେଶୀ ଚଢେଇ, ତଅପୋଇ ଓ ଶାଶୁ ଘର ଚାଲିଯିବି। ଦୂରଦର୍ଶନର ଜାତୀୟ ପ୍ରସାରଣ ପାଇଁ ସେ ‘ସପନ ଓ ଯଶୋଧାରା’ ଟେଲିଫିଲ୍ମ ପାଇଁ ସଂଳାପ ରଚନା ସହ ଭୁବନେଶ୍ୱର ଦୂରଦର୍ଶନ ପାଇଁ ଜଣେ ରାଜା ଥିଲେ, ତାରି ଲାଗି ଓ ଶଶୀ ମୀରା କଥା ନାଟକ ରଚନା କରିଥିଲେ।

ସେ ପାଇଥିବା ପୁରସ୍କାର ଓ ସମ୍ମାନଗୁଡିକ ମଧ୍ୟରେ ରହିଛି ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କାର (୧୯୬୮ ଓ ୧୯୮୮), ସାହିତ୍ୟ ଏକାଡେମୀ ପୁରସ୍କାର (୧୯୮୦), ସଂସ୍କୃତି ପୁରସ୍କାର (୧୯୮୦), ଚଳଚ୍ଚିତ୍ର ପୁରସ୍କାର (୧୯୯୦), କୋଣାର୍କ ସମ୍ମାନ (୧୯୯୪), ସମ୍ମାନ ସୂଚକ ପିଏଚ୍ଡି ଡିଗ୍ରୀ (୨୦୧୨), ଶ୍ରେଷ୍ଠ ରେଡ଼ିଓ ନାଟକ ପାଇଁ ଜାତୀୟ ପୁରସ୍କାର (୧୯୭୯), କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର (୨୦୧୨), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୩-୧୪), ତରଙ୍ଗ ଜୀବନ ବ୍ୟାପି ସାଧନା ପୁରସ୍କାର (୨୦୧୨), ଭୂମିପୁତ୍ର ସମ୍ମାନ (୨୦୧୪), ଯଦୁମଣି ଦାସ ସମ୍ମାନ (୨୦୧୫) ଓ ଟ୍ୱେଫଲା ସମ୍ମାନ (୨୦୧୫)।

Comments are closed.