ପଲିଥିନର ସହର; କଟକଣା ସତ୍ତ୍ୱେ କମୁନି ପଲିଥିନ ବ୍ୟବହାର

ମୋହନା : ଗଜପତି ଜିଲ୍ଲା ମୋହନା ସହରରେ ଚାଲିଥିନ ବ୍ୟବହାର ଯୋଗୁଁ ପରିବେଶ ନଷ୍ଟ ହେବାରେ ଲାଗିଛି । ଏନେଇ ପ୍ରଶାସନ ପକ୍ଷରୁ ସଚେତନତା ଓ ଚ଼ଢଉ କରାଯାଉ ନାହିଁ କି ବ୍ୟବସାୟୀ କିମ୍ଵା ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଉନି। ମୋହନା ଓ ଏହାର ଆଖପାଖ ଅଂଚଳରେ ବହୁ ବ୍ୟବସାୟୀ ପ୍ରାଷ୍ଟିକ ଗ୍ଳାସ, ଚାମଚ, ପ୍ଳେଟ ଓ ପଲିଥିନ ବହୁ ମାତ୍ରାରେ ବ୍ୟବହାର କରୁଛନ୍ତି। ଦୋକାନୀ ପଲିଥିନ୍ ଲୁଚାଇ ରଖି ଏହାକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଚାରିଆଡ଼େ ଅଳିଆ ଆବର୍ଜନାରେ ପ୍ଲାଷ୍ଟିକ ଗ୍ଳାସ, ଫ୍ଳେଟ, କପ୍ ଓ ପଲିଥିନ୍ ମାସ ମାସ ଧରି ଜମା ହୋଇ ପଡି ରହି ପରିବେଶ ଦୂଷିତ ହେବ। ସହ ଗମନାଗମନ ସମୟରେ ଦୁର୍ଗନ୍ଧରେ ନାକ ଫାଟିପଡୁଛି। ଗାଇଗୋରୁ ଆଦି ପ୍ରାଣୀ ଏହାକୁ ଖାଇ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଏ ବିଷୟରେ ଜନସଚେତନତାର ଅଭାବ ସାଙ୍ଗକୁ ପ୍ରଶାସନର ଢିଲା କଟକଣା ଯୋଗୁଁ ପଲିଥିନ ବ୍ୟବହାର କମିବାର ନାଁ ଧରୁନି। ସ୍ଥାନୀୟ ଅଂଚଳରେ ପାଣି ପାଉଚ଼ ମଧ୍ୟ ଖୋଲମ ଖୋଲା ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ଚଢାଉ ମଧ୍ୟ ହେଉନାହିଁ। ମୋହନା ସମେତ ଏହାର ଆଖ ପାଖ ଗ୍ରାମଗୁଡିକରେ ଅବାଧରେ ବିନା କଟକଣାରେ ଖୋଲାଖୋଲି ଭାବେ ପଲିଥିନ ଓ ପ୍ଳାଷ୍ଟିକ ଗ୍ଳାସ ବିକ୍ରି ହେଉଛି। ସହରରେ ମାଛ, ମାଂସ, ପରିବା, ରାସନ ସାମଗ୍ରୀ ଆଦି ଦୋକାନଠାରୁ ଆରମ୍ଭ କରି ସବୁ ଦୋକାନରେ ପଲିଥିନର ବହୁଳ ବ୍ୟବହାର ହେଉଛି। ମୋହନା ମୁଖ୍ୟ ସଡ଼କ ସମେତ ସାହି, ଗଳିକନ୍ଦି, ବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର, ହୋଟେଲ ଓ ଖେଳପଡ଼ିଆ ଆଦି ସ୍ଥାନରେ କୁଢ଼ କୁଢ଼ ପଲିଥିନ ପଡ଼ିଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଉ ନ ଥିବାରୁ ଅବାଧରେ ଏହି କାରବାର ଓ ବ୍ୟବହାର ବଢିବାରେ ଲାଗିଛି । ସରକାରୀ ସ୍ତରରେ ୪୦ ରୁ ୫୦ ମାଇକ୍ର୍ରୋନ ପଲିଥିନ ବିକ୍ରି ପାଇଁ ଅନୁମତି ଥିଲେ ମଧ୍ୟ ଏହାକୁ କେହି ମାନୁନାହାନ୍ତି। କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୃଦ୍ଧିଜୀବି ମହଳରେ ଦାବି ହେଉଛି।

Comments are closed.