ପ୍ଲାଷ୍ଟିକ ଖାଇବ ଏନ୍‍ଜାଇମ

ପ୍ଲାଷ୍ଟିକ ଏବେ ପ୍ରଦୂଷଣର ପ୍ରମୁଖ ମାଧ୍ୟମ ହୋଇଛି। ଏପରିକି ପୃଥିବୀ ପ୍ଲାଷ୍ଟିକ ପ୍ରଦୂଷଣର ଟାଇମ୍‍ ବମ୍‍ ଉପରେ ରହିଛି ବୋଲି ବୈଜ୍ଞାନିକ ସତର୍କ କରାଇସାରିଛନ୍ତି। ପ୍ଲାଷ୍ଟିକ ସାମଗ୍ରୀ ବର୍ଷବର୍ଷ ଧରି ନଷ୍ଟ ନହୋଇ ପଡ଼ିରହିବା ଏହି ପ୍ରଦୂଷଣର ମୁଖ୍ୟ କାରଣ। ସମୁଦ୍ରକୁ ପ୍ରତିବର୍ଷ ୧୧ମିଲିଅନ୍‍ ଟନ୍‍ ପ୍ଲାଷ୍ଟିକ ଆବର୍ଜନା ଯାଇଥାଏ। ଏହା ସାମୁଦ୍ରିକ ଜୀବମାନଙ୍କ ପ୍ରତି ବଡ ବିପଦ ସୃଷ୍ଟି କରିଛି। ସ୍ଥଳଭାଗରେ ମଧ୍ୟ ଗାଈଗୋରୁ ପ୍ଲାଷ୍ଟିକ ଆବର୍ଜନା ଖାଇ ମୃତ୍ୟୁମୁଖରେ ପଡୁଥିବା ଏବଂ ମାଟିର ଉର୍ବରକ କ୍ଷମତା ନଷ୍ଟ ହେଉଥିବା ଦେଖାଯାଇଛି। ଏବେ ବୈଜ୍ଞାନିକମାନେ ଏପରି ଏନ୍‍ଜାଇମ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ଯାହା ମାତ୍ର କେଇଦିନରେ ପ୍ଲାଷ୍ଟିକ ଗଦାକୁ ଖାଇ ସଫା କରିଦେଇପାରିବ। ଇଂଲଣ୍ଡର ପୋର୍ଟସମାଉଥ ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରସ୍ତୁତ କରିଥିବା ଏହି ସୁପର ଏନ୍‍ଜାଇମ ଅନ୍ୟ ଏନ୍‍ଜାଇମ ଅପେକ୍ଷା ୬ଗୁଣ ଦ୍ରୁତ ଗତିରେ ପ୍ଲାଷ୍ଟିକ ଖାଇପାରେ ବୋଲି ସେମାନେ ଜଣାଇଛନ୍ତି। ଦୁଇଟି ପ୍ଲାଷ୍ଟିକ ବିଘଟନକାରୀ ଏନ୍‍ଜାଇମ ପିଟେଜ୍‍ ଏବଂ ମିଟେଜ୍‍କୁ ମିଶାଇ ଏହି ସୁପର ଏନ୍‍ଜାଇମ ପ୍ରସ୍ତୁତ କରାଯାଇଛି। ପ୍ରୋସିଡିଙ୍ଗ୍‍ସ ଅଫ୍‍ ଦି ନ୍ୟାସନାଲ ଏକାଡେମୀ ଅଫ୍‍ ସାଇନ୍‍ସେସ ଅଫ୍‍ ଦି ୟୁନାଇଟେଡ ଷ୍ଟେଟ୍‍ସ ଅଫ୍‍ ଆମେରିକା ପତ୍ରିକାରେ ଏହି ଗବେଷଣା ରିପୋର୍ଟ ପ୍ରକାଶିତ।

Comments are closed.