ଏମିତି ସ୍କୁଲ, ଯେଉଁଠି ଫି ନୁହେଁ ଦେବାକୁ ପଡ଼େ ପ୍ଲାଷ୍ଟିକ ବୋତଲ

ଲାଗୋସ : ସବୁ ବାପା-ମାଆ ଚାହାନ୍ତି ତାଙ୍କ ପିଲା ଗୋଟିଏ ଭଲ ସ୍କୁଲକୁ ଯାଇ ଭଲ ଶିକ୍ଷା ଗ୍ରହଣ କରୁ। ମାତ୍ର ଆର୍ôଥକ ସମସ୍ୟା କାରଣରୁ ତାଙ୍କ ଇଚ୍ଛା ଇଚ୍ଛାରେ ହିଁ ରହିଯାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍କୁଲ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ପିଲାଙ୍କୁ ପଢାଇବା ପାଇଁ ମୋଟା ଅଙ୍କର ଟଙ୍କା ନୁହେଁ ବରଂ ଅଦରକାରୀ ପ୍ଲାଷ୍ଟିକ ବୋତଲ ଦେବାକୁ ପଡ଼ିଥାଏ।

ଏହି ସ୍କୁଲ ନାଇଜେରିଆର ଲାଗୋସ ସହରରେ ଅବସ୍ଥିତ। ସୂଚନା ଅନୁସାରେ, ଏହାର ନାମ ମୋରିଟ ଇଣ୍ଟରନେଶନାଲ ସ୍କୁଲ। ସ୍କୁଲରେ ଏପରି ବ୍ୟବସ୍ଥା ଦୁଇଟି କାରଣରୁ କରାଯାଇଛି। ପ୍ରଥମ କାରଣ ହେଉଛି ପରିବେଶକୁ ସଫା ରଖିବା। ସେହିପରି ପାରିବାରିକ ସ୍ଥିତିକୁ ମଜଭୁତ କରିବା ଏହାର ଦ୍ୱିତୀୟ କାରଣ ବୋଲି କୁହାଯାଉଛି।

ଏନେଇ ସ୍କୁଲ ପ୍ରଶାସନଙ୍କ କହିବା କଥା, “ଆମେ ପିଲାଙ୍କ ଅଭିଭାବକଙ୍କୁ ସ୍କୁଲ ଫିସ୍‍ ବାବଦକୁ ଟଙ୍କା ବଦଳରେ ଅଦରକାରୀ ବୋତଲ ଦେବାକୁ କହିଛୁ। ଏହି ବୋତଲରୁ ଯାହାବି ଟଙ୍କା ମିଳିବ ତାହାକୁ ପିଲାଙ୍କ ସ୍କୁଲ ଫିସ୍‍ ଭାବେ ଜମା କରି ଦିଆଯିବ”।

ଅଭିଭାବକଙ୍କ କହିବା କଥା, “ଆଜିର ସମୟରେ ପିଲାଙ୍କ ସ୍କୁଲର ପାଉଣା ଦେବା ସହଜ ନୁହେଁ। କିନ୍ତୁ ସ୍କୁଲ ପ୍ରଶାସନ ଦ୍ୱାରା ଯେବେଠାରୁ ଏହି ଯୋଜନା ଆରମ୍ଭ ହୋଇଛି, ସେବେଠାରୁ ପିଲାଙ୍କ ପାଠପଢା ସହଜ ହୋଇଯାଇଛି”।

ଉଲ୍ଲେଖଯୋଗ୍ୟ, ଏହି ଯୋଜନା ଆଫ୍ରିକାନ୍‍ କ୍ଲିନ୍‍ ଅପ୍‍ ଇନିସିଏଟିଭ୍‍ ଓ ୱିସାଇକ୍ଲର୍ସ ସଂସ୍ଥାର ସହଯୋଗରେ ଏହି ସ୍କୁଲରେ ଆରମ୍ଭ କରାଯାଇଥିଲା।

Comments are closed.