କୋଭିଡ୍‍ ବିରୋଧୀ ଲଢ଼େଇରେ ଏକ ପ୍ରମୁଖ ଅସ୍ତ୍ର ସାଜିଛି ପ୍ଲାଜମା ଥେରାପି

ଭୁବନେଶ୍ୱର :  କୋଭିଡ୍‍ ମହାମାରୀ ସହ ଚାଲିଥିବା ସଂଗ୍ରାମରେ ମଙ୍ଗଳବାର  ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା । ମଙ୍ଗଳବାର ସୁଦ୍ଧା ଓଡ଼ିଶାରୁ ଏକ ଲକ୍ଷରୁ ଅଧିକ ଲୋକ କରୋନାକୁ ପରାସ୍ତ କଲେଣି। ଡ଼ାକ୍ତରଖାନାରେ ସଂଗ୍ରାମ କରି ପୁଣି ଥରେ ସ୍ୱାଭାବିକ ଜୀବନକୁ ଫେରିଲେଣି। ଅଧିକ ସଂଖ୍ୟକ ଆକ୍ରାନ୍ତ ବାହାରୁ ଥିଲେ ସୁଦ୍ଧା ଆରୋଗ୍ୟ ହାର କିଛି କମ୍‍ ନାହିଁ। ବେଶ୍‍ କିଛିଦିନ ଧରି କରୋନା ଭୂତାଣୁର ପେଣ୍ଠସ୍ଥଳ ପାଲଟି ଥିବା ଗଞ୍ଜାମ ଜିଲା ଏବେ ଆରୋଗ୍ୟ ହାରରେ ବାକି ସବୁ ଜିଲାକୁ ପଛରେ ପକାଇ ଦେଇଛି। କୋଭିଡ୍‍ କେୟାର ବ୍ୟବସ୍ଥା ସାଙ୍ଗକୁ ପ୍ଲାଜ୍‍ମା ଥେରାପି କରୋନା ବିରୋଧରେ ରାଜ୍ୟର ବଡ଼ ଅସ୍ତ୍ର ହୋଇ ଓଡ଼ିଶାରେ ଆରୋଗ୍ୟ ହାର ୭୫.୬୬ ପ୍ରତିଶତ ଥିବା ବେଳେ ଗଞ୍ଜାମରେ ଏହା ୯୫.୪ ପ୍ରତିଶତ ରହିଛି। ସେହିପରି ଗଞ୍ଜାମରେ ସଂକ୍ରମଣ ଦ୍ରୁତ ଗତିରେ କମୁଥିବା ଦେଖାଯାଇଛି। ସେହିପରି ରାଜ୍ୟରେ ପଜିଟିଭିଟି ହାର ୧୦.୭୮ ପ୍ରତିଶତରୁ ଖସି ଏବେ ୬.୦୧ ପ୍ରତିଶତରେ ପହଞ୍ଚିଛି। ଜୁଲାଇ ମାସରେ ଯେଉଁଠି ଦିନକୁ ୧୦ ହଜାର ନମୁନା ପରୀକ୍ଷା ହେଉଥିଲା ସେଠି ଅଗଷ୍ଟ ମାସ ବେଳକୁ ତାହା ୫୦ ହଜାରରେ ପହଞ୍ଚିପାରିଛି। ରାଜ୍ୟରେ ୫୬୯ ଆକ୍ରାନ୍ତ ପ୍ରାଣ ହରାଇଥିଲେ ସୁଦ୍ଧା ମୃତ୍ୟୁହାର ହେଉଛି ୦.୪୩ ପ୍ରତିଶତ ଯାହା ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍‍।

କୋଭିଡ୍‍ ବିରୋଧୀ ଲଢ଼େଇରେ ଏକ ପ୍ରମୁଖ ଅସ୍ତ୍ର ସାଜିଥିବା ପ୍ଲାଜ୍‍ମା ଥେରାପି ମଧ୍ୟ ଶତାଧିକ ଗୁରୁତର ରୋଗୀଙ୍କୁ ନୂଆ ଜୀବନ ଦେଲାଣି। ୪୫ ଦିନ ଭିତରେ ରାଜ୍ୟ ସରକାର ବିଭିନ୍ନ ମେଡିକାଲ କଲେଜରେ ୬ଟି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରିଥିବା ବେଳେ ୬୯୨ ଗୁରୁତର କରୋନା ଆକ୍ରାନ୍ତଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ସେହିପରି କରୋନାରୁ ଆରୋଗ୍ୟ ଲାଭ କରିଥିବା ଏ ଯାଏଁ ୫୦୬ ଜଣ ୧୦୦୮ ୟୁନିଟ୍‍ ପ୍ଲାଜମା ଦାନ କଲେଣି। ଗ୍ରାମପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କ ସହଯୋଗକ୍ରମେ ୬୭,୮୯୪ ଶଯ୍ୟା ଥିବା ୬୭୯୮ଟି କୋଭିଡ୍‍ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଛି। ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍‍ ପରିଚାଳନା କମିଟି ଲକ୍ଷଣ ନ ଥିବା ତଥା ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ ନଜର ରଖିବା ଦ୍ୱାରା ସଂକ୍ରମଣକୁ ଅନେକାଂଶରେ ପ୍ରତିରୋଧ କରାଯାଇପାରୁଛି। ଆଗଧାଡ଼ିର ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମ ଯୋଗୁଁ ଆଜି ଓଡ଼ିଶାରେ ୧ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସେମାନଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି।

କରୋନା ଲକ୍ଷଣ ଥିବା ଲୋକଙ୍କ ପାଇଁ ରାଜ୍ୟରେ ୧୯୫୩୦ କୋଭିଡ୍‍ କେୟାର ସେଣ୍ଟର ପ୍ରତିଷ୍ଠା ହୋଇଥିବା ବେଳେ ୫୦ ଟି ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲରେ ୭୮୪୩ ରୋଗୀଙ୍କ ପାଇଁ ଶଯ୍ୟା ରହିଛି। ସେହିପରି ଏଠାରେ ୮୩୮ ଆସିୟୁ ଶଯ୍ୟା, ୪୬୪ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ୫୨୬ ଶଯ୍ୟା ଓ ୨୦୯ ଆସିୟୁ ୟୁନିଟ୍‍ ପାଇଁ ମଞ୍ଜୁରୀ ମିଳିଛି। ଏସବୁ ସୁବିଧା ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ ମିଳିବା ଦ୍ୱାରା ଜୀବନ ରକ୍ଷା ହେଉଛି ଆଉ ଏବେ ଦୈନି ୩ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ବାହାରୁଛନ୍ତି।

Comments are closed.