ପ୍ଲାଜ୍‌ମା ଥେରାପିରୁ ମିଳୁଛି ସୁଫଳ, ରାଜ୍ୟର କାହାରିକୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପ୍ଲାଜ୍‌ମା ବ୍ୟାଙ୍କ ଆରମ୍ଭ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ରୋଗୀଙ୍କୁ ନୂଆ ଜୀବନ ଦେବାକୁ ପ୍ଲାଜମା ବ୍ୟାଙ୍କର ପରିକଳ୍ପନା କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଏସ୍‌ସିବି ପରେ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ରାଜ୍ୟର ଦ୍ବିତୀୟ ପ୍ଲାଜ୍‌ମା ବ୍ୟାଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି। ଭିଡ଼ିଓ କନ୍‌ଫରେନ୍‌ସିଂରେ ରାଜ୍ୟର ଏହି ଦ୍ବିତୀୟ ପ୍ଲାଜ୍‌ମା ବ୍ୟାଙ୍କ ଲୋକାର୍ପିତ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପ୍ଲାଜ୍‌ମା ଥେରାପିରୁ ସୁଫଳ ମିଳୁଥିବା ଦେଖିବାକୁ ମିଳୁଛି। ରାଜ୍ୟର କାହାରିକୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରାଯିବ ନାହିଁ। ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ ପ୍ଲାଜ୍‌ମା ବ୍ୟାଙ୍କ। ରାଉରକେଲା ଆଇଜିଏଚ୍‌, ବୁର୍ଲା ଭୀମ୍‌ସାର ଓ ବ୍ରହ୍ମପୁର ଏମ୍‌କେସିଜିରେ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ହେବ।  କୋଭିଡ୍‌ ରୋଗୀମାନଙ୍କ ନିମନ୍ତେ ଓଡ଼ିଶାରେ ପ୍ଲାଜ୍‌ମା ଥେରାପିର ପ୍ରାରମ୍ଭିକ ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ହୋଇଛି । ସେ ଆଶା ପ୍ରକାଶ କରିଛନ୍ତି ଯେ ଅଧିକରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ଫଳରେ ପ୍ଲାଜ୍‌ମା ଦାନ ଏକ ଗୋଷ୍ଠୀକୈନ୍ଦି୍ରକ ଜନଆନ୍ଦୋଳନରେ ପରିଣତ ହେବ ।
କୋଭିଡ୍‌ ବିରୋଧୀ ସଂଗ୍ରାମରେ ଡାକ୍ତର ଓ ସ୍ୱାସ୍ଥ୍ୟ ସହାୟକମାନଙ୍କ ନିଷ୍ଠାପର ଓ ଉତ୍ସର୍ଗୀକୃତ ସେବାକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ସେ ଏପରି ଏକ କଠିନ ସମୟରେ ସମସ୍ତଙ୍କୁ ଏକତ୍ର ହୋଇ ସେମାନଙ୍କର ଇଚ୍ଛାଶକ୍ତିକୁ ଉତ୍ସାହିତ ଓ ସଶକ୍ତ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ଲାଜ୍‌ମା ଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିମାନେ ୱେବ୍‌ ପୋର୍ଟାଲ୍‌ (https://covid19.odisha.gov.in)ରେ ନିଜର ନାମ ପଞ୍ଜୀକରଣ କରିବେ ବୋଲି ଆଶା କରିଛନ୍ତି । ସେମାନଙ୍କର ଯୋଗ୍ୟତା ଓ ସମ୍ମତି ଡାଟାବେସ୍‌ରେ ସ୍ଥାନିତ ହେବ ।
ଆସନ୍ତାକାଲି ରାଉରକେଲା ଆଇଜିଏଚ୍‌ରେ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


ୟୁନିଟ୍‌ ୬ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ୪ର୍ଥ ପ୍ଲାଜମା ବ୍ୟାଙ୍କ କରୋନା ରୋଗୀଙ୍କୁ ନୂଆ ଜୀବନ ଦେବ ବୋଲି ଆଶା କରାଯାଇଛି। କେବଳ ଏତିକି ନୁହେଁ, ପ୍ଲାଜମା ଦାନ ପାଇଁ ମଧ୍ୟ ଏକ ୱେବପୋର୍ଟାଲର ମଧ୍ୟ ଉଦଘାଟନ କରିଛନ୍ତି ରାଜ୍ୟ ସରକାର। ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେମାନେ ନିଜର ପ୍ଲାଜମା ଦାନ କରି ଅନ୍ୟ ଆକ୍ରାନ୍ତଙ୍କୁ ନୂଆ ଜୀବନ ଦେବାରେ ସହାୟକ ହେଉଛନ୍ତି।
ଅପରପକ୍ଷରେ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ବଢୁଥିବା ବେଳେ ପ୍ଲାଜମା ଥେରାପି ନୂଆ ଆଶାସଞ୍ଚାର କରିଛି। ଗଞ୍ଜାମ ଟାଟା ହସ୍ପିଟାଲରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହୋଇଥିବା ୩ ଗୁରୁତର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଟାଟା ହସ୍ପିଟାଲରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ଦ୍ୱାରା ଏହି ସଂକ୍ରମିତମାନେ ସୁସ୍ଥ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହାସହ କରୋନା ଭୂତାଣୁ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏହାପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଥିଲେ ଜଣେ ମହିଳା । କଟକ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷିୟ ମହିଳା ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଛନ୍ତି । ଏବେ ପୁଣି ଗଂଜାମରେ ୩ଜଣ ସଂକ୍ରମିତ ସୁସ୍ଥ ହେବା ପରେ ଏହି ଚିକିତ୍ସା ମାଧ୍ୟମରେ ଅଧିକ ରୋଗୀ ସୁସ୍ଥ ହୋଇପାରିବେ ବୋଲି ଆଶା ସଞ୍ଚାର ହୋଇଛି।

Comments are closed.