‘ଫଣି’ ନଷ୍ଟ କରିଥିବା ସବୁଜିମାକୁ ଫେରାଇ ଆଣିବାକୁ ବୃକ୍ଷରୋପଣ କଲେ କିନ୍ନର ସମାଜ

ଭୁବନେଶ୍ୱର : ରାଜ୍ୟର କିନ୍ନର ସମାଜ ବାତ୍ୟା ‘ଫଣି’ ଦ୍ୱାରା ନଷ୍ଟ ହୋଇଯାଇଥିବା ସବୁଜିମାକୁ ପୁନଃ ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି। ଶୁକ୍ରବାର ଭୁବନେଶ୍ୱରର କିନ୍ନରମାନେ ଦେବୀ ମା’ଙ୍କ ପୂଜା କରିବା ପରେ ବୃକ୍ଷରୋପଣ କରିଛନ୍ତି। ସୂଚନାଯୋଗ୍ୟ, ‘ଫଣି’ରେ ଲକ୍ଷାଧିକ ଗଛ ଉପୁଡ଼ି ନଷ୍ଟ ହୋଇଯିବା ପରେ ପରିବେଶକୁ ପୁଣି ସବୁଜିମାରେ ଭରିଦେବା ପାଇଁ ଅନେକ ସରକାରୀ ଓ ବେସରକାରୀ ସଙ୍ଗଠନ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମମାନ କରୁଛନ୍ତି। ତେଣୁ ପରିବେଶ ପ୍ରତି ଚିନ୍ତା ବ୍ୟକ୍ତ କରି କିନ୍ନର ସମାଜ ଏବେ ପ୍ରତ୍ୟେକ ପର୍ବ କିମ୍ବା ଖୁସି ଅବସରରେ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ସୁଇଟି କିନ୍ନର ଓ ପ୍ରତାପ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିନ୍ନରମାନେ ବୃକ୍ଷରୋପଣ କରିବା ସହିତ ତାହାର ଯତ୍ନ ଏବଂ ସଂରକ୍ଷଣ କରିବାର ସଙ୍କଳ୍ପ ମଧ୍ୟ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରିୟା, ସୋନମ, ମେନକା, ରମା, କମଳା, ଚନ୍ଦା, ତନିସ, ଜୁଲି, ଗୁଡୁଲି, ଶ୍ରୀଦେବୀ ଓ ଖୁସି ପ୍ରମୁଖ କିନ୍ନରମାନେ ସାମିଲ ହୋଇଥିଲେ।

 

Comments are closed.