ଫ୍ରେଣ୍ଡସ୍‍ କ୍ଲବ ପକ୍ଷରୁ ବନମହୋତ୍ସବ

ଆଠଗଡ଼ : ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରେଣ୍ଡସ୍‍ କ୍ଲବ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୁଧବାର ସଚେତନତା ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କର କ୍ରୀଡା ଓ ଯୁବସେବା ମନ୍ତ୍ରଣାଳୟ ଅଧିନ ନେହେରୁ ଯୁବକେନ୍ଦ୍ର ସଂଗଠନ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ପରିବେଶ ସଂକ୍ରାନ୍ତୀୟ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। କ୍ଲବର ସଭାପତି ଇଂ ପ୍ରିୟବ୍ରତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର କଟକ ଜିଲ୍ଲା ଦାୟିତ୍ୱରେ ଥିବା ଉପନିର୍ଦ୍ଦେଶକ ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶର ସନ୍ତୁଳନ ପାଇଁ ଜଙ୍ଗଲ ସୁରକ୍ଷା ଓ ସବୁଜ ବଳୟ ଅଧିକରୁ ଅଧିକ ସୃଷ୍ଟି କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଆଠଗଡ଼ ବ୍ଲକ ଅଧ୍ୟକ୍ଷକ କୃଷ୍ଣଚନ୍ଦ୍ର ଦଳାଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଦର୍ଶନ ସାହୁ ଯୋଗଦେଇ ଉଦବୋଧନ ଦେଇଥିଲେ। ପରେ ପରେ ଆଠଗଡ଼ ରେଞ୍ଜର ଆୟେଶା ଅଖତରୀ ନିଶା ଯୋଗାଇଦେଇଥିବା ଚାରା ରୋପଣ କରାଯାଇଥିଲା। ରାଉତରାପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଚମ୍ପାଦେଇ ପୀଠ ଅଞ୍ଚଳରେ ଅଶୋକ, ଛତିୟାନ, ଫେସ୍ତା, କୃଷ୍ଣଚୂଡା ଓ ରାଧାଚୂଡା ଆଦି ବିଭିନ୍ନ କିସମର ଚାରା ଅତିଥିମାନେ ରୋପଣ କରିଥିଲେ। କ୍ଲବର ସଂପାଦକ ଭାଷ୍କର ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ତପନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଦୀପ ସାହୁ, ପ୍ରକାଶ ଦଳାଇ, ସୂର୍ଯ୍ୟକାନ୍ତ ସେଠୀ, ଜିତେନ୍ଦ୍ର କୁମାର ସାହୁ, ଚନ୍ଦନ ନାୟକ ଓ ଅନ୍ୟ ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.