ପ୍ଲଟିଂ ପାଇଁ ଚାଲିଛି ସଜବାଜ ; ଜବରଦଖଲକାରୀଙ୍କ କବଜାରେ ବଙ୍ଗୋମୁଣ୍ଡାର ମୂଲ୍ୟବାନ ସରକାରୀ ଜମି

ବଙ୍ଗୋମୁଣ୍ଡା : ଗରିବ ଭୂମିହୀନ ଲୋକଙ୍କୁ ଉପଯୁକ୍ତ ଥଇଥାନ ନିମନ୍ତେ ବସୁନ୍ଧରା ଯୋଜନାରେ ୪ ଡେସିମିଲ ଘର ଡିହ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଅନେକ ଯୋଗ୍ୟ ପରିବାର ଏହି ଯୋଜନାର ସୁବିଧା ପାଇପାରୁନାହାନ୍ତି। ପ୍ରଶାସନିକ ସ୍ତରରେ ମଧ୍ୟ ଗରିବ ଲୋକଙ୍କୁ ଘର ଡିହ ଯୋଗାଇ ଦେବା ପାଇଁ ପ୍ରାଥମିକତା ଦେଉନାହାନ୍ତି। ଏବେ ବି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକର ଅନେକ ଗରିବ ପରିବାର ୪ ଡେସିମିଲ୍ ଘର ଡିହ ପାଇଁ ଆଦେଶ ପତ୍ର ପାଇଥିଲେ ମଧ୍ୟ ବର୍ଷ ବର୍ଷ ପରେ ବି ଜାଗା ଚିହ୍ନଟ ହୋଇ ପାରୁନି। ଅନ୍ୟ ପକ୍ଷରେ ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲ କରି ନିଜ କବଜାରେ ନେଉଥିବା ଜମି ମାଫିଆ ପ୍ରତି ବି କାର୍ଯ୍ୟାନୁଷ୍ଠାନ ଶୂନ। ଗରିବଙ୍କୁ ଜାଗା ଯୋଗାଇବାରେ ବିଫଳ ପ୍ରଶାସନ ସରକାରୀ ଜମିର ଜବରଦଖଲ ଉଚ୍ଛେଦ ଦିଗରେ କୌଣସି ପଦକ୍ଷେପ ନେଉ ନଥିବାରୁ ପ୍ରଶାସନ ଜମି ଦଲାଲ ସପକ୍ଷରେ ରହି ଜବରଦଖଲକାରୀଙ୍କୁ ପ୍ରୋତ୍ସାହିତ କରୁଥିବା ଅଞ୍ଚଳରେ ଆଲୋଚନା ହେଉଛି।

ବଙ୍ଗୋମୁଣ୍ଡାର ମୂଲ୍ୟବାନ ସରକାରୀ ଜମି ଉପରେ ଜମି ମାଫିଆଙ୍କ ଲୋଲୁପ ନଜର। ସରକାରୀ ଜମିକୁ କଳେବଳେ ହାତେଇ ଚଢା ଦରରେ ବିକ୍ରି କରି ମାଲାମାଲ ହେବା ନିଶାରେ ମାଫିଆ। ବଙ୍ଗୋମୁଣ୍ଡାର ସରକାରୀ ଜମି ପ୍ଲଟିଂ ପାଇଁ ସଜେଇ ହେବାକୁ ବସିଛି। ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ ଯିବା ରାସ୍ତାରେ ଥିବା ସରକାରୀ ପୋଖରୀ ଜବରଦଖଲକାରୀଙ୍କ କବଜାରେ। ଧୀରେ ଧୀରେ ଜବରଦଖଲକାରୀ ପ୍ଲଟିଂ ପାଇଁ ଏହି ସ୍ଥାନକୁ ଚିହ୍ନଟ କରାଯାଇ ସାରିଛି। ବର୍ଷ ବର୍ଷ ଧରି ଯୋଜନା କରି ଏହି ଜମିକୁ ହାତେଇଥିବା ବେଳେ ବାରମ୍ବାର ଗଣମାଧ୍ୟମରେ ସରକାରୀ ଜବରଦଖଲ କରାଯାଇ ପ୍ଲଟିଂ କରାଯାଉଥିବା ନେଇ ବାରମ୍ବାର ଖବର ପ୍ରକାଶିତ ହେଇ ଆସୁଛି। ହେଲେ ପ୍ରଶାସନର ଚେତା ପଶୁ ନାହିଁ।

ତିଖାଲିରୁ ଆସିଥିବା କେନାଲ ଯିବା ପରେ ପୋଖରୀର ଅଧା ଅଂଶ କେନାଲରେ ମିଶିଯିବା ପରେ ଅଧା ଅଂଶ ପଡିରହିଥିଲା। ଏବେ ଏହା ଜବରଦଖଲକାରୀଙ୍କ ହାତ ମୁଠାରେ। ସାଧାରଣ ଗରିବ ଲୋକ ସରକାରୀ ଜମିକୁ ଜବରଦଖଲ କରି ପକାଇଲେ ସରକାରୀ ବାବୁଙ୍କ ନାଲି ଆଖି। ହେଲେ ଜମି ମାଫିଆ ପ୍ରତି ସରକାରୀ ଜମି ଜବରଦଖଲ କଲେ ସବୁ ମାଫ। ଓଲଟା ପ୍ରଶାସନର ଅନୁକମ୍ପା! ବଙ୍ଗୋମୁଣ୍ଡାର ସରକାରୀ ପୋଖରୀକୁ ଜବରଦଖଲ କରି ପ୍ଲଟିଂ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଜବରଦଖଲ ହେଉଥିବା ସ୍ଥାନ ବଙ୍ଗୋମୁଣ୍ଡା ତହସିଲ ଅଧିନରେ ଆସୁ ନଥିବା ବେଳେ ଏହା ମୁରିବାହାଲ ତହସିଲ ଅଧିନରେ ଆସୁଥିବା କୁହାଯାଉଛି। ମୁରିବାହାଲ ତହସିଲଦାରଙ୍କୁ ଏ ସଂପର୍କରେ ପୂର୍ବରୁ ଅବଗତ କରାଯାଇଥିବା ବେଳେ ବିଭାଗୀୟ ନୀରବତା ମାଫିଆଙ୍କୁ ସୁହାଉଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଜବରଦଖଲ ଉଚ୍ଛେଦ କରିବା ପାଇଁ ଦାବି ହେଉଛି।

Comments are closed.