ଆଇନକୁ ଦଳିଦେଲା ପିକେଡିଏ, ଗୃହ ନିର୍ମାଣ କଟକଣା କୋହଳ : ସମୁଦ୍ରକୂଳରେ ହେବ ନଭଶ୍ଚୁମ୍ବୀ ଅଟ୍ଟାଳିକା

ପୁରୀ : ପୁରୀ ସମୁଦ୍ରକୂଳ ନିକଟରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ନଭଶ୍ଚୁମ୍ବୀ ଅଟ୍ଟାଳିକା। ଏହାର ଉଚ୍ଚତା ୧୪ ତାଲା ବିଶିଷ୍ଟ କରାଯିବ। ଏହିପରି ୬ଟି ବହୁତଳ ବିଶିଷ୍ଟ ବ୍ୟବସାୟିକ ଅଟ୍ଟାଳିକା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ)। ରାଜ୍ୟର କିଛି ପ୍ରଭାବଶାଳୀ ବ୍ୟକ୍ତି ଏବଂ ନିର୍ମାଣକାରୀ ସଂସ୍ଥାର ସ୍ବାର୍ଥ ପାଇଁ ରାତାରାତି ଗୃହ ନିର୍ମାଣ ବ୍ୟବସ୍ଥା ପୂର୍ବ ନିୟମ ପରିବର୍ତ୍ତନ କରିଥିବା ଶୁଣିବାକୁ ମିଳୁଛି। ପିକେଡିଏ ଗଠନ ହେବାର ୨୫ ବର୍ଷ ପରେ ସମୁଦ୍ରକୂଳରେ ତିନି ମହଲାରୁ ଊର୍ଦ୍ଧ୍ବ ଉଚ୍ଚତା ସମେତ ଜମିର ୫୦% ଅଞ୍ଚଳରେ ହୋଟେଲ ଓ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେବାକୁ ଯାଉଛି ପିକେଡିଏ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିକେଡିଏ ଗୃହ ନିର୍ମାଣ ଅନୁମତି କମିଟି ବୈଠକରେ ଏଥିପାଇଁ ସ୍ଥିର କରାଯାଇଛି। ପ୍ରସ୍ତାବିତ ବହୁତଳ ଅଟ୍ଟାଳିକା ଗୁଡିକ ଶିପସରୁବାଲି ମୌଜାରେ ନିର୍ମାଣ କରାଯିବ। ଏହାଛଡା ପରିବର୍ଦ୍ଧିତ ଉଚ୍ଚତା ସହ ପାଞ୍ଚଗୋଟି ବହୁତଳ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି ପିକେଡିଏ।
ସୂଚନାନୁଯାୟୀ, ପୁରୀ ସମୁଦ୍ରକୂଳର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟଠାରୁ ଶିପସରୁବାଲି ମଙ୍ଗଳାନଦୀ ମୁହାଣ ପର୍ଯ୍ୟନ୍ତ ଅଞ୍ଚଳକୁ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳ(ସିଆରଜେଡ୍‌) ୨ ଭାବେ ଘୋଷଣା କରିଛନ୍ତି। ପିକେଡିଏ ଗଠନ ହେବାଠାରୁ ଏପର୍ଯ୍ୟନ୍ତ ସେସବୁ ଅଞ୍ଚଳରେ ସର୍ବାଧିକ ତିନିତାଲା ଉଚ୍ଚତା ଏବଂ ଜମିର ୩୩% ଅଞ୍ଚଳରେ ଗୃହ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। ଏହି କଟକଣା ଉଲ୍ଲଙ୍ଘନ କରି ହୋଟେଲ, ଲଜିଂ, ହଲିଡେହୋମ୍‌, ଆପାର୍ଟମେଣ୍ଟ ଏବଂ ଆବାସିକ କୋଠା ନିର୍ମାଣ କରିଥିବା ୩୧୬ ଜଣଙ୍କୁ ପିକେଡିଏ ପକ୍ଷରୁ ଉଚ୍ଛେଦ ନୋଟିସ୍‌ ଦିଆଯାଇଥିଲା। ଏହାଛଡା କୋଠା ନିର୍ମାଣ ଉଚ୍ଚତା ଏବଂ ନିର୍ମାଣ ଅଞ୍ଚଳ ପରିମାଣ ବୃଦ୍ଧି ପାଇଁ ପିକେଡିଏ ପକ୍ଷରୁ ୧୯୯୮ ସେପ୍ଟେମ୍ବର ୨୨ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଆପତ୍ତି ଉଠାଇଥିଲା। ପିକେଡିଏର ଏଭଳି ନିଷ୍ପତ୍ତି କ୍ଷମତା ବହିର୍ଭୂତ ଏବଂ ସମ୍ପୂର୍ଣ୍ଣ ବେଆଇନ ବୋଲି ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳ ପରିଚାଳନା ପ୍ରାଧିକରଣକୁ ୧୯୯୯ ଡିସେମ୍ବର ୯ତାରିଖରେ ଏକ ଚିଠିଲେଖି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ସ୍ପଷ୍ଟ ମତ ଦେଇଥିଲା।
ଏହାପରେ ପିକେଡିଏ କର୍ତ୍ତୃପକ୍ଷ କୋଠା ନିର୍ମାଣ କଟକଣା କୋହଳ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ସମୁଦ୍ରକୂଳରେ କୋଠା ଉଚ୍ଚତା ଏବଂ ନିର୍ମାଣ ଅଂଶ ବୃଦ୍ଧି ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଉପଶାସନ ସଚିବ ୨୦୦୩ ଫେବୃଆରୀ ୧୪ରେ ପିକେଡିଏକୁ ଚିଠିଲେଖି ପ୍ରସ୍ତାବ ଦେଇଥିଲେ। କେତେକ ସଂଗଠନର ପ୍ରବଳ ବିରୋଧ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା। ତେଣୁ ପୁରୀ ଓ ଗୋପାଳପୁର ବେଳାଭୂମି ନିକଟରେ କୋଠା ନିର୍ମାଣ ପାଇଁ ରହିଥିବା କଟକଣାରେ ପରିବର୍ତ୍ତନ ପାଇଁ ରାଜ୍ୟ ସହର ଯୋଜନା ନିର୍ଦେଶକଙ୍କ ସମେତ ନଗର ଉନ୍ନୟନ ବିଭାଗ ଯୁଗ୍ମ ସଚିବ ୨୦୦୯ରେ ରାଜ୍ୟ ଉପକୂଳବର୍ତ୍ତୀ ପରିଚାଳନା ପ୍ରାଧିକରଣକୁ ପ୍ରସ୍ତାବ ଦେଇଥିଲେ। ତାହାକୁ ଏପର୍ଯ୍ୟନ୍ତ ଅନୁମୋଦନ କରାଯାଇ ନଥିବା ଜଣାପଡିଛି।
ଏତଦ୍‌ବ୍ୟତୀତ ସମୁଦ୍ରକୂଳ ପାଇଁ କେନ୍ଦ୍ର ସରକାର ପରିବେଶ ସୁରକ୍ଷା ଆଇନକୁ ଭିତ୍ତିକରି ଉପକୂଳବର୍ତ୍ତୀ ଅଞ୍ଚଳ ନିୟନ୍ତ୍ରଣ ବିଜ୍ଞପ୍ତି ଜାରି କରିଥିବାରୁ ପିକେଡିଏ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ ଅନୁଯାୟୀ କୌଣସି ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ମୋକଦ୍ଦମାର ବିଚାର କରି ୨୦୧୫ରେ ନିର୍ଦେଶ ଦେଇଥିଲେ। ସେବେଠାରୁ ପୁରୀ ଓ କୋଣାର୍କ ସମୁଦ୍ରକୂଳରେ ଗୋଟିଏ ହେଲେ କୋଠା ନିର୍ମାଣ ପାଇଁ ପିକେଡିଏ ପକ୍ଷରୁ ଅନୁମତି ଦିଆଯାଇ ନାହିଁ।
କୋଠା ନିର୍ମାଣ କଟକଣା ପରିବର୍ତ୍ତନ ପୂର୍ବରୁ ଜନସାଧାରଣଙ୍କଠାରୁ ଆପତ୍ତି ଏବଂ ପରାମର୍ଶ ଗ୍ରହଣ କରାଯିବାର ଆଇନରେ ବ୍ୟବସ୍ଥା ରହିଛି। ମାତ୍ର କାହା ସ୍ବାର୍ଥ ପାଇଁ ପିକେଡିଏ ରାତାରାତି ସମୁଦ୍ରକୂଳରେ କୋଠା ନିର୍ମାଣ ଉଚ୍ଚତା ଏବଂ ନିର୍ମାଣ ଅଞ୍ଚଳ ବୃଦ୍ଧି କରିଥିବା ନିଷ୍ପତ୍ତି ନେଇଛି ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଉଠିଛି। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ପାଇଁ କେତେକ ସଂଗଠନ ଦାବି କରିଛନ୍ତି। ଏ ସମ୍ପର୍କରେ ପିକେଡିଏ ଯୋଜନା ସଦସ୍ୟ ଲିଙ୍ଗରାଜ ପ୍ରସାଦ ପଟ୍ଟନାୟକଙ୍କ ସହ ଯୋଗା​‌େ​‌ଯାଗ କରିବାରୁ ରାଜ୍ୟ ନଗର ଉନ୍ନୟନ ବିଭାଗର ନିର୍ଦେଶ ଏବଂ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ ନିର୍ମାଣ କମିଟି ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ସମୁଦ୍ରକୂଳରେ କୋଠା ନିର୍ମାଣ ପାଇଁ ଉଚ୍ଚତା ବୃଦ୍ଧି କରାଯାଇଥିବା ସେ ପ୍ରକାଶ କରିଛନ୍ତି।

Comments are closed.