ଏମ୍‍ଜିଏନ୍‍ଆର୍‍ଇଜିଏ ପୋଖରୀଖୋଳାରେ ଦୁର୍ନୀତି ଅଭିଯୋଗ; ଭିଜିଲାନ୍ସର ଖୋଲତାଡ

ପିପିଲି : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନଆରଇଜିଏ)ରେ ପିପିଲି ବ୍ଲକର ୨୫ଟି ପଞ୍ଚାୟତରେ ପୋଖରୀ ଖୋଳା ଓ ବୃକ୍ଷ ରୋପଣରେ ବ୍ୟାପକ ଅନିୟମିତତା ହୋଇଥିବା ସଂପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଏସ୍‍ପିଙ୍କ ନିକଟରେ ରାଜ୍ୟ ପିସିସି ମୁଖପାତ୍ର ଆଇନଜିବୀ ନିଶିକାନ୍ତ ମିଶ୍ର ଅଭିଯୋଗ କରିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପିପିଲି ବ୍ଲକରେ ଖୋଳତାଡ କରାଯିବା ସହ ସରଜମିନ ତଦନ୍ତ କରାଯାଇଛି। ଶ୍ରମିକଙ୍କ ବଦଳରେ ମେସିନ ଦ୍ୱାରା କାର୍ଯ୍ୟ କରାଯାଇ ବ୍ୟାପକ ଆର୍ଥିକ ଅନିୟମିତତା କରାଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୁରୀ ଭିଜିଲାନ୍ସ ଇନିସପେକ୍ଟର ମଦନ ମୋହନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‍ ପିପିଲି ବ୍ଲକ୍‍ରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଯୋଜନାରେ କରାଯାଇଥିବା କାର୍ଯ୍ୟ ଗୁଡିକର ନଥିପତ୍ରକୁ ଭିଜିଲାନ୍ସ ଟିମ୍‍ ତନଖି କରିବା ସହ ଚନ୍ଦ୍ରାଦେଇପୁର, ହାଟସାହି ଓ ତେଇସିପୁର ଆଦି ଅଞ୍ଚଳକୁ ଯାଇ ସେଠାରେ ଏହି ଯୋଜନାରେ ଖୋଳାଯାଇଥିବା ପୋଖରୀ ଗୁଡିକର ସରଜମିନ ତଦନ୍ତ କରିଥିଲେ। ଏଠାରେ ସୂଚନା ଥାଉକି, ଏହି ଯୋଜନାରେ ଖୋଲା ଯାଇଥିବା ପୋଖରୀ ଗୁଡିକରେ ଶ୍ରମିକଙ୍କ ବଦଳରେ ମେସିନ୍‍ ବ୍ୟବହାର କରାଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଥିଲା। ଅଭିଯୋଗର ତଦନ୍ତ ଚାଲିଥିବା ଓ ଅନିୟମିତତାର ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ଇନିସପେକ୍ଟର ଶ୍ରୀପ୍ରଧାନ ସୂଚନା ଦେଇଛନ୍ତି। ଗତ ଜୁଲାଇ ମାସରେ ରାଜ୍ୟ ପିସିସି ମୁଖପାତ୍ର ଆଇନଜିବୀ ନିଶିକାନ୍ତ ମିଶ୍ର ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ସହ ଭୁବନେଶ୍ୱର ଭିଜିଲାନ୍ସ ଏସ୍‍ପିଙ୍କ ନିକଟରେ ତଥ୍ୟଭିତିକ ଅଭିଯୋଗ କରିଥିଲେ।

Comments are closed.