ପିପିଲିରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ

ପିପିଲି : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ମଙ୍ଗଳବାର ସମଗ୍ର ପିପିଲି ଅଞ୍ଚଳରେ ଭାରତ ବନ୍ଦ ବେଶ୍‍ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି। ଏଥିଯୋଗୁଁ ଅଞ୍ଚଳର ସମସ୍ତ ଛୋଟବଡ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନବଜାର ଓ କେତେକ ବ୍ୟାଙ୍କ ଆଦି ବନ୍ଦ ରହିଥିଲା।
ସିପିଆଇ(ଏମ୍‍ଏଲ୍‍) ଲିବରେସନର ପିପିଲି ବ୍ଲକ ସଂପାଦକ ତଥା ଶ୍ରମିକ ନେତା ସର୍ବେଶ୍ୱର ଭାରତୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ପିପିଲି ଟୋଲଗେଟ୍‍ ଛକଠାରେ ରାସ୍ତା ଉପରେ ଟାୟାର ଜାଳି ଜାତୀୟ ରାଜପଥକୁ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ଶ୍ରୀଭାରତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସୁନନ୍ଦ ଗଡନାୟକ, ରାଜକିଶୋର ଶତପଥୀ, ରବିନ୍ଦ୍ର ସ୍ୱାଇଁ, ରାଜୀବ ସାହୁ, କାହ୍ନୁଚରଣ ବେହେରା, ସୁମତୀ ଭୋଇ ପ୍ରମୁଖ କେନ୍ଦ୍ର ସରକାରଙ୍କ କୃଷକ ବିରୋଧି ନିତୀକୁ କଡ ସମାଲୋଚନା କରିଥିଲେ। କୃଷି ଓ କୃଷକର ଉନ୍ନତି ପାଇଁ ତୁରନ୍ତ ଘରୋଇ ଧାନମଣ୍ଡି ବ୍ୟବସ୍ଥାକୁ ଉଚ୍ଛେଦ କରି ସରକାରଙ୍କ ପକ୍ଷରୁ ଧାନ କିଣାଯିବା, ଚୁକ୍ତି ଭିତ୍ତିକ କୃଷି ଓ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରାଯିବା ଓ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଆଇନ ୨୦୨୦କୁ ରଦ୍ଦ କରାଯିବା ଆଦି ସେମାନେ ଦାବି କରିଥିଲେ। ପରେ ସେଠାରୁ ପଦଯାତ୍ରାରେ ବାହାରି କେନ୍ଦ୍ର ସରକାର ବିରୋଧି ବିଭିନ୍ନ ସ୍ଲୋଗାନ ଦେଇ ପିପିଲି ବଜାର, ହାଟଛକ ଦେଇ ମେଡିକାଲ ଛକ ପର୍ଯ୍ୟନ୍ତ ଆସିବା ସହ ଦୋକାନ ବଜାର, ବ୍ୟାଙ୍କ ଆଦିକୁ ବନ୍ଦ କରିଥିଲେ।
ସେହିପରି ଜିଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତ୍ତରାବଜାର ଓ ସାତଶଙ୍ଖ ବଜାରଠାରେ ଟାୟାର ଜାଳି ଜାତୀୟ ରାଜପଥକୁ ଅବରୋଧ କରିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀମଙ୍ଗରାଜ ଚେତାବନୀ ଦେଇଥିଲେ। ସେହିପରି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନିର୍ଦ୍ଦେଶରେ ଶେଖ ମେହେବୁବ, ସୁକାନ୍ତ କୁମାର ସେଠୀ, ମହମ୍ମଦ ଅରିଫ, ଚିନ୍ତିୟାଜ ଅଲ୍ଲୀ ପ୍ରମୁଖଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ପିପିଲି ହାଟଛକଠାରେ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Comments are closed.