ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପିପିଲି : ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମାଟ୍ରିକ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ବେଳେ ୩୩ଜଣ ପରୀକ୍ଷାର୍ଥୀ ଏ-ୱାନ୍‍, ୪୮ଜଣ ପରୀକ୍ଷାର୍ଥୀ ଏ-ଟୁ, ୪୩ ଜଣ ପରୀକ୍ଷାର୍ଥୀ ବି-ୱାନ୍‍ ଓ ୧୩ଜଣ ପରୀକ୍ଷାର୍ଥୀ ବି-ଟୁ ଗ୍ରେଡ୍‍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏକକାଳୀନ ୩୩ଜଣ ପରୀକ୍ଷାର୍ଥୀ ଏ-ୱାନ୍‍ ଗ୍ରେଡ୍‍ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଏକ ବିରଳ କୃତିତ୍ୱ ହାସଲ କରିଛନ୍ତି।
ଏହି ଅବସରରେ ଗୁରୁବାର ଅପରାହ୍ନରେ ବିଦ୍ୟାମନ୍ଦିରର ବୌଦ୍ଧିକ ମଣ୍ଡପରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଫଳତା ପାଇଥିବା ସମସ୍ତ ୧୩୭ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ବିକ୍ରମ କେଶରୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନାଚାର୍ଯ୍ୟ ନେତ୍ରାନନ୍ଦ ଜେନା, ପରିଚାଳନା ସମିତିର ସଂପାଦକ ଆଡ୍‍ଭୋକେଟ୍‍ ରମାକାନ୍ତ ସାହୁ, କୋଷାଧ୍ୟକ୍ଷ ରାକେଶ ମହାପାତ୍ର, ଉପସଭାନେତ୍ରୀ ଡ଼ଃ ଅର୍ଚ୍ଚନା ସାହୁ, ସହସଂପାଦକ ରମାକାନ୍ତ ନାୟକ, ସମିତି ସଦସ୍ୟ ଶଙ୍କର୍ଷଣ ପ୍ରଧାନ, ଶୈକ୍ଷିକ ପରାମର୍ଶଦାତା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ଦାଶ, ଅତିଥି ଆଚାର୍ଯ୍ୟ ରଘୁନାଥ ଜେନା, ପୂର୍ବତନ ପରିଚାଳନା କମିଟି ସଦସ୍ୟ ସୁରେନ୍ଦ୍ର ମହାପାତ୍ର, ମନୋଜ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ମହାମାରୀ କରୋନା କଟକଣା ସମୟରେ ବିଦ୍ୟାମନ୍ଦିରର ଗୁରୁଜୀ, ଗୁରୁମା ମାନେ ବିଭିନ୍ନ ଅଞ୍ଚଳରେ ମହଲା ବିଦ୍ୟାଳୟ ସ୍ଥାପନ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରି ସେମାନଙ୍କ ଶୈକ୍ଷିକ ଉନ୍ନତିରେ ସଫଳ ପ୍ରୟାସ କରିଥିବାରୁ ଅତିଥିମାନେ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ କେତେକ କୃତୀ ଛାତ୍ର ଛାତ୍ରୀ ସେମାନଙ୍କ ପରୀକ୍ଷା ସମୟର ଅନୁଭୂତିକୁ ବର୍ଣ୍ଣନା କରିଥିଲେ। ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ବିଦ୍ୟାଳୟ ଗତ ୪ବର୍ଷ ଧରି ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରଷ୍କାର ବାବଦରେ ଏକ ଲକ୍ଷ ଟଙ୍କା ଲେଖାଏଁ ପାଉଥିବା ଏବଂ ଦଶମ ଶ୍ରେଣୀର ସର୍ବୋତ୍ତମ ଫଳାଫଳ ପ୍ରଦର୍ଶନ କରୁଥିବା ୪ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ପ୍ରତ୍ୟେକ ବର୍ଷ ୫ହଜାର ଟଙ୍କା ଲେଖାଏଁ ପୁରଷ୍କାର ରାଶି ପ୍ରଦାନ କରାଯାଉଥିବା ସଂପର୍କରେ ରମାକାନ୍ତ ସାହୁ ସୂଚନା ଦେଇଥିଲେ। ଶେଷରେ ବିଦ୍ୟାଳୟର ବରିଷ୍ଠା ଆଚାର୍ଯ୍ୟା ଅର୍ଣ୍ଣପୂର୍ଣ୍ଣା ଜେମା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.