ପିପିଲିରେ ପୁଲିସର ଫ୍ଲାଗମାର୍ଚ୍ଚ

ପିପିଲି : ଆସନ୍ତା ୨୩ତାରିଖରେ ହେବାକୁଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପିପିଲି ପୁଲିସ ପକ୍ଷରୁ ଶନିବାର ଅଞ୍ଚଳର ବିଭିନ୍ନ ସ୍ଥାନରେ  ଫ୍ଲାଗମାର୍ଚ୍ଚ କରାଯାଇଛି।
ଏକ କମ୍ପାନୀ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କୁ ନେଇ ପ୍ରୋବେସନର ଆଇପିଏସ୍‍ ନାଗରାଜ ଦେବରକୋଣ୍ଡା ଓ ଶୁଭେନ୍ଦ୍ର କୁମାର, ପିପିଲି ଆଇଆଇସି ଶରତ କୁମାର ସାହୁ, ଏସ୍‍ଆଇ ସନ୍ଦୀପ କୁମାର ଦାସ ପ୍ରମୁଖ ଶନିବାର ପୂର୍ବାହ୍ନରେ ଗୁଡିଆପୋଖରୀ ବଜାର ଠାରୁ ସଙ୍ଗୁଳାଇଶାସନ, ଲକ୍ଷ୍ମୀନାରାୟଣପୁର, ସିଉଳା, ପୁବାଶାସନ ଆଦି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଥିଲେ। ଅପରାହ୍ନରେ ଜଇସପାଟଣା ବଜାର ଠାରୁ ଭାଲିଆବିଲି, ଗୋବର୍ଦ୍ଧନପୁର, ଆନନ୍ଦବଜାର, ପୋପରଙ୍ଗା, ଅର୍ଜ୍ଜୁନଗୋଦା, ଓରକଳ, ଉଜାଣିପଡା, ଅଠରଭାଗା ଗ୍ରାମ ଦେଇ ଭାରତୀପୁର ବଜାର ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଅବାଧ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ପୁଲି୍ସ୍ ପକ୍ଷରୁ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିବା ବେଳେ ଅପରାଧିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଶ୍ରୀ ସାହୁ ପ୍ରକାଶ କରିଥିଲେ। ପିପିଲି ଥାନା ଅଞ୍ଚଳର ସମସ୍ତ ୨୧ଟି ପଞ୍ଚାୟତ ଓ ପୌରାଞ୍ଚଳରେ ଏହି ଫ୍ଲାଗମାର୍ଚ୍ଚ କରାଯିବାକୁ ଥିବା ବେଳେ ଫ୍ଲାଗମାର୍ଚ୍ଚ ସମୟରେ ବିଭିନ୍ନ ସନ୍ଦେହଜନକ ସ୍ଥାନ ଉପରେ ଚଢାଉ କରାଯିବ ବୋଲି ସୂଚନା ମିଳିଛି। ଇତିମଧ୍ୟରେ ପୁଲିସ ପକ୍ଷରୁ ଅଞ୍ଚଳର ପେଷାଦାର ଅପରାଧିଙ୍କ ସମ୍ପର୍କରେ ଏକ ଲମ୍ବା ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ୱାରେଣ୍ଟି ଗିରଫ ଅଭିଯାନ ଓ ଅବକାରି ଚଢାଉକୁ ଜୋରଦାର କରାଯାଇଛି। ନିର୍ବାଚନ ସମୟରେ ଅଭ୍ୟାସଗତ ଅପରାଧିଙ୍କୁ ଦେଖିବାମାତ୍ରେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.