ପିପିଲି ନୀଳକଣ୍ଠନଗର ଓ ଠଣଠଣା ମୌଜା କଣ୍ଟେନମେଣ୍ଟ ଜୋନ୍‍ ଘୋଷିତ

ପିପିଲି: ପିପିଲି ପୌରାଞ୍ଚଳର ଜଣେ ୨୮ ବର୍ଷିୟ ଯୁବକଙ୍କ ଠାରେ କରୋନା ପଜେଟିଭ୍‍ ଚିହ୍ନଟ ହେବା ପରେ ୧୩ନଂ ୱାର୍ଡର ନୀଳକଣ୍ଠନଗର (ଫେଜ୍‍-୦୧) ଅଞ୍ଚଳକୁ ଜିଲାପାଳ ବଲୱନ୍ତ ସିଂ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରିଛନ୍ତି। ୯ତାରିଖ ସକାଳ ୭ଟା ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇଛି। ଏହି ଅବଧି ମଧ୍ୟରେ ଏହି ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ଲୋକେ ବାହାରକୁ ଏବଂ ବାହାର ଅଞ୍ଚଳର ଲୋକଙ୍କୁ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ ସଂପୂର୍ଣ୍ଣ ଭାବେ ନିଷେଦ୍ଧ କରାଯାଇଛି।

ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ସମସ୍ତ ଅଧିବାସୀ ଘର ମଧ୍ୟରେ ରହିବେ ଓ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହ ସେହି ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ଚିକିତ୍ସା ସୁବିଧାକୁ ସୁବନ୍ଦୋବସ୍ତ କରିବା ନିମନ୍ତେ ପିପିଲି ଏନ୍‍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାଇ ଗଠିତ ଟିମ୍‍ ଦ୍ୱାରା ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପୂର୍ବରୁ ଗତକାଲି ଠାରୁ ଉକ୍ତ ଅଞ୍ଚଳର ମୁଖ୍ୟ ପ୍ରବେଶ ପଥ ସମେତ ଅନ୍ୟ ୨ଟି ରାସ୍ତାକୁ ପୌର ପ୍ରଶାସନ ପକ୍ଷରୁ ସିଲ୍‍ କରାଯିବା ସହ ସଂପୂର୍ଣ୍ଣ ଅଞ୍ଚଳକୁ ନିଷେଧାଞ୍ଚଳ ଭାବେ ଘୋଷଣା କରାଯାଇଥିଲା।

ସେହିପରି ପିପିଲି ବ୍ଲକ ଦୁର୍ଗାଦାଶପୁର ପଞ୍ଚାୟତର ଜଣେ ୨୭ବର୍ଷୀୟ ଯୁବକଙ୍କ ଠାରେ କରୋନା ପଜେଟିଭ୍‍ ଚିହ୍ନଟ ହେବା ପରେ ଠଣଠଣା ମୌଜାର ସମସ୍ତ ୩ଟିଯାକ ଗ୍ରାମକୁ ସିଲ୍‍ କରାଯାଇ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ୧୦ଟା ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ ସଂପୂର୍ଣ୍ଣ ଆବଦ୍ଧ ଅଞ୍ଚଳ ଘୋଷଣା କରିଛନ୍ତି ସରପଞ୍ଚ ବାସନ୍ତୀ ବେହେରା।
ସୂଚନା ଅନୁଯାଇ, ଉକ୍ତ ଅଞ୍ଚଳର ଜଣେ ୨୭ବର୍ଷୀୟ ଯୁବକ ଆପେଣ୍ଡିସାଇଟିସ ଅସ୍ତ୍ରୋପଚାର ପାଇଁ ସାକ୍ଷୀଗୋପାଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅପରେସନ ପୂର୍ବରୁ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା ସହ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା। ସ୍ୱାବ ଟେଷ୍ଟ ରିପୋର୍ଟ ପଜେଟିଭ୍‍ ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ କୋଭିଡ ହସପିଟାଲ୍‍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Comments are closed.