ଜବାହର ବିଦ୍ୟାପୀଠ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

ପିପିଲି:କୋଭିଡ୍‍ କଟକଣା ମଧ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମୋଟ୍‍ ୧୦୦ ଦିନର ପାଠପଢା ନିମନ୍ତେ ଶୁକ୍ରବାର ଠାରୁ ସ୍କୁଲ ଖୋଲିଛି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‍ ଆନନ୍ଦ ପ୍ରକାଶ ପାଇଥିବା ବେଳେ କୋଭିଡ୍‍ କଟକଣା ପାଳନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢାର ସ୍ଥିତି ପରଖିବାକୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ପିପିଲି ପୌରାଞ୍ଚଳର ଜବାହର ବିଦ୍ୟାପୀଠକୁ ପରିଦର୍ଶନ କରିଥିଲେ ।

 

ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଦାଶ ଜବାହର ବିଦ୍ୟାପୀଠକୁ ଅଚାନକ ପରିଦର୍ଶନ କରିଥିଲେ । ସେଠାରେ ୩ଟି ଶ୍ରେଣୀଗୃହ ମଧ୍ୟରେ ୮୦ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ମନ୍ତ୍ରୀ ସେମାନଙ୍କ ସହ ଅନ୍‍ଲାଇନ ଶିକ୍ଷାଦାନ ଓ କୋଭିଡ୍‍ ଗାଇଡଲାଇନ ପାଳନ ଆଦି ସଂପର୍କରେ ଆଲୋଚନା କରିଥିଲେ । ଦୀର୍ଘଦିନ ପରେ ବିଦ୍ୟାଳୟ ଖୋଲିଥିବାରୁ ବେଶ୍‍ ଆନନ୍ଦିତ ଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଶ୍ରୀ ଦାଶଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଶ୍ରେଣୀଗୃହ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ୍‍ ଗାଇଡ୍‍ଲାଇନ ପାଳନକୁ ମନ୍ତ୍ରୀ ଅନୁଧ୍ୟାନ କରିବା ସହ ସେ ସଂପର୍କରେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟ ପକ୍ଷରୁ ପାଳନ କରାଯାଉଥିବା ସମସ୍ତ କୋଭିଡ୍‍ କଟକଣା ବ୍ୟବସ୍ଥାକୁ ମନ୍ତ୍ରୀ ଶ୍ରୀଦାଶ ପ୍ରଶଂସା କରିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୀତବାସ ସେଠୀ ଉପସ୍ଥିତ ଥିଲେ।

Comments are closed.