ଶ୍ରୀଗୋପୀନାଥ ଦେବଙ୍କ ପ୍ରସିଦ୍ଧ ଚମ୍ପକଦ୍ୱାଦଶୀ ପର୍ବ ବିନାଭକ୍ତରେ ସମ୍ପନ୍ନ

କୋଭିଡ୍‍ କଟକଣା ଯୋଗୁଁ କାଠଚକ୍ର ବାଣ ପ୍ରଦର୍ଶନ ନୋହିଲା

ପିପିଲି :ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଶ୍ରୀଗୋପୀନାଥ ଦେବଙ୍କ ପ୍ରସିଦ୍ଧ ରୁକ୍ମିଣୀ ବିବାହ ଓ ଚମ୍ପକଦ୍ୱାଦଶୀ ପର୍ବ ଚଳିତ ବର୍ଷ ବୈଦିକ ରିତିନୀତି ଅନୁଯାଇ ବିନାଭକ୍ତରେ ସଂପନ୍ନ ହୋଇଛି। କୋଭିଡ୍‍ କଟକଣା ଯୋଗୁଁ ଚଳିତ ବର୍ଷ ପାରମ୍ପରିକ କାଠଚକ୍ର ବାଣ ପ୍ରଦର୍ଶନ ବନ୍ଦ କରାଯାଇଛି।
ପରମ୍ପରା ଅନୁଯାଇ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ତଥା ସୋମବାର ରାତିରେ ପ୍ରଭୁ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ପରିସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ଉତ୍ସବ ବିନାଭକ୍ତରେ କୋଭିଡ୍‍ କଟକଣା ମଧ୍ୟରେ ସଂପନ୍ନ ହୋଇଥିଲା। ମନ୍ଦିରର ଜୟ ବିଜୟ ଦ୍ୱାର ନିକଟରେ ମଦନମୋହନ ବିଜେ କରିବା ପରେ ରୁକ୍ମିଣୀ ପଠାଇଥିବା ଚିଟାଉ ବିପ୍ର ବ୍ରାହ୍ମଣ ପ୍ରଦାନ କରିଥିଲେ। ସେଠାରେ ବଚନିକା ପାଠ ହୋଇଥିଲା। ପରେ ପରେ ମଦନମୋହନ ସେଠାରେ ପହଞ୍ôଚ ରୁକ୍ମିଣୀ ହରଣ କରିବାର ନିତି ସଂପନ୍ନ ହୋଇଥିଲା। ପରେ ବିବାହ ମଣ୍ଡପରେ ମହାପ୍ରଭୁ ଓ ରୁକ୍ମିଣୀଙ୍କୁ ନିଆଯାଇ ଶାସ୍ତ୍ରୀୟ ରିତିନୀତି ଅନୁଯାଇ ବିବାହ ସଂପନ୍ନ କରାଯାଇଥିଲା। ଚମ୍ପକଦ୍ୱାଦଶୀ ତିଥିରେ ମଙ୍ଗଳବାର ରାତିରେ ଏକ ସୁସଜ୍ଜିତ ବିମାନରେ ଜୟଗୋପାଳ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଶ୍ରୀନୀଳକଣ୍ଠେଶ୍ୱରଦେବ ଓ ଶ୍ରୀବାଲୁଙ୍କେଶ୍ୱରଦେବଙ୍କୁ ନିଆଯାଇ ବିନାଭକ୍ତରେ ନିରାଡମ୍ବର ଭାବେ ଗ୍ରାମ ପରିକ୍ରମା କରାଯାଇଥିଲା। ନିର୍ଦ୍ଧିଷ୍ଟ କେତେକ ସ୍ଥାନରେ ଠାକୁର ମାନଙ୍କୁ ଦ୍ୱାରିଭୋଗ ଅର୍ପଣ କରାଯିବା ପରେ ବିଳମ୍ବିତ ରାତ୍ରୀରେ ଠାକୁର ମାନଙ୍କୁ ଗ୍ରାମର ବାଣମରା ଛକ (ଦଣ୍ଡାମୁଣ୍ଡ ଛକ) ଠାରେ ଖୁଣ୍ଟି ଲାଗି କରାଯାଇଥିଲା ଓ ପରେ ମନ୍ଦିରକୁ ଅଣାଯାଇଥିଲା।

ତ୍ରୟୋଦଶୀ ତିଥିରେ ଠାକୁର ମାନଙ୍କ ସମ୍ମୁଖରେ ପାରମ୍ପରିକ କାଠଚକ୍ର ବାଣ ପ୍ରଦର୍ଶନ କରାଯିବାର ପରମ୍ପରା ରହି ଆସିଥିବା ବେଳେ ଚଳିତ ବର୍ଷ ଏହା ବନ୍ଦ ରହିଛି। ଏଠାରେ ସୂଚନା ଥାଉକି, ଦାଣ୍ଡମୁକୁନ୍ଦପୁର ଗ୍ରାମର ଏହି ପୁରାଣ ପ୍ରସିଦ୍ଧ ମନ୍ଦିରକୁ ଓଡିଶାର ଶେଷ ସ୍ୱାଧିନ ନରପତି ମୁକୁନ୍ଦଦେବ ହରିଚନ୍ଦନ ୧୫୬୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ ଆରମ୍ଭ କରିଥିଲେ। ମାତ୍ର ୧୫୬୮ରେ ଗୋହିରାଟିକିରି ଯୁଦ୍ଧକ୍ଷେତ୍ରରେ ତାଙ୍କର ମୃତ୍ୟୁ ପରେ ରାଣୀ ନାଟମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କରିଥିବା ଜଣାଯାଏ। ୧୫୬୬ରୁ ୧୫୭୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏଠାରେ ଚମ୍ପକଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ଆରମ୍ଭ ହୋଇ ଅଦ୍ୟାବଧି ପାଳିତ ହୋଇଆସୁଛିି।

Comments are closed.