ଡାକ୍ତରଙ୍କ ଡେପୁଟେସନ ବାତିଲ ଘଟଣାକୁ ବିରୋଧ, ମଙ୍ଗଳପୁର ଡାକ୍ତରଖାନା ସମ୍ମୁଖରେ ଅଢେଇ ଘଣ୍ଟା ଧାରଣା

ପିପିଲି:ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତିନିଦିନିଆ ଡେପୁଟେସନରେ ଆସିଥିବା ଜଣେ ଡାକ୍ତରଙ୍କ ଡେପୁଟେସନକୁ ବାତିଲ କରାଯିବା ଘଟଣାକୁ ନେଇ ବୁଧବାର ଡାକ୍ତରଖାନା ସମ୍ମୁଖରେ ଅଢେଇ ଘଣ୍ଟା କାଳ ଧାରଣା ଦିଆଯାଇଥିଲା। ତେବେ, ଉକ୍ତ ଡାକ୍ତରଙ୍କୁ ପୁନର୍ବାର ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବଭଳି ୩ଦିନ ରୋଗୀସେବା କରିବାକୁ ସାନି ନିର୍ଦେଶ ଦିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସୂଚନା ଅନୁଯାଇ, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ଅଞ୍ଚଳରେ ବହୁ ଲୋକେ ନିର୍ଭର କରୁଛନ୍ତି। କମାକନ୍ତିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଜ୍ଞାନ ସିଦ୍ଧାର୍ଥଙ୍କୁ ଏହି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୱାର୍କ ମ୍ୟାନେଜମେଣ୍ଟ ଭାବେ ସପ୍ତାହର ସୋମ, ବୁଧ ଓ ଶୁକ୍ରବାର କାର୍ଯ୍ୟ କରିବା ତଥା ରୋଗୀଙ୍କ ଚିକିତ୍ସା କରିବାକୁ ଗତ ୨୦୨୦ ମସିହା ମେ ୭ ତାରିଖ ଦିନ ନିର୍ଦେଶ ମିଳିବା ପରେ ସେ ସେହି ଦିନ ଠାରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀସେବା କରୁଥିଲେ। ତେବେ ଗତ ଅପ୍ରେଲ ୧୯ ତାରିଖ ଦିନ ଡାକ୍ତର ପ୍ରଜ୍ଞାନଙ୍କୁ ତାଙ୍କ ମୂଳସ୍ଥାନ ତଥା କମାକନ୍ତିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରିବାକୁ ସାନି ନିର୍ଦେଶ ଦିଆଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ, ପୁରୀ ସିଡିଏମ୍‍ଓ ଦେଇଥିବା ପୂର୍ବ ଆଦେଶକୁ କାଏମ ରଖି ଡାକ୍ତର ପ୍ରଜ୍ଞାନଙ୍କୁ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବଭଳି ୩ଦିନ ରୋଗୀସେବା କରିବାକୁ ଲୋକେ ଦାବି କରିଥିଲେ। ଏ ସଂପର୍କରେ ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

 

କୌଣସି ସୁଫଳ ନମିଳିବାରୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁରକ୍ଷା ସମିତିର ଅଧ୍ୟକ୍ଷ ସଦାଶିବ ଦାଶ, ପିପିଲି ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ପିପିଲି ବ୍ଲକ କଂଗ୍ରେସ କମିଟି ସଭାପତି ଜିତୁପ୍ରକାଶ ପରିଡା, ଯୁବନେତା ପ୍ରୀୟବ୍ରତ ସାମନ୍ତରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଅଞ୍ଚଳର ନେତୃ ସ୍ଥାନୀୟ ବ୍ୟକ୍ତିମାନେ ଆଜି ପୂର୍ବାହ୍ନ ୧୦ଟାରୁ ଉକ୍ତ ଡାକ୍ତରଖାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ପିପିଲି ବିଡିଓ ରଶ୍ମିତା ନାଥ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ଏ ସଂପର୍କରେ ଜିଲାର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଡାକ୍ତର ପ୍ରଜ୍ଞାନଙ୍କୁ ପୂର୍ବଭଳି ୩ଦିନ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀସେବା କରିବାକୁ ପୁରୀ ସିଡିଏମ୍‍ଓ ଚିଠି ସଂଖ୍ୟା- ୩୭୭୦ରେ ସାନି ନିର୍ଦେଶ ଦେବା ପରେ ସାଢେ ୧୨ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Comments are closed.