ବିପଦ ମୁହାଁ ପିପିଲି, ୨୨ କରୋନା ସଂକ୍ରମିତ

ପିପିଲି:କରୋନାର ଦ୍ୱିତୀୟ ଲହରୀକୁ ନେଇ ସମଗ୍ର ଦେଶରେ ଆତଙ୍କ ଖେଳି ଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାର ପଦକ୍ଷେପ ସତ୍ତେ୍ୱ ପିପିଲି ଉପନିର୍ବାଚନ ପ୍ରଚାର ସମୟରେ କରୋନା କଟକଣାକୁ ଉଲଂଘନ କରାଯିବା ଏବେ ପିପିଲି ପାଇଁ କାଳ ହେବାକୁ ଯାଉଛି । ପିପିଲି ଏବେ ବିପଦ ଆଡକୁ ମୁହାଁଇଛି। ଇତି ମଧ୍ୟରେ ପିପିଲି ଅଞ୍ଚଳରେ ୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସ୍ୱାସ୍ଥ୍ୟବିଭାଗ, ପ୍ରଶାସନ ସମେତ ଅଞ୍ଚଳବାସୀଙ୍କ ଚିନ୍ତା ବଢାଇ ଦେଇଛି। ଗତ କିଛିଦିନ ମଧ୍ୟରେ ପିପିଲି ଏନ୍‍ଏସି ଓ ପିପିଲି ବ୍ଲକ ଅଞ୍ଚଳରୁ ମୋଟ୍‍ ୨୨ଜଣ କରୋନା ପଜେଟିଭ୍‍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତ ୪ ତାରିଖରୁ ୧୪ତାରିଖ ମଧ୍ୟରେ ୧୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଣ୍ଟି, ବୀରପୁରୁଷୋତ୍ତମପୁର, ଦାଣ୍ଡମୁକୁନ୍ଦପୁର, ହାଟସାହି, ଗୋବିନ୍ଦପୁର, କୁଳଶିଖରପାଟଣା, ଜଗନ୍ନାଥପୁର, ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ସମେତ ପିପିଲି ଏନ୍‍ଏସି ଅଞ୍ଚଳରୁ ଏହି ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ପିପିଲି ଉପନିର୍ବାଚନ ମଇଦାନରେ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ସରଗରମ ପ୍ରଚାର କରାଯାଇଥିଲା। ଶୋଭାଯାତ୍ରା, ସମାବେଶ, ପଦଯାତ୍ରା ମାଧ୍ୟମରେ ନେତାମାନେ ଭୋଟ୍‍ ପ୍ରଚାରରେ ମାତିଥିଲେ। ପ୍ରମୁଖ ରାଜନୈତିକ ଦଳ ଗୁଡିକ ବିଜୟ ସମ୍ଭାବନାରେ ଉଲ୍ଲସିତ ହୋଇ କୋଭିଡ୍‍ କଟକଣାକୁ ସଂପୂର୍ଣ୍ଣ ଭାବେ ଉଲଂଘନ କରିବା ଓ ପ୍ରଶାସନ ଏଦିଗରେ ସଂପୂର୍ଣ୍ଣ ନିରବଦ୍ରଷ୍ଟା ପାଲଟିବା ଘଟଣା ପିପିଲିକୁ ବିପଦ ଆଡକୁ ଟାଣି ନେଇଛି। ବିଭିନ୍ନ ସ୍ଥାନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ ସମାବେଶ ଓ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଲୋକେ ଯୋଗ ଦେଇଥିବା ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ବଜାୟ ରଖିବାକୁ ସମସ୍ତେ ଭୁଲି ଯାଇଥିଲେ। ପିପିଲି ଉପନିର୍ବାଚନ ନିମନ୍ତେ କରୋନ କଟକଣା ନେଇ ଏସଆର୍‍ସିଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି ହୋଇଥିଲେ ମଧ୍ୟ ତାହା ଏଠାରେ ମୂଲ୍ୟହିନ ହୋଇପଡିଥିଲା। ରାଜ୍ୟର ପ୍ରତ୍ୟେକ ଅଞ୍ଚଳରୁ ବିଭିନ୍ନ ରାଜନୈତିକ ଦଳର ନେତା, ନେତ୍ରୀ, କର୍ମକର୍ତ୍ତା ଓ ସଂଗଠକମାନେ ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଡେରା ପକାଇଥିଲେ। ୨ହଜାରରୁ ଉର୍ଦ୍ଧ ନେତା, ନେତ୍ରୀ, ସଂଗଠକମାନେ ପ୍ରତିଦିନ ନିର୍ବାଚନମଣ୍ଡଳୀରେ ଭୋଟ୍‍ ପ୍ରଚାର କାର୍ଯ୍ୟରେ ଲାଗିଥିଲେ। ଅଞ୍ଚଳର ସମସ୍ତ ମଣ୍ଡପ, କ୍ଲବ ଘର ମାନଙ୍କରେ ନେତାମାନେ ରହିଥିବା ବେଳେ ଗାଁ ଗଣ୍ଡାରେ ମଧ୍ୟ ଭଡାଘରେ ଓ କର୍ମୀଙ୍କ ଘରେ ନେତା, ମହିଳାନେତ୍ରୀ ମାନେ ରହି ଭୋଟ୍‍ ପ୍ରଚାର ଚଳାଇଥିଲେ। ଦିନରାତି ବିଭିନ୍ନ ସ୍ଥାନରେ ଶତାଧିକ ଲୋକଙ୍କୁ ଏକତ୍ରିତ କରି ସଭାସମିତି କରାଯାଇଥିଲା। ସଭା ମାନଙ୍କରେ ସାମାଜିକ ଦୂରତା ରହୁନଥିଲା କିମ୍ବା ସାନିଟାଇଜ ବ୍ୟବସ୍ଥା ନଥିଲା। ପ୍ରତି ଗାଁରେ ଭୋଜି ଭାତର ଆସର ମଧ୍ୟ ଜମିଥିଲା। ଭୁବନେଶ୍ୱରରେ କରୋନା ସଂକ୍ରମଣ ଉପରମୁହାଁ ହେଉଥିବା ବେଳେ ଏହାର ଉପକଣ୍ଠ ପିପିଲି ଉପନିର୍ବାଚନ ପ୍ରଚାରକୁ ଆସିଥିବା ଶତାଧିକ ନେତାନେତ୍ରୀମାନେ ଦୈନିକ ରାତିରେ ରାଜଧାନୀ ଫେରିଯାଇ ପୁନର୍ବାର ସକାଳୁ ପିପିଲିକୁ ପ୍ରଚାରକୁ ଆସୁଥିଲେ।

ଇତି ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଙ୍କର କରୋନା ସଂକ୍ରମଣରେ ପରଲୋକ ଘଟଣା ଅଞ୍ଚଳବାସୀଙ୍କ ଚିନ୍ତା ବଢାଇ ଦେଇଛି। କରୋନା ସଂକ୍ରମଣର ସମ୍ଭାବନାକୁ ନେଇ ଉଭୟ ନେତା ଓ ଜନତା ଏବେ ଛାନିଆ। ନିର୍ବାଚନ ପ୍ରଚାର ସମୟରେ କରୋନା କଟକଣା ପ୍ରତି ନେତା, କର୍ମୀ, ଜନତା ଓ ପ୍ରଶାସନର ଅଣଦେଖା ଆଗାମୀ ଦିନରେ ପିପିଲିକୁ ଏକ ଭୟଙ୍କର ବିପଦ ଆଡକୁ ଟାଣି ନେଉଛି ଏକଥାକୁ ଅସ୍ୱିକାର କରାଯାଇ ନପାରେ। ଏବେ ଗାଁ ଗଣ୍ଡାରେ କାଶ, ଜ୍ୱର ଆଦି ବ୍ୟାପୁଥିବା ବେଳେ ଅନେକ ଲୋକ ଭୟରେ ନିଜର କୋଭିଡ୍‍ ପରୀକ୍ଷା କରୁନଥିବା ସୂଚନା ମିଳିଛି। ତେଣୁ ପିପିଲି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ଥିବାର ଆଶଙ୍କା ଅମୂଳକ ନୁହେଁ ବୋଲି ଆଶଙ୍କା କରାଯାଉଥିବା ବେଳେ ଦୈନିକ କୋଭିଡ ପରୀକ୍ଷା ଚାଲିଥିବା ଓ ସଂକ୍ରମିତ ସଂଖ୍ୟା ଦୃତ ଭାବେ ବଢିବାର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.