ଜନଜାତି ଯୁବକ ଓ ଗ୍ରାମୀଣ ମହିଳାଙ୍କ ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରଶିକ୍ଷଣ ଶିବିର

ପିପିଲି: କୌଶଲ୍ୟାଗଙ୍ଗ ସ୍ଥିତ ଖୋର୍ଦ୍ଧା ଜିଲା କୃଷି ବିଜ୍ଞାନ କେନ୍ଦ୍ର (କେ.ଭି.କେ.) ଠାରେ ଜନଜାତି ଯୁବକ ଓ ଗ୍ରାମୀଣ ମହିଳାଙ୍କ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ‘କୃଷି ଯନ୍ତ୍ରପାତି ବ୍ୟବହାର’ ଓ ‘ମହୁଚାଷ ମାଧ୍ୟମରେ ଗ୍ରାମୀଣ ଆୟ ସୃଷ୍ଟି’ ଶୀର୍ଷକ ୨ଟି ପାଞ୍ଚଦିନିଆ କୌଶଳ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ଉଦ୍ଘାଟିତ ହୋଇଯାଇଛି । ଏହାକୁ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡ.ସ୍ୱାଇଁ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ସିଫା ପକ୍ଷରୁ ସମସ୍ତ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯିବ ବୋଲି କହିବା ସହ କୃଷକମାନଙ୍କୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରୁଥିବା ଖୋର୍ଦ୍ଧା କେଭିକେ ର ପ୍ରଶଂସା କରିଥିଲେ।

 

ଏହି ପ୍ରଶିକ୍ଷଣ ଶିବିର ଦ୍ୱାରା ଗ୍ରାମୀଣ ମହିଳା ଓ ଯୁବକମାନଙ୍କର ସାମର୍ଥ୍ୟ ବିକାଶ ହେବା ସହ ସେମାନେ ଅଧିକ ଆତ୍ମନିର୍ଭରଶୀଳ ହେବେ ଓ ଏହା ଗ୍ରାମୀଣ ଜୀବିକା ନିର୍ବାହକୁ ଅଧିକ ଦୃଢ଼ କରିବ ବୋଲି କେଭିକେ ଖୋର୍ଦ୍ଧାର ମୁଖ୍ୟ ଅଧିକାରୀ ଡଃ ଏସ୍.ଏସ୍. ଗିରି ପ୍ରକାଶ କରିଥିଲେ। ୨୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ବିଷୟବସ୍ତୁ ବିଶେଷଜ୍ଞ ଏସ୍. ଏସ୍. ସିଂ ଓ ସୁକାନ୍ତୀ ବେହେରା ସଂଯୋଜନା କରିଥିଲେ।

Comments are closed.