ରାଜପଥ ଲୁଟେରା ନେଲେ ପିପିଲି ଏନ୍‍ଏସି ମହିଳା କର୍ମଚାରୀଙ୍କ ଜୀବନ

ଅପରାଧିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ହେବ-ଏସ୍‍ପି

ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଦିନକୁ ଦିନ ରାହାଜାନୀ ଘଟଣା ବୃଦ୍ଧି ପାଉଥିବା ବେଳେ ଲୁଟେରାଙ୍କ ଆତଙ୍କ ଯୋଗୁଁ ସାଧାରଣ ଲୋକେ ଏବେ ଏହି ରାଜପଥ ଦେଇ ଏକୁଟିଆ ଯାତାୟତ କରିବାକୁ ନିରାପଦ ମଣୁନଥିବା ଅଭିଯୋଗ ହୋଇଛି । ଏହି ରାଜପଥ ରାହାଜାନୀରେ ବୁଧବାର ଶିକାର ହୋଇ  ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ପିପିଲି ଏନ୍‍ଏସି କାର୍ଯ୍ୟାଳୟର ମହିଳା କର୍ମଚାରୀ ମନସ୍ୱିନୀ ମହାନ୍ତି (୪୨)ଙ୍କର ଆଜି ଦୁଃଖଦ ମୃତ୍ୟୁ ଘଟିଛି । ଏହାକୁ ନେଇ ସମଗ୍ର ପିପିଲି ପୌରାଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଜିଲାରେ ଅପରାଧ ଘଟାଉଥିବା ବ୍ୟକ୍ତିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଏସ୍‍ପି ଅଖିଳେଶ୍ୱର ସିଂହ ପ୍ରକାଶ କରିଛନ୍ତି । ଏହି ଘଟଣା ସଂପର୍କରେ ଚନ୍ଦନପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ଓ ଅପରାଧିଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଏସ୍‍ପି ସୂଚନା ଦେଇଛନ୍ତି ।
ପିପିଲି ଏନ୍‍ଏସି କାର୍ଯ୍ୟାଳୟରେ କମ୍ୟୁନିଟି ଅର୍ଗାନାଇଜର ପଦବୀରେ ଥିବା ମହିଳା କର୍ମଚାରୀ ମନସ୍ୱିନୀ ମହାନ୍ତି (୪୨) ଗତ ବୁଧବାର ଅଫିସ ଡ୍ୟୁଟି ସାରି ନିଜର ଜଣେ ସହକର୍ମୀଙ୍କ ବାଇକ୍‍ ପଛରେ ବସି ପୁରୀ ସ୍ଥିତ ବାସଭବନକୁ ଫେରୁଥିବା ବେଳେ ଲୁଟେରାଙ୍କ ଶିକାର ହୋଇଥିଲେ । ସଂନ୍ଧ୍ୟା ସାଢେ ୬ଟା ସମୟରେ ଚନ୍ଦନପୁର ଥାନା ଅନ୍ତର୍ଗତ ସମଯାଜପୁର ବ୍ରିଜ୍‍ ନିକଟରେ ଦୁଇଜଣ ଲୁଟେରା ଏକ କଳା ରଙ୍ଗର ପଲ୍ସରରେ ଦୃତଗତିରେ ମନସ୍ୱିନୀ ବସିଥିବା ବାଇକ୍‍ର ବାମପାଶ୍ୱର୍କୁ ଆସିଥିଲେ । ମନସ୍ୱିନୀ ଧରିଥିବା ଭ୍ୟାନିଟି ବ୍ୟାଗ୍‍କୁ ଲୁଟେରା ଅତର୍କିତ ଭାବେ ଭିଡିନେବା ବେଳେ ବ୍ୟାଗ୍‍ ସହ ଭିଡି ହୋଇ ମନସ୍ୱିନୀ ରାସ୍ତା ଉପରେ କଚାଡି ହୋଇ ପଡିଥିଲେ । ସେ ପଡିଯିବାର ଦେଖି ଲୁଟେରା ଦ୍ୱୟ ସେଠାରୁ ଦୃତଗତିରେ ପୁରୀ ଅଭିମୁଖେ ପଳାଇଥିଲେ । ଏଥିରେ ମନସ୍ୱିନୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଚନ୍ଦନପୁର ଡାକ୍ତରଖାନା ଓ ପରେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ଗୁରୁତର ହେବାରୁ ସେଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ସରକାରୀ ଡାକ୍ତରଖାନା ଓ ପରେ ଏକ ଘରୋଇ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର୍‍ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ଶେଷଦର୍ଶନ ପାଇଁ ଅପରାହ୍ନରେ ପିପିଲି ଏନ୍‍ଏସି କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏନ୍‍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ପିପିଲିର ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା, ପୂର୍ବତନ ନଗରପାଳ ସେକ୍‍ ବାବୁ, ପୂର୍ବତନ କାଉନସିଲର ସେକ ସଫିଉଲ୍ଲା, ହେଡ୍‍ କ୍ଲର୍କ ଅଶୋକ ଦାଶ, ଅଜୟ ଶତପଥିଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ମୃତା ମନସ୍ୱିନୀଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେ ଜଣେ ମିଷ୍ଟଭାଷୀ, ମେଳାପି ଓ କର୍ମବୀରା ମହିଳା ତଥା କର୍ମ ସହଯୋଗୀ କର୍ମଚାରୀ ଥିଲେ । ତାଙ୍କ ପରଲୋକରେ ସମଗ୍ର ପୌରାଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଲୁଟେରାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି । ସଂନ୍ଧ୍ୟାରେ ତାଙ୍କ ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଅନ୍ତେଷ୍ଟି କ୍ରୀୟା ପାଇଁ ଏନ୍‍ଏସି ପକ୍ଷରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତେବେ ଏହି ଘଟଣା ସଂପର୍କରେ ପିପିଲି ଏନ୍‍ଏସିର କର୍ମଚାରୀ ଜଗନ୍ନାଥ ସାବତ ଚନ୍ଦନପୁର ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଅପରାଧିଙ୍କୁ ଧରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି ।

Comments are closed.