ବଳଙ୍ଗା ଶମ୍ଭୁଭାରତୀପାଟଣା ଡକାୟତି ଘଟଣା : ଗ୍ୟାଙ୍ଗ ଲିଡର ସମେତ ସୁନା ବ୍ୟବସାୟୀ ଗିରଫ

ପିପିଲି : ବଳଙ୍ଗା ଥାନା ଅଞ୍ଚଳରେ ଘଟିଥିବା ୩ଟି ବହୁଚର୍ଚ୍ଚିତ ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ ପୁଲିସକୁ ସଫଳତା ମିଳିଛି। ୩ଟିଯାକ ଡକାୟତି ମାମଲାରେ ସଂପୃକ୍ତ ଥିବା ଏକ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କ ସମେତ ଜଣେ ସୁନା ବ୍ୟବସାୟୀଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣା ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ରହୁଥିବା ପୁରୀ ସଦରଥାନା ଗୋପୀନାଥପାଟଣା ଅଞ୍ଚଳର ସଞ୍ଜୟ ସାମନ୍ତରାୟ (୪୭), ବଳଙ୍ଗା ଥାନା ଅନ୍ତର୍ଗତ ଘୋଡକା ଗ୍ରାମର ରଞ୍ଜିତ କେଶରୀ ସ୍ୱାଇଁ ଓରଫ ନିରୁ (୩୫) ଓ କେତକିପାଟଣା ଗ୍ରାମର ସୁନା ବ୍ୟବସାୟୀ ଦୀନବନ୍ଧୁ ସାହୁ (୪୮) ଓରଫ ଦିନା। ଅଭିଯୁକ୍ତଙ୍କ ଠାରୁ ୩ଶହ ଗ୍ରାମ ଓଜନର ସୁନା ଅଳଙ୍କାର, ୩.୩କେଜି ଓଜନର ରୂପା ଅଳଙ୍କାର, ସୁନା ପାଣିଦିଆ ବ୍ରୋଞ୍ଜ ଚୁଡି, ୪ହଜାର ୫ଶହ ଟଙ୍କା, ୨ଟି ମୋବାଇଲ ଫୋନ, ଚୋରୀ ହୋଇଥିବା ଏକ ପ୍ଲାଟିନା ବାଇକ୍‍, ଡକାୟତିରେ ବ୍ୟବହୃତ ଗୋଟିଏ ବୋଲେରୋ ଗାଡି, ଗୋଟିଏ ପଲ୍ସର ବାଇକ୍‍, ୨ଟି ଶାବଳ, ୨ଟି କଟୁରୀ ଓ ଗୋଟିଏ ଛୁରିକୁ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କୁ ଆଜି ସଂନ୍ଧ୍ୟାରେ କଡା ସୁରକ୍ଷା ମଧ୍ୟରେ ନିମାପଡା କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି।
ଅଭିଯୁକ୍ତ ସଞ୍ଜୟ ସାମନ୍ତରାୟ ନାମରେ ବିଭିନ୍ନ ଥାନାରେ ୪୦ରୁ ଉର୍ଦ୍ଧ ମାମଲା ରହିଥିବା ସଂପର୍କରେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୦୧୬ ମସିହାରେ ପିପିଲି ଥାନା ଅଞ୍ଚଳର ଘଟିଥିବା ୪ଟି ଡକାୟତି ମାମଲାରେ ସେ ସଂପୃକ୍ତ ଥିବା ବେଳେ ପିପିଲି ପୁଲିସ ଦ୍ୱାରା ଗିରଫ ହୋଇ ଜେଲ୍‍ରେ ଥିଲା। ଜେଲ୍‍ରେ ଥିବା ଅନ୍ୟ ଅପରାଧିଙ୍କ ସହ ମିଶି ସେ ଏକ ବଡ ଡକାୟତି ଗ୍ୟାଙ୍ଗ ସୃଷ୍ଟି କରିଥିଲା। ଅନ୍ୟ ଅଭିଯୁକ୍ତ ରଞ୍ଜିତ ନାମରେ ନିମାପଡା ଥାନାରେ ଏକ ପୋକ୍ସୋ ମାମଲା ଥିବା ସୂଚନା ମିଳିଛି। ପୁରୀ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ଥାନା ସମେତ ଅନ୍ୟ କେଉଁ ଥାନା ଅଞ୍ଚଳରେ ଘଟିଥିବା ଅପରାଧ ମାମଲାରେ ଏମାନେ ସଂପୃକ୍ତି ଅଛନ୍ତି ସେ ନେଇ ପୁଲିସର ଅନୁସନ୍ଧାନ ଜାରି ରହିଥିବା ବେଳେ ଏହି ଗ୍ୟାଙ୍ଗର ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବା ସଂପର୍କରେ ଏସ୍‍ଡିପିଓ ସୂଚନା ଦେଇଛନ୍ତି।
ବଳଙ୍ଗା ଥାନା ଅନ୍ତର୍ଗତ ଶମ୍ଭୁଭାରତୀପାଟଣା ଗ୍ରାମର ସୁନା କାରିଗର ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କ ଘରୁ ଗତମାସ ୨୭ ତାରିଖ ରାତି ୨ଟା ସମୟରେ ଡକାୟତମାନେ ୫ଶହ ଗ୍ରାମ ସୁନା ଓ ୮କେଜି ଓଜନର ରୂପା ଅଳଙ୍କାର ସମେତ ନଗଦ ୪ଲକ୍ଷ ଟଙ୍କା, ଗୋଟିଏ ମୋବାଇଲ ଓ ବାଇକ୍‍କୁ ଲୁଟି ନେଇଥିଲେ। ସେହିପରି ଉଛୁପୁର ଗ୍ରାମର ବିଭୂତି ଭୂଷଣ ଦାଶଙ୍କ ଘରେ ଗତ ମାସ ୧୨ ତାରିଖରେ ଦୁର୍ବୁତ୍ତମାନେ ପଶି ୨ଶହ ଗ୍ରାମ ସୁନା ଅଳଙ୍କାର, ୩ହଜାର ୫ଶହ ଟଙ୍କା ଓ ୩ଟି ମୋବାଇଲ ଫୋନ୍‍କୁ ଲୁଟି ନେଇଥିଲେ। ଭାଣପୁର ଅଞ୍ଚଳର ଅକ୍ଷୟ କୁମାର ମିଶ୍ରଙ୍କ ଘରୁ ଜୁଲାଇ ୨୯ ତାରିଖ ରାତିରେ ଡକାୟତି ହୋଇଥିବା ବେଳେ ଡକାୟତମାନେ ୫୦ଗ୍ରାମ ସୁନା ଅଳଙ୍କାର, ୩ଟି ମୋବାଇଲ ଓ ୭ହଜାର ଟଙ୍କା ଲୁଟି ନେବାରେ ସକ୍ଷମ ହୋଇଥିଲେ। ବଳଙ୍ଗା ଅଞ୍ଚଳରେ ବାରମ୍ବାର ଡକାୟତି ଘଟଣା ଘଟିବା ଫଳରେ ସାଧାରଣ ଲୋକେ ଆତଙ୍କିତ ହୋଇ ପଡିଥିବା ବେଳେ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଅପରାଧିଙ୍କୁ ଧରିବା ପାଇଁ ପୁରୀ ଏସ୍‍ପି ଡ଼ଃ ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶରେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ବଳଙ୍ଗା ଥାନା ଓଆଇସି ସୁଶାନ୍ତ କୁମାର ସାହୁ, ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ ପ୍ରମୁଖଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍‍ ପୁରୀ ସ୍ପେଶାଲ ସ୍କ୍ୱାର୍ଡ ସହାୟତାରେ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଆନ୍ତଃଜିଲା ଡକାୟତ ଗୋଷ୍ଠିର ମୁଖ୍ୟ କୁହାଯାଉଥିବା ସଞ୍ଜୟ ସାମନ୍ତରାୟ ସମେତ ଅନ୍ୟ ସଦସ୍ୟ ରଞ୍ଜିତକୁ ଗିରଫ କରିବା ସହ ଶମ୍ଭୁଭାରତୀପାଟଣା ଗ୍ରାମରୁ ଡକାୟତି ହୋଇଥିବା ଅଳଙ୍କାରକୁ କିଣିଥିବା ସୁନା ବ୍ୟବସାୟୀ ଦୀନବନ୍ଧୁ ସାହୁକୁ ଗିରଫ କରିବାରେ ସଫଳ ହୋଇଥିଲେ। ଏହି ଗ୍ୟାଙ୍ଗର ଅନ୍ୟ ୫ଜଣ ପ୍ରମୁଖ ସଦସ୍ୟଙ୍କୁ ଗିରଫ କରିବା ସହ ଡକାୟତି ହୋଇଥିବା ସମସ୍ତ ଅଳଙ୍କାର ଓ ଟଙ୍କାକୁ ଜବତ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଏସ୍‍ଡିପିଓ ସୂଚନା ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବଳଙ୍ଗା ଥାନା ଓଆଇସି ସୁଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ।

Comments are closed.