ପୁଲିସ ଏଏସ୍‍ଆଇଙ୍କୁ ଆକ୍ରମଣ ଘଟଣାରେ ୩ଗିରଫ

ପିପିଲି:ପିପିଲି ଥାନାର ଏଏସ୍‍ଆଇ ସୁବାଷ ଚନ୍ଦ୍ର ବେହେରାଙ୍କୁ ଆକ୍ରମଣ କରିଥିବା ୩ଜଣ ଅଭିଯୁକ୍ତଙ୍କୁ ପିପିଲି ପୁଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ ଜିଲା ଗଣିଆ ଥାନା କାଳିକାପ୍ରସାଦ ଅଞ୍ଚଳର କୃଷ୍ଣଚନ୍ଦ୍ର ସ୍ୱାଇଁ ଓରଫ ମୁନା (୩୦), କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା କୁଅଁରପାଳ ଅଞ୍ଚଳର ନିର୍ମଳ ଲେଙ୍କା (୩୦) ଓ ଖୋର୍ଦ୍ଧା ଜିଲା ବୋଲଗଡ ଥାନା ହଳଦିପଦା ଅଞ୍ଚଳର ସଞ୍ଜୟ କୁମାର ସେଠୀ (୩୩)।

ସୂଚନା ଅନୁଯାୟୀ, ପିପିଲି ଥାନାର ଏଏସ୍‍ଆଇ ସୁବାଷ ଚନ୍ଦ୍ର ବେହେରା ରବିବାର ସଂନ୍ଧ୍ୟା ସାଢେ ୮ଟା ସମୟରେ ପିପିଲି ବାଇପାସ ରାସ୍ତାର ତରାକାଜ ଓଭରବ୍ରିଜ୍‍ ଛକ ଠାରେ ସାନ୍ଧ୍ୟ ପେଟ୍ରୋଲିଂ କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ। ୩ଜଣ ଅଜଣା ଯୁବକ ଏକ ବୋଲେରୋ ପିକ୍‍ଅଫ୍‍ ଭ୍ୟାନ୍‍ରେ ଆସି ଉକ୍ତ ତରାକାଜ ଓଭରବ୍ରିଜ୍‍ ଛକ ଠାରେ ଗାଡିକୁ ବେଆଇନ ଭାବେ ରାସ୍ତା ଉପରେ ପାର୍କିଂ କରିଥିଲେ। ଏଥିଯୋଗୁଁ ଜାତୀୟ ରାଜପଥରେ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇଥିଲା। ଉକ୍ତ ଗାଡିକୁ ସେଠାରୁ ରାସ୍ତା ପାଶ୍ୱର୍କୁ ହଟାଇବା ପାଇଁ ଏଏସ୍‍ଆଇ ଶ୍ରୀ ବେହେରା ସେମାନଙ୍କୁ କହିଥିଲେ।

ଏଥିରେ ଉତ୍‍କ୍ଷିପ୍ତ ହୋଇ ଉକ୍ତ ୩ଜଣ ଯୁବକ ଏଏସ୍‍ଆଇ ଶ୍ରୀ ବେହେରାଙ୍କୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଚ କରିବା ସହ ତାଙ୍କୁ ମୁଥ ମାରିଥିଲେ। ଏ ସଂପର୍କରେ ଶ୍ରୀବେହେରା ପିପିଲି ଥାନାକୁ ଜଣାଇବା ପରେ ଜାତୀୟ ରାଜପଥ ପୁଲିସ ପେଟ୍ରୋଲିଂ କର୍ମଚାରୀମାନେ ସେଠାରେ ପହଞ୍ôଚ ଉକ୍ତ ୩ଯୁବକଙ୍କୁ ଧରି ପିପିଲି ଥାନାରେ ଜିମା ଦେଇଥିଲେ। ଏଏସ୍‍ଆଇ ଶ୍ରୀବେହେରାଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ପୁଲିସରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିଲା।

Comments are closed.