ଚନ୍ଦ୍ରାଦେଇପୁରରେ ଥମୁନି ପିମ୍ପୁଡ଼ି ଆତଙ୍କ; କୃଷି ବୈଜ୍ଞାନିକଙ୍କ ଦ୍ୱାରା ପିମ୍ପୁଡିଙ୍କ ନମୁନା ସଂଗ୍ରହ

ପ୍ରଶାସନ ପକ୍ଷରୁ ତରଳ ରସାୟନିକ ଦ୍ରବଣ ସିଞ୍ଚନ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ଗ୍ରାମର ବ୍ରାହ୍ମଣ ସାହିରେ ଗତ ୨ମାସ ହେଲା ବିଷାକ୍ତ ନାଲି ପିମ୍ପୁଡିଙ୍କ ଆତଙ୍କ ଦେଖାଦେଇଛି। ଗ୍ରାମରେ ଜୁଆଡେ ଚାହିଁଲେ ପୁଳା ପୁଳା ନାଲି ପିମ୍ପୁଡି ଚାଲୁଥିବା ପରିଲକ୍ଷିତ ହୋଇଛି। ରାସ୍ତାଠାରୁ ଆରମ୍ଭ କରି ଘର ମଧ୍ୟରେ ଏହି ବିଷାକ୍ତ ନାଲି ପିମ୍ପୁଡି ଏବେ ଉପଦ୍ରବ କରୁଛନ୍ତି। ଏହି ପିମ୍ପୁଡି ମଣିଷଙ୍କୁ କାମୁଡୁ ନଥିବା ବେଳେ ଶରୀର ଉପରେ ଚଢି ଯାଉଛନ୍ତି। ଫଳରେ ପିମ୍ପୁଡିର ଲାଳରେ ମଣିଷର ଦେହରେ ଘାଆ ସୃଷ୍ଟି ହେଉଛି। ଏହାକୁ ନେଇ ଗ୍ରାମବାସୀମାନେ ଆତଙ୍କରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏହି ବିଷାକ୍ତ ପିମ୍ପୁଡିଙ୍କୁ ନିୟନ୍ତ୍ରଣ କରିବା ପାଇଁ ତରଳ ରସାୟନିକ ଦ୍ରବଣ ସିଞ୍ଚନ କରାଯାଇଛି। ଏକ କୃଷି ବୈଜ୍ଞାନିକ ଦଳ ସୋମବାର ଗ୍ରାମକୁ ଗସ୍ତ କରି ପିମ୍ପୁଡିଙ୍କ ସଂପର୍କରେ ଅନୁଧ୍ୟାନ କରିଥିଲେ। କିଛି ପିମ୍ପୁଡିଙ୍କୁ ସେମାନେ ସଂଗ୍ରହ କରି ପରୀକ୍ଷା ପାଇଁ ଲାବୋରେଟୋରୀକୁ ନେଇଥିବା ସୂଚନା ମିଳିଛି। ଏହା ସହିତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପିମ୍ପୁଡିଙ୍କ ଦ୍ୱାରା ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କ ଚିକିତ୍ସା କରାଯାଇଛି।

ସୂଚନା ଅନୁଯାୟୀ, ଗତ ୨ମାସ ଧରି ଚନ୍ଦ୍ରାଦେଇପୁର ବ୍ରାହ୍ମଣସାହିରେ ଏହି ନାଲି ପିମ୍ପୁଡିଙ୍କ ଆତଙ୍କ ଦେଖାଦେଇଛି। ବିଶେଷ କରି ଗତ ଲଗାଣ ବର୍ଷା ପରଠାରୁ ଏହି ପିମ୍ପୁଡିଙ୍କ ଉପଦ୍ରବ ଅଧିକ ବଢ଼ିଛି। ଗ୍ରାମର ପୋଖରୀ ହୁଡା, ରାସ୍ତା ପାର୍ଶ୍ବ, ଖେଳପଡ଼ିଆ, ବାଡିବଗିଚା ଆଦି ସବୁ ସ୍ଥାନରେ ଏହି ନାଲି ପିମ୍ପୁଡିଙ୍କ ଦୌରାତ୍ମ୍ୟ ବଢ଼ିଛି। ଗ୍ରାମର ଅନତିଦୂରରେ ଥିବା କେନାଲ ବନ୍ଧ ନିକଟରୁ ଲକ୍ଷ ଲକ୍ଷ ବିଷାକ୍ତ ପିମ୍ପୁଡ଼ି ଜନବସତି ଭିତରକୁ ମାଡି ଆସିଥିବା ବେଳେ ଗ୍ରାମର ଅନେକ ଘରର କାନ୍ଥରେ ଜମା ବାନ୍ଧି ରହିଥିବାର ପରିଲକ୍ଷିତ ହୋଇଛି। ମଣିଷଙ୍କୁ ଦେଖିବା ମାତ୍ରେ ପିମ୍ପୁଡିମାନେ ପୁଳା ପୁଳା ହୋଇ ଶରୀରରେ ଚଢି ଯାଉଛନ୍ତି। ଏମାନେ ମଣିଷଙ୍କୁ ଆଦୈା କାମୁଡୁ ନଥିବା ବେଳେ ଏମାନଙ୍କ ଲାଳ ଦ୍ୱାରା ଲୋକଙ୍କ ଶରୀର କୁଣ୍ଡାଇ ହେବା ସହ ଘା’ ହୋଇଯାଉଥିବା ସୂଚନା ମିଳିଛି। ବିଷାକ୍ତ ପିମ୍ପୁଡ଼ି ସଂସ୍ପର୍ଶରେ ଆସି ଗ୍ରାମର ଆଶାମଣୀ ଦାଶ, ନୟନା ଦାଶଙ୍କ ସମେତ ଏକାଧିକ ପୁରୁଷ ଓ ମହିଳାଙ୍କ ଗୋଡ଼ରେ ଘା’ ହୋଇଯାଇଛି। ଏଥିଯୋଗୁଁ ଗ୍ରାମର ୧୫ଟି ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। ଗ୍ରାମର କୁନିକୁନି ଶିଶୁମାନେ ଏହି ବିଷାକ୍ତ ପିମ୍ପୁଡ଼ିର ଶିକାର ହେଉଥିବାରୁ ସେମାନଙ୍କ ପରିବାର ଅଧିକ ବିବ୍ରତ ହୋଇପଡ଼ିଛନ୍ତି। ଲୋକଙ୍କ ବାରିବଗିଚାରେ ଫସଲ ମଧ୍ୟ ଏହି ପିମ୍ପୁଡ଼ିଙ୍କ ଯୋଗୁଁ ପ୍ରଭାବିତ ହୋଇଛି। ଗାଈଗୋରୁଙ୍କର ନାକ ଓ କାନରେ ମଧ୍ୟ ଏହି ପିମ୍ପୁଡ଼ି ପଶି ଯାଉଛନ୍ତି। ଏପରିକି ଲୋକଙ୍କ ଘରେ ରନ୍ଧାଖାଦ୍ୟ ଆଦିରେ ଏହି ପିମ୍ପୁଡ଼ି ପଶିଯାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପିମ୍ପୁଡ଼ି ଦଳ ଦଳ ହୋଇ ଝଟିପିଟି, ବିଛା, ବେଙ୍ଗ ଆଦି ଜନ୍ତୁଙ୍କୁ ସଂଘବଦ୍ଧ ଆକ୍ରମଣ କରୁଛନ୍ତି। ଏହି ପିମ୍ପୁଡ଼ି ସଂସ୍ପର୍ଶରେ ଶରୀର ନାଲି ପଡ଼ିଯିବା ସହ ଘା’ ହୋଇଯାଉଛି ବୋଲି ଉକ୍ତ ଗ୍ରାମର ଓାର୍ଡ ସଭ୍ୟ ରାଜପ୍ରସାଦ ଦାଶ କହିଛନ୍ତି। ପିମ୍ପୁଡିଙ୍କୁ ନିୟନ୍ତ୍ରଣ କରିବା ପାଇଁ ଗତ ୧୦ଦିନ ଧରି ଗ୍ରାମାକ୍ସିନ, କିରୋସିନି ଓ ତରଳ ରସାୟନିକ ଆଦି ପ୍ରୟୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ସୋମବାର ଦିନ ପିପିଲି ବିଡିଓ ରଶ୍ମିତା ନାଥ ଉକ୍ତ ଗ୍ରାମକୁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପିମ୍ପୁଡିଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଭୁବନେଶ୍ୱରର ଏକ ପେଷ୍ଟ କଣ୍ଟ୍ରୋଲ ଟିମ୍‍ ଦ୍ୱାରା ଉକ୍ତ ଗ୍ରାମରେ ୪ଟି କେମିକାଲ ମିଶ୍ରିତ ଦ୍ରବଣକୁ ସିଞ୍ଚନ କରାଯାଇଛି। ଫଳରେ କିଛି ମାତ୍ରାରେ ପିମ୍ପୁଡିଙ୍କ ଉପଦ୍ରବ ନିୟନ୍ତ୍ରଣ ହୋଇଥିବା ସୂଚନା ମିଳିଛି। ଗ୍ରାମକୁ ସଂପୂର୍ଣ୍ଣ ଭାବେ ସଫେଇ କରାଯାଇ ପୁନର୍ବାର ଉକ୍ତ କେମିକାଲ ମିଶ୍ରିତ ଦ୍ରବଣକୁ ସିଞ୍ଚନ କରାଯିବ ବୋଲି ବିଡିଓ ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ପୁରୀ ଜିଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼ଃ ସଞ୍ଜୟ କୁମାର ମହାନ୍ତିଙ୍କ ସହ ଓୟୁଏଟି ର ଏକ ୪ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି ଉକ୍ତ ଗ୍ରାମରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିବା ସହିତ ପିମ୍ପୁଡିଙ୍କ ସଂପର୍କରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। କିଭଳି ପିମ୍ପୁଡିଙ୍କୁ ନିୟନ୍ତ୍ରଣ କରାଯାଇ ପାରିବ ସେ ସଂପର୍କରେ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ କିଛି ପିମ୍ପୁଡିଙ୍କ ନମୁନା ସଂଗ୍ରହ କରି ସେମାନେ ଲାବୋରେଟୋରୀକୁ ନେଇଥିବା ସୂଚନା ମିଳିଛି। ସେହିପରି ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଡାକ୍ତରୀ ଟିମ୍‍ ଉକ୍ତ ଗ୍ରାମରେ ପହଞ୍ଚି ପିମ୍ପୁଡିଙ୍କ ଦ୍ୱାରା ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା କରିଥିବା ବେଳେ ଜିଲା କୃଷି ବିଭାଗର ଅଧିକାରୀମାନେ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି।

Comments are closed.