ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କଲା ଦଳିତ ମହାସଂଘ

ପିପିଲି: ଡେଲାଙ୍ଗ ପୁଲିସ ଦଳିତବର୍ଗଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । ଜଣେ ମହିଳାଙ୍କୁ ଦାଦାବଟି ମାଗିବା ସହ ବିଭିନ୍ନ ଧମକଚମକ ଦେଇ ଠେଲାପେଲା କରାଯିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରୁନାହିଁ । ଆକ୍ରମଣକାରୀ ଯୁବକକୁ ତୁରନ୍ତ ଗିରଫ କରିବାକୁ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ଦାବି କରିଛି । ୭ଦିନ ମଧ୍ୟରେ ନ୍ୟାୟ ନମିଳିଲେ ଶତାଧିକ ମହିଳାଙ୍କ ସହ ଅଭିଯୋଗକାରିଣୀ ପଦଯାତ୍ରାରେ ନବୀନ ନିବାସ ଯିବେ ବୋଲି ପିପିଲି ଠାରେ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଚେତାବନୀ ଦେଇଛନ୍ତି । ଏଥିସହ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପିପିଲି ଏସ୍‍ଡିପିଓଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ଅଭିଯୋଗ ଅନୁସାରେ, ଡେଲାଙ୍ଗ ବ୍ଲକ ଗଡମୋଟରୀ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡପଡ଼ା ଗ୍ରାମର ମା’ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠି ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ୱ ନେଇଛନ୍ତି । ଗୋଷ୍ଠିର ସଂପାଦିକା ଦୀପ୍ତିମୟୀ ସେଠୀଙ୍କ ସମେତ ତାଙ୍କ ସ୍ୱାମୀଙ୍କୁ ଜନୈକ ଜଗଦିଶ ପ୍ରଧାନ ଗତ ୨୧ ତାରିଖରେ ନାନା ଧମକଚମକ ଦେବା ସହ ଜାତିଆଣ ଆକ୍ଷେପ କରି ଅଶ୍ଳିଳ ଭାଷାରେ ଗାଳିଗୁଲଚ କରିଥିଲା । ଏପରିକି ସେ ୫ହଜାର ଟଙ୍କା ଚାନ୍ଦା ମାଗିବା ସହ ଜୀବନରୁ ମାରିଦେବାର ଧମକ ଦେଇ ଦୀପ୍ତିମୟୀଙ୍କୁ ଠେଲାପେଲା କରିବା ସହ ତାଙ୍କ ସ୍ୱାମୀଙ୍କୁ ଧକ୍କା ମାରିଥିଲା । ଏ ସଂପର୍କରେ ଡେଲାଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୁଲିସରେ ଏକ ମାମଲା ରୁଜୁ ହୋଇଛି । ତେବେ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ପୁଲିସ ତା’ସହ ଥାନାରେ ଘଣ୍ଟା ଘଣ୍ଟା ଧରି ବାର୍ତ୍ତାଳାପ କରୁଥିବା ନେଇ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ସାମ୍ବାଦିକ ସମ୍ମିଳନୀରେ ଗୁରୁତର ଅଭିଯୋଗ କରିଛନ୍ତି । ଏପରିକି ଡେଲାଙ୍ଗ ବିଡିଓ ଗତ ଡିସେମ୍ବର ୨୮ତାରିଖରେ ଦୀପ୍ତିମୟୀଙ୍କ ଘରେ ପହଞ୍ଚି ଜାତିଆଣ ଆକ୍ଷେପ କରି ଗାଳି ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି ।

ଏହି ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ବିଡିଓଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଅଭିଯୁକ୍ତ ଜଗଦିଶକୁ ଗିରଫ କରାଯିବା ପାଇଁ ମହାସଂଘ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ରାଜ୍ୟ ସଂପାଦିକା ସୋନିଲତା ସେଠୀ, ଗଣ୍ଡପଡା ଗ୍ରାମର ୨ଟି ୱାର୍ଡର ଶତାଧିକ ମହିଳା ଓ ପୁରୁଷଙ୍କ ସମେତ ଉପରୋକ୍ତ ଗୋଷ୍ଠିର ସଭାନେତ୍ରୀ ଛବିରାଣୀ ସେଠୀ, ସଦସ୍ୟା ମମତା ସେଠୀ, ବର୍ଷାରାଣୀ ସେଠୀ, କୁନି ସେଠୀ, ଝୁନା ସେଠୀ, ବବିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀ ପରେ ମହାସଂଘର କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ଯାଇ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳଙ୍କୁ ଭେଟି ଡିଜିପିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ତେବେ, ଏ ସଂପର୍କରେ ଡେଲାଙ୍ଗ ବିଡିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ପଚାରିବାରୁ ତାଙ୍କ ବିରୋଧରେ କରାଯାଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଯଦି ମୋ ବିରୋଧରେ କିଛି ତଥ୍ୟଗତ ପ୍ରମାଣ ରହିଛି ତେବେ ତାହାକୁ ସାର୍ବଜନିନ କରାନ୍ତୁ ନଚେତ୍‍ ମୁଁ ଆଇନଗତ ପଦକ୍ଷେପ ନେବି ବୋଲି ଶ୍ରୀଷଡଙ୍ଗୀ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।

Comments are closed.