୮.୨ ଗ୍ରାମ ବ୍ରାଉନସୁଗାର ଜବତ, ୫ ଗିରଫ

0

ପିପିଲି : ବ୍ରାଉନସୁଗାର କାରବାର ହେଉଥିବା ଏକ ଆଡ୍ଡା ଉପରେ ପିପିଲି ପୁଲିସ ଚଢାଉ କରି ୮ଗ୍ରାମ ୨ଶହ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ୩ଟି ମୋବାଇଲ୍‍ ଫୋନ, ୨ଟି ବାଇକ ଓ ଗୋଟିଏ ଅଟୋରିକ୍ସାକୁ ପୁଲିସ ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ବାଲେଶ୍ୱରରୁ ଖୋର୍ଦ୍ଧା ଦେଇ ପିପିଲି ଓ ନିମାପଡା ଅଞ୍ଚଳକୁ ଏହି ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ଏହି ରାକେଟ୍‍ର ଅନ୍ୟ ୩ମୁଖ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିବା ସମ୍ପର୍କରେ ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ଅଞ୍ଚଳର ଟୁଲୁ ଓରଫ ଧିରେନ୍ଦ୍ର ମହାରଣା(୨୬), ସରୋଜ କୁମାର ସାହୁ(୨୨), ବଳଙ୍ଗା ଥାନା ହରିପୁର ଅଞ୍ଚଳର କୁଶା ଓରଫ କୃଷ୍ଣଚନ୍ଦ୍ର ନାୟକ(୨୬), କୁନୁ ଓରଫ ପ୍ରକାଶ କୁମାର ନାୟକ (୨୩) ଓ ପିପିଲି ଥାନା ଦାନୋଗହିର ଅଞ୍ଚଳର ସନିଆ ଓରଫ ମହମ୍ମଦ ମୁସରଫ(୨୮)।

ସୂଚନାମୁତାବକ, ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ଧରି ବ୍ରାଉନସୁଗାର ରାକେଟ ସକ୍ରୀୟ ଥିବା ଓ ଏଥିଯୋଗୁଁ ଅଞ୍ଚଳରେ ବିଭିନ୍ନ ଅପରାଧ ବୃଦ୍ଧି ପାଉଥିବା ଘଟଣା ଉଭୟ ପୁଲିସ ଓ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ବ୍ରାଉନସୁଗାର ରାକେଟ୍‍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିଲା। ତେବେ ପିପିଲି-ଜଟଣୀ ରାସ୍ତାର ବଡକଣ୍ଟି ଅଞ୍ଚଳରେ ବ୍ରାଉନସୁଗାର କାରବାର ଚାଲିଥିବା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପିପିଲି ଆଇଆଇସି ଶରତ କୁମାର ସାହୁଙ୍କ ନିର୍ଦ୍ଦେଶରେ ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ବିନୟ କୁମାର ଦାସ, ରବିନ୍ଦ୍ର ନାୟକ ପ୍ରମୁଖ ଉକ୍ତ ଅଞ୍ଚଳର ଏକ ଆଡ୍ଡା ଉପରେ ଚଢାଉ କରିଥିଲେ। ଚଢାଉ ବେଳେ ସେଠାରୁ ୮.୨ଗ୍ରାମ ବ୍ରାଉନସୁଗାରକୁ ଜବତ କରାଯାଇଥିବା ବେଳେ ୫ଜଣ ବେପାରୀଙ୍କୁ ପୁଲିସ ଗିରଫ କରିଥିଲା। ଏସମ୍ପର୍କରେ ଏସ୍‍ଆଇ ସନ୍ଦୀପ କୁମାର ଦାସଙ୍କ ଲିଖିତ ଅଭିଯୋଗ ଉପରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଏସ୍‍ଆଇ ଅଶୋକ କୁମାର ଗୋଛାୟତ ଘଟଣାର ତଦନ୍ତ ଚଳାଇଥିବା ବେଳେ ଶୁକ୍ରବାର ସମସ୍ତ ଅଭିଯୁକ୍ତଙ୍କୁ ପୁରୀ କୋର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ବାଲେଶ୍ୱରରୁ ଏହି ବ୍ରାଉନସୁଗାର ଖୋର୍ଦ୍ଧାକୁ ଆସୁଥିବା ବେଳେ ସେଠାରୁ ସରୋଜ ନିଜର ସହଯୋଗୀ ଧିରେନ୍ଦ୍ର ସହ ମିଶି ଏହାକୁ ସନିଆ, କୃଷ୍ଣ ଓ ପ୍ରକାଶକୁ ବିକ୍ରି କରୁଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସନିଆ, କୃଷ୍ଣ ଓ ପ୍ରକାଶ ନିଜେ ଏହାକୁ ସେବନ କରିବା ସହ ଛୋଟ ଛୋଟ ପୁଡିଆରେ ଭର୍ତ୍ତି କରି ଗୋଟିଏ ପୁଡିଆ ପିଛା ୩ଶହ ଟଙ୍କାରେ ଅନ୍ୟମାନଙ୍କୁ ବିକ୍ରୀ କରୁଥିବା ସଂପର୍କରେ ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି। ବିଶେଷ କରି କିଛି ପଥଭ୍ରଷ୍ଟ ଯୁବକ ଏହି ବ୍ରାଉନସୁଗାରକୁ ଦୈନିକ ସେବନ କରୁଥିବା ବେଳେ ଏଥିଯୋଗୁଁ ଅଞ୍ଚଳରେ ଚୋରୀ, ରାହାଜାନି ଭଳି ଅପରାଧ ବୃଦ୍ଧି ପାଉଥିବା ପୁଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ଏହି ରାକେଟର ଅନ୍ୟ ୩ ପ୍ରମୁଖ ସଦସ୍ୟଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ଦୈନିକ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଏହି କାରବାର ଚାଲିଥିବା ବେଳେ ଏହି ନିଶାର ଶିକାର ହୋଇଥିବା ୨୦ରୁ ଉର୍ଦ୍ଧ ପଥଭ୍ରଷ୍ଟ ଯୁବକଙ୍କ ତାଲିକା ପୁଲିସ ପ୍ରସ୍ତୁତ କରିଛି। ଏସଂପର୍କରେ ସେମାନଙ୍କ ପରିବାରକୁ ଇତିମଧ୍ୟରେ ପୁଲିସ ଅବଗତ କରାଇବା ସହ ଉକ୍ତ ନିଶାଗ୍ରସ୍ତ ଯୁବକମାନଙ୍କୁ ଆବଶ୍ୟକ ଚିକିତ୍ସା କରାଇ ସେମାନଙ୍କୁ ନିଶା ଠାରୁ ଦୂରେଇ ରଖିବାକୁ ଆଇଆଇସି ଶ୍ରୀସାହୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply