ସରିଲା ନାମାଙ୍କନପତ୍ର ଦାଖଲ, ପିପିଲି ବ୍ଲକରେ ୯୧୩ ପ୍ରାର୍ଥୀପତ୍ର ଦାଖଲ

ପିପିଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ପିପିଲି ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ପିପିଲି ବ୍ଲକରେ ୱାର୍ଡ ସଭ୍ୟ, ସରପଞ୍ଚ ଓ ସମିତିସଭ୍ୟ ପଦବୀ ପାଇଁ ମୋଟ୍‍ ୯୧୩ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପିପିଲି ବ୍ଲକର ୩୫୪ଟି ୱାର୍ଡ ସଭ୍ୟ ପଦବୀ ପାଇଁ ୭୩୫ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୨୫ଟି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୯୬ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ୨୫ଟି ସମିତିସଭ୍ୟ ପଦବୀ ପାଇଁ ୮୨ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଜି ଶେଷ ଦିନରେ ୱାର୍ଡ ସଭ୍ୟ ପଦବୀ ପାଇଁ ୩୪୩ ଜଣ, ସରପଞ୍ଚ ପଦବୀ ପାଇଁ ୩୭ ଜଣ ଓ ସମିତିସଭ୍ୟ ପଦବୀ ପାଇଁ ୩୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ସଂପର୍କରେ ବ୍ଲକ ଜିପିଇଓ ଗାୟତ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ୨୫ଟି ପଞ୍ଚାୟତକୁ ନେଇ ଗଠିତ ଏହି ପିପିଲି ବ୍ଲକରେ ମୋଟ୍‍ ୧ଲକ୍ଷ ୧୬ହଜାର ୧୨୯ଜଣ ଭୋଟର ଅଛନ୍ତି। ଏହି ବ୍ଲକର ୩୫୪ ବୁଥ୍‍ ମଧ୍ୟରୁ ୭୮ଟି ବୁଥ୍‍କୁ ଅତି ସମ୍ବେଦନଶୀଳ, ୧୫୦ଟି ବୁଥ୍‍କୁ ସମ୍ବେଦନଶୀଳ ଓ ୧୨୬ଟି ବୁଥ୍‍କୁ ସ୍ୱାଭାବିକ୍‍ ମତଦାନ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ସରକାରୀ ବିଦ୍ୟାଳୟରେ ୨୯୫ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ କମ୍ୟୁନିଟି ହଲ୍‍ (ଗୋଷ୍ଠୀ କେନ୍ଦ୍ର)ରେ ୩୦ଟି ମତଦାନ କେନ୍ଦ୍ର, ଅଙ୍ଗନୱାଡି କେନ୍ଦ୍ରରେ ୧୪ଟି ମତଦାନ କେନ୍ଦ୍ର, ଆମ ଗାଁ ଆମ ବିକାଶ ଗୃହରେ ୨ଟି ମତଦାନ କେନ୍ଦ୍ର, ରାଜସ୍ୱ ନିରୀକ୍ଷକ (ଆର୍‍ଆଇ)ଙ୍କ କାର୍ଯ୍ୟାଳୟରେ ଗୋଟିଏ ମତଦାନ କେନ୍ଦ୍ର, କୋ-ଅପରେଟିଭ୍‍ ସୋସାଇଟି କାର୍ଯ୍ୟାଳୟରେ ଗୋଟିଏ ମତଦାନ କେନ୍ଦ୍ର, ରାଜୀବ ଗାନ୍ଧି ସେବା କେନ୍ଦ୍ରରେ ୫ଟି ମତଦାନ କେନ୍ଦ୍ର, ସ୍ୱୟଂ ସହାୟିକା ଗୋଷ୍ଠି (ଏସ୍‍ଏଚ୍‍ଜି) ଗୃହରେ ୨ଟି ମତଦାନ କେନ୍ଦ୍ର, ମହାବିଦ୍ୟାଳୟରେ ଗୋଟିଏ, ଲାଇବ୍ରେରୀରେ ଗୋଟିଏ, ପଞ୍ଚାୟତ କାର୍ଯ୍ୟାଳୟରେ ଗୋଟିଏ ମତଦାନ କେନ୍ଦ୍ର କରାଯାଇଥିବା ବେଳେ ଓ ଗୋଟିଏ ଅସ୍ଥାୟୀ ମତଦାନ କେନ୍ଦ୍ର କରାଯାଇଥିବା ସଂପର୍କରେ ଜିପିଇଓ ଶ୍ରୀମତୀ ପଣ୍ଡା ସୂଚନା ଦେଇଛନ୍ତି।

Comments are closed.