ଗୋଟିଏ ରାତିରେ ୪ଟି ସ୍ଥାନରୁ ସିରିଜ ଚୋରି, ଭକ୍ତ ଦାସିଆ ପୀଠର ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିଲେ

ପିପିଲି:ପିପିଲି ଥାନା ଅଞ୍ଚଳରେ ଏବେ ଦିନକୁ ଦିନ ଲୁଟେରା ଓ ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଶନିବାର ରାତିରେ ୪ଟି ସ୍ଥାନରୁ ସିରିଜ ଚୋରି ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଭକ୍ତ ଦାସିଆଙ୍କ ପୀଠରୁ ଦାନବାକ୍ସ ଭାଙ୍ଗି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ବେଳେ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି ହୋଇଛି। ଏତଦ୍‍ ବ୍ୟତୀତ ଏକ ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଲୁଟିବାରେ ଚୋରମାନେ ବିଫଳ ହୋଇଥିବା ସୂଚନା ମିଳିଛି। ପିପିଲି ପୁଲିସ ସାଇଣ୍ଟିଫିକ୍‍ ଟିମ୍‍ ସହାୟତାରେ ଘଟଣାର ତଦନ୍ତ ଚଳାଇଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚୋରଗୋଷ୍ଠିଙ୍କ ସଂପର୍କରେ ପୁଲିସକୁ କୌଣସି ସୁରାକ ମିଳିନଥିବା ସୂଚନା ମିଳିଛି।
ଶନିବାର ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ପଶି କାର୍ଯ୍ୟାଳୟ ଗୃହ, ଲାଇବ୍ରେରୀ ଗୃହ, ସରପଞ୍ଚଙ୍କ କାର୍ଯ୍ୟାଳୟ ଗୃହ, ଷ୍ଟୋର ରୁମ୍‍ ଆଦିର ତାଲାକୁ ଭାଙ୍ଗି ସେମଧ୍ୟରେ ଥିବା ସମସ୍ତ ଆଲମିରାର ତାଲାକୁ ଭାଙ୍ଗି ଦେଇଥିବା ପରିଲକ୍ଷିତ ହୋଇଛି। ସମସ୍ତ ଗୃହ ମଧ୍ୟରେ ଥିବା ଆସବାବପତ୍ରକୁ ସେମାନେ ଫୋପଡା ଫିଙ୍ଗା କରିଥିବା ବେଳେ ସେଠାରୁ ଗୋଟିଏ ଏଲ୍‍ସିଡି ଟିଭି, ପାଣିମୋଟର, ଆକ୍ୱାଗାର୍ଡ ସମେତ ଲକ୍ଷାଧିକ ଟଙ୍କାମୂଲ୍ୟର ସାମଗ୍ରୀ ଚୋରି କରିନେଇଥିବା ସୂଚନା ମିଳିଛି। ସେହିପରି ପଞ୍ଚାୟତ କାର୍ଯ୍ୟାଳୟ ପାଶ୍ୱର୍ରେ ଥିବା ଜୟଦେବ ବେହେରାଙ୍କ କ୍ରାକ୍‍ କଂପୁଟର ଏଜୁକେଶନ ସେଣ୍ଟରର ତାଲାକୁ ଭାଙ୍ଗି ଦୁର୍ବୁତ୍ତମାନେ ସେଠାରୁ ସିସିଟିଭି ହାର୍ଡଡିସ୍କ ସମେତ ୨୮ଶହ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି। ତେବେ ଉକ୍ତ କଂପୁଟର ସେଣ୍ଟର ମଧ୍ୟରେ ଥିବା ୮ଟି ମୂଲ୍ୟବାନ କଂପୁଟର ଓ ଅନ୍ୟାନ୍ୟ ସାମଗ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ପଞ୍ଚାୟତ କାର୍ଯ୍ୟାଳୟ ପଛପଟେ ଥିବା ମା’ ମମତା ଉତ୍ପାଦକ ଗୋଷ୍ଠିର ଗୃହର ତାଲାକୁ ଭାଙ୍ଗି ଦୁର୍ବୁତ୍ତମାନେ ସେଠାରୁ ୨ଟି ଅତ୍ୟାଧୁନିକ ମୂଲ୍ୟବାନ ସିଲେଇ ମେସିନ, ପାଣିମୋଟର, ଇନଭର୍ଟର ମେସିନ ସମେତ ୨ଟି ବ୍ୟାଟେରୀ ଓ ୭୦ହଜାର ଟଙ୍କା ମୂଲ୍ୟର କପଡା ଚୋରି କରି ନେଇଥିବା ସଂପର୍କରେ ଗୋଷ୍ଠିର ସଂପାଦିକା ଝୁନାମଣି ମଲ୍ଲିକ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ସେହି ନିକଟରେ ଥିବା ଜନୈକ ରଫି ଉଦ୍ଦିନ ଅହମ୍ମଦଙ୍କ ଘରର ତାଲା ଭାଙ୍ଗି ଦୁର୍ବୁତ୍ତମାନେ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ସୂଚନା ମିଳିଛି। ପଞ୍ଚାୟତ କାର୍ଯ୍ୟାଳୟ ପାଶ୍ୱର୍ରେ ଥିବା ଅରୁଣ କୁମାର ମିଶ୍ରଙ୍କ ବାରିରେ ପଡିଥିବା ଏକ ଲୁହାରେ ନିର୍ମିତ ନୂତନ ବିଦ୍ୟୁତ୍‍ ଖୁଣ୍ଟିକୁ ମଧ୍ୟ ସେହିରାତିରେ ଦୁର୍ବୁତ୍ତ ଚୋରି କରିନେଇଥିବା ଅଭିଯୋଗ ହୋଇଛି।

ସେହିପରି ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ଠାରେ ଥିବା ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପରିସରରୁ ଚୋରି ହୋଇଥିବା ସଂପର୍କରେ ଭକ୍ତ ଦାସିଆ ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଘନଶ୍ୟାମ ସ୍ୱାଇଁ ପୁଲିସରେ ଅଭିଯୋଗ କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ସେଠାରେ ପ୍ରବେଶ କରି ଭକ୍ତ ଦାସିଆଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯାଇଥିବା ୨ଟି ଦାନବାକ୍ସକୁ ଭାଙ୍ଗି ସେଥିରୁ ଟଙ୍କା ଚୋରି କରିନେଇଛନ୍ତି। ଦାସିଆଙ୍କ ସମାଧି ନିକଟରେ ରଖାଯାଇଥିବା ଦାନବାକ୍ସ ଓ ପୀଠ ପରିସରସ୍ଥ ରାଧାମୋହନ ମଠରୁ ଦାନବାକ୍ସକୁ ଦୁର୍ବୁତ୍ତମାନେ ନେଇ ପଳାଇଛନ୍ତି। ପୀଠସ୍ଥ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ତାଲାକୁ ଭାଙ୍ଗି ମନ୍ଦିର ମଧ୍ୟରେ ଥିବା ଦାନବାକ୍ସରୁ ଟଙ୍କା ଚୋରି ହୋଇଥିବା ବେଳେ ଠାକୁରଙ୍କ ରୂପାବଂଶୀକୁ ମଧ୍ୟ ଦୁର୍ବୁତ୍ତ ନେଇ ପଳାଇଥିବା ସୂଚନା ମିଳିଛି।
ତେବେ ସବୁଠାରୁ ଆଶ୍ୱର୍ଯ୍ୟର କଥା, ତେଇସିପୁର ଗ୍ରାମ୍ୟମୁଣ୍ଡରେ ଥିବା ଆରାଧ୍ୟ ଠାକୁର ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରୁ ଦୁର୍ବୁତ୍ତମାନେ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ସୂଚନା ମିଳିଛି। ମନ୍ଦିରର ସ୍କାଏଲାଇଟ୍‍ ବାଟ ଦେଇ ଚୋରମାନେ ମନ୍ଦିର ମଧ୍ୟରେ ପ୍ରବେଶ କରି ମନ୍ଦିରର ଆଲମିରା ଓ ସିନ୍ଦୁକରୁ ଠାକୁରଙ୍କର ସମସ୍ତ ଅଳଙ୍କାରକୁ କାଢି ମନ୍ଦିର ମଧ୍ୟରେ ଗୋଟିଏ ସ୍ଥାନରେ ରଖିଥିଲେ ମଧ୍ୟ ସେସବୁକୁ ନେଇପାରିନଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଖବର ପାଇ ରବିବାର ସକାଳେ ପିପିଲି ପୁଲିସ ଓ ସାତଶଙ୍ଖ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ôଚ ସରଜମିନ ତଦନ୍ତ କରିଥିଲେ। ଏନେଇ ପିପିଲି ପୁଲିସରେ ୪ଟି ପୃଥକ୍‍ ଅଭିଯୋଗ ହୋଇଛି। ସଂନ୍ଧ୍ୟାରେ ସାଇଣ୍ଟିଫିକ୍‍ ଟିମ୍‍ ସହାୟତାରେ ପିପିଲି ଆଇଆଇସି ଅଭିମନ୍ୟୁ ନାୟକ, ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟାପକ ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଗୋଟିଏ ରାତିରେ ଥାନା ଅଞ୍ଚଳରୁ ଏକାଧିକ ସ୍ଥାନରୁ ଚୋରି ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। କେବଳ ରାସ୍ତା ଉପରେ ପଇଁତରା ନମାରି ଗ୍ରାମାଞ୍ଚଳରେ ପୁଲିସର ରାତ୍ର ପୋଟ୍ରୋଲିଂକୁ କଡାକଡି କରିବାକୁ ସାଧାରଣରେ ଦାବି ହୋଇଛି।

Comments are closed.