ପିପିଲିରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

ପିପିଲି: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପିପିଲିର ଦଳୀୟ କାର୍ଯ୍ୟାଳୟ ଠାରେ ରବିବାର ଅପରାହ୍ନରେ ପାଳିତ ହୋଇଯାଇଛି। ଏହି ଅବସରରେ ସେଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ଓ ଦିବଂଗତ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ରୁଦ୍ରପ୍ରତାପ ମହାରଥି ମାଲ୍ୟାର୍ପଣ କରିଥିଲେ।

ଏହି ଅବସରରେ ପିପିଲି ବ୍ଳକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ରୁଦ୍ରପ୍ରତାପ ଯୋଗଦେଇ ଦଳର ଆଭିମୁଖ୍ୟ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ରାଜ୍ୟକୁ ଶ୍ରେଷ୍ଠ ଓଡିଶା ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ସଂପର୍କରେ ଶ୍ରୀ ମହାରଥି ଆଲୋକପାତ କରିବା ସହ ପିପିଲି ନିର୍ବାଚନମଣ୍ଡଳୀରେ ହୋଇଥିବା ଓ ହେବାକୁ ଥିବା ବିଭିନ୍ନ ବିକାଶ ସଂପର୍କରେ ଆଲୋକପାତ କରିଥିଲେ। ଅଞ୍ଚଳରେ ଶାନ୍ତି ଓ ପ୍ରଗତିର ଧାରା ବଜାୟ ରଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତେ ଏକତାର ସହ ଜନସାଧାରଣଙ୍କ ସେବା କରିବାକୁ ଉପସ୍ଥିତ ନେତା ଓ କର୍ମୀଙ୍କୁ ସେ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ପୁରୀ ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ଜିଲା ବିଜେଡି ସଂପାଦକ ଧରଣୀଧର ସାହୁ, ସଂପାଦକ ସତ୍ୟଜିତ ରାୟଚୌଧୁରୀ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଯୁବନେତା ଆର୍ତ୍ତର୍ବନ୍ଧୁ ସାମନ୍ତରାୟ, ପୁର୍ବତନ ପୌରାଧ୍ୟକ୍ଷ ସେକ୍‍ ବାବୁ, ଏନ୍‍ଏସି ଯୁବ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସାହୁ, ଛାତ୍ର ବିଜେଡି ସଭାପତି ଫଜଲ ଖାଁ, ମହିଳାନେତ୍ରୀ ମମତା ମଲ୍ଲିକ, ଝୁନାମଣି ମଲ୍ଲିକ, ବରିଷ୍ଠନେତା ସୁଶାନ୍ତ କୁମାର ମଲ୍ଲିକ, ଆଇନଜୀବୀ ଶ୍ରୀଧର ପ୍ରଧାନ, ବରିଷ୍ଠନେତା ସଦାଶିବ ଦାଶ ପ୍ରମୁଖ ନିଜନିଜର ବକ୍ତବ୍ୟରେ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଜୁ ଜନତା ଦଳ ଶାସନକୁ ଆସିବା ପରଠାରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଉଦ୍ୟମରେ ପିପିଲିରେ ହୋଇଥିବା ସାମଗ୍ରିକ ବିକାଶ ସଂପର୍କରେ ନେତାମାନେ ଆଲୋକପାତ କରିଥିଲେ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବା ବେଳେ ବିଜେଡିର ଶାସନ କାଳ ସମୟର ଅଞ୍ଚଳର ବିକାଶକୁ ଲୋକମାନଙ୍କ ନିକଟରେ ପହଞ୍ଚାଇ ପୁଣି ଦଳକୁ ଜିତାଇବା ପାଇଁ ନେତାମାନେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଦଳୀୟ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଦଳୀୟ ଶୃଙ୍ଖଳା ମଧ୍ୟରେ ରହି ଦଳ ପାଇଁ କାର୍ଯ୍ୟ କରିବା ସହ ଦଳକୁ ଅଧିକ ମଜବୁତ କରିବା ପାଇଁ ଉପସ୍ଥିତ ନେତା ଓ କର୍ମୀମାନେ ଏହି ଅବସରରେ ଶପଥ ନେଇଥିଲେ। ଏଥିରେ ଦଳର ସମସ୍ତ ଜିଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟଙ୍କ ସମେତ ଦଳର ବରିଷ୍ଟ ନେତା, କର୍ମୀ, ଯୁବ ଓ ଛାତ୍ର ବିଜେଡି ନେତା ଓ ସମର୍ଥକମାନେ ଯୋଗ ଦେଇଥିଲେ।

Comments are closed.