ପିପିଲି ମହାବିଦ୍ୟାଳୟ ନୂତନ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ

ପିପିଲି: ପିପିଲି ମହାବିଦ୍ୟାଳୟ ପରିସରରେ ନିର୍ମାଣ ହେବାକୁ ଥିବା ନୂତନ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଗୁରୁବାର ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଦ୍ୱାରା ସଂପନ୍ନ ହୋଇଛି। ଏହି ଅବସରରେ କଲେଜର ଉନ୍ନତି ପାଇଁ ୨୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ।

ବିଧାୟକ ଶ୍ରୀ ମହାରଥୀଙ୍କୁ ଆଜି ପିପିଲି ମହାବିଦ୍ୟାଳୟ ପକ୍ଷରୁ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କଲେଜର ଅଧ୍ୟକ୍ଷ ଡ଼ଃ ଭୀମସେନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀମହାରଥୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ। କଲେଜର ଅତ୍ୟାଧୁନିକ ଶ୍ରେଣୀଗୃହ ନିର୍ମାଣ ସହ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟପାଇଁ ଦୁଇଟି ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଶ୍ରୀମହାରଥୀ ଘୋଷଣା କରିଥିଲେ। ଅଧ୍ୟାପିକା ଡ଼ଃ ପ୍ରତିଭା ମହାରଥୀ କଲେଜର ସଫଳତା ସଂପର୍କରେ ଆଲୋକପାତ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଶରତ ଚନ୍ଦ୍ର ଦାଶ, ତ୍ରିନାଥ ଶତପଥୀ, ଡ଼ଃ ସଚ୍ଚିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବରିଷ୍ଠ ଅଧ୍ୟାପକ ଶିବ ପ୍ରସାଦ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.