ଅନଶନକାରୀ ଦିବ୍ୟାଙ୍ଗ ଦମ୍ପତ୍ତି ଡାକ୍ତରଖାନାରେ ଭର୍ତ୍ତି

ପିପିଲି:ଫଣି’ ଘରଭଙ୍ଗା ସହାୟତା ଦାବିରେ ପିପିଲି ତହସିଲ କାର୍ଯ୍ୟାଳୟ ବାରଣ୍ଡାରେ ଆମରଣ ଅନଶନ ଚଳାଇଥିବା ରୂପଦେଇପୁର ପଞ୍ଚାୟତ ନାହାମଙ୍ଗପାଟଣା ଗ୍ରାମର ଦିବ୍ୟାଙ୍ଗ ମହିଳା ଟିକିନା ମଲ୍ଲିକଙ୍କ ସମେତ ତାଙ୍କ ସ୍ୱାମୀ ଓ ମାଆ ପ୍ରଭୃତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ରାତି ୯ଟାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରେ ପିପିଲି ତହସିଲଦାର ସପନ କୁମାର ନନ୍ଦ, ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ ପ୍ରମୁଖ ଅନ୍ୟ ଅଧିକାରୀଙ୍କ ସହ ଅନଶନରତ ଦିବ୍ୟାଙ୍ଗ ପରିବାର ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପିପିଲି ମେଡିକାଲ୍‍ରେ ଭର୍ତ୍ତି କରାଯାଇଥିଲା। ତେବେ ଏନେଇ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏକ ପ୍ରେସ୍‍ ବିଜ୍ଞପ୍ତି ସୂଚନା ଅନୁଯାଇ ଏହି ଘଟଣାର ଏକାଧିକ ଥର ତଦନ୍ତ କରାଯିବା ପରେ ଫଣି’ କ୍ଷତିଗ୍ରସ୍ତ ସଂପୂର୍ଣ୍ଣ ଘର ଭଙ୍ଗା ତାଲିକାରେ ଟିକିନାଙ୍କ ନାମ ନଥିବା ବେଳେ ସେ ସଂପୂର୍ଣ୍ଣ ଘର ଭଙ୍ଗା ସହାୟତା ପାଇବା ପାଇଁ ହକ୍‍ଦାର ନୁହନ୍ତି।

ପରବର୍ତ୍ତୀ ସମୟରେ ରାଜସ୍ୱ ସୁପରଭାଇଜର, ରାଜସ୍ୱ ନିରିକ୍ଷକ ଓ ଅମିନଙ୍କ ଦ୍ୱାରା ଘଟଣାର ପୁନଃ ତଦନ୍ତ କରାଯିବା ପରେ ଟିକିନା ମଲ୍ଲିକଙ୍କ ଘରଟି ସରକାରୀ ଜାଗାରେ ଥିବା ଜଣାପଡିଥିଲା। ତେଣୁ ଏସ୍‍ଡିଆର୍‍ଏଫ୍‍ ନିୟମ ଅନୁଯାଇ ସେ ସଂପୂର୍ଣ୍ଣ ଘର ଭଙ୍ଗା ସହାୟତା ବାବଦ ୯୫ ହଜାର ଶହେ ଟଙ୍କା ପାଇବାକୁ ହକ୍‍ଦାର ନୁହନ୍ତି ବୋଲି ତହସିଲଦାର ପ୍ରେସ୍‍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ତେବେ ତାଙ୍କ ନାମକୁ ପକ୍କା ଘର ଯୋଜନାରେ ସାମିଲ କରାଯାଇଥିବା ନେଇ ପିପିଲି ବିଡିଓ ସୂଚନା ଦେଇଥିବା ବେଳେ ଏନେଇ ଟିକିନାଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି। ଅନୁରୂପ ଭାବେ ସଂପୂର୍ଣ୍ଣ ଘର ଭଙ୍ଗା ସହାୟତା ପ୍ରଦାନ ଦାବିରେ ପିପିଲି ପୌରାଞ୍ଚଳ ମଢିଆଳି ସାହିର ଭିନ୍ନକ୍ଷମ ବ୍ୟକ୍ତି ସୁଶାନ୍ତ ବେହେରା ନିଜ ପତ୍ନୀ ଓ ପିଲାଙ୍କୁ ନେଇ ତହସିଲଦାରଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଥିବା ବେଳେ ଉପରିସ୍ଥ ଅଧିକାରୀମାନେ ତାଙ୍କୁ ବୁଝାସୁଝା କରିବା ପରେ ସେ ଧାରଣାରୁ ଉଠିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ୨୦୧୯ ମସିହା ଫଣି’ ବାତ୍ୟାରେ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ରୂପଦେଇପୁର ପଞ୍ଚାୟତ ନାହାମଙ୍ଗପାଟଣା ଗ୍ରାମର ଦିବ୍ୟାଙ୍ଗ ମହିଳା ଟିକିନା ମଲ୍ଲିକ ନିଜର ଭିନ୍ନକ୍ଷମ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର, ମାଆ ଭମା ମଲ୍ଲିକଙ୍କ ସହ ସୋମବାର ଠାରୁ ପିପିଲି ତହସିଲ କାର୍ଯ୍ୟାଳୟ ବାରଣ୍ଡାରେ ଆମରଣ ଅନଶନରେ ବସିଥିଲେ। ଟିକିନାଙ୍କ ତାଙ୍କର ଦୁଇବଖରା ଘର ଗତ ୨୦୧୯ ଫଣି’ ବାତ୍ୟାରେ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଘରଭଙ୍ଗା ସହାୟତା ବାବଦରେ ତାଙ୍କୁ ସରକାରଙ୍କ ପକ୍ଷରୁ ୩୨ଶହ ଟଙ୍କା ମିଳିଥିଲା। ତେବେ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ବାବଦ ୯୫ ହଜାର ଶହେ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ସେ ପିପିଲି ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ସହ ବାରମ୍ବାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଦଉଡି ଦଉଡି ନିରାଶ ହୋଇଥିଲେ। ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ପ୍ରଦାନ ଦାବିରେ ଏହି ଦିବ୍ୟାଙ୍ଗ ପରିବାର ଆମରଣ ଅନଶନ ଚଳାଇଥିଲେ।

ମଙ୍ଗଳବାର ଦିନ ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକ ଅନଶନସ୍ଥଳକୁ ଆସି ଅନଶନରତ ଦିବ୍ୟାଙ୍ଗ ପରିବାରକୁ ଭେଟି ତାଙ୍କ ଦୁଃଖ ଶୁଣିଥିଲେ। ପରେ ସେ ଏହି ପରିବାରକୁ ସହାୟତା ପ୍ରଦାନ ପାଇଁ ତହସିଲଦାରଙ୍କ ଠାରେ ଦାବି କରିଥିଲେ। ଅପରାହ୍ନରେ ପୁରୀ ଜିଲା ମହିଳା କଂଗ୍ରେସ କମିଟିର ଅଧ୍ୟକ୍ଷା ନିରୁପମା ପାତ୍ର ଅନଶନରତ ପରିବାରକୁ ଭେଟି ତାଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ସହ ଉକ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରିଥିଲେ। ଅନୁରୂପ ଭାବେ ପିପିଲି ପୌରାଞ୍ଚଳର ମଢିଆଳି ସାହିର ଭିନ୍ନକ୍ଷମ ବ୍ୟକ୍ତି ସୁଶାନ୍ତ ବେହେରା ନିଜ ପତ୍ନୀ ଓ ପିଲାଙ୍କୁ ନେଇ ତହସିଲଦାରଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଥିଲେ। ଗତ ଫଣି’ ବାତ୍ୟାରେ ତାଙ୍କର ଚାଳଘର ସଂପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଥିଲା। ସଂପୂର୍ଣ୍ଣ ଘରଭଙ୍ଗା ତାଲିକାରେ ତାଙ୍କ ନାମ ରହିଥିବା ବେଳେ ଘରଭଙ୍ଗା ସହାୟତା ବାବଦରେ ତାଙ୍କୁ ୩୨ଶହଟଙ୍କା ମିଳିଥିଲା। ଅଦ୍ୟାବଧି ତାଙ୍କୁ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯାଇନଥିବା ବେଳେ ଏ ବାବଦରେ ସେ ବହୁବାର ଉପରିସ୍ଥ ଅଧିକାରୀଙ୍କ ଠାରେ ଅଭିଯୋଗ କରି ନିରାଶ ହୋଇଥିବା ସୁଶାନ୍ତ ଅଭିଯୋଗ କରିଛନ୍ତି। ଘର ଭାଙ୍ଗି ଯାଇଥିବାରୁ ସେ ଏବେ ନିଜ ପିଲାଛୁଆ ଓ ଗୋରୁ ଗାଇଙ୍କୁ ନେଇ ଭଙ୍ଗାଘରେ ପଲିଥିନ ତଳେ ବାସ କରୁଛନ୍ତି। ତେଣୁ ତାଙ୍କୁ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ପ୍ରଦାନ କରାନଯିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥିଲେ।

Comments are closed.