ଆନ୍ତର୍ଜାତୀୟ ଟାଏକୋଣ୍ଡ ପ୍ରତିଯୋଗିତା, ଭାଗନେବେ ପିପିଲିର ୩ ପ୍ରତିଯୋଗୀ

ପିପିଲି:ଥାଇଲାଣ୍ଡ ଠାରେ ଡିସେମ୍ବର ମାସ ୨୨ତାରିଖରୁ ଆରମ୍ଭ ହେବାକୁ ଥିବା ୬ ଦିନିଆ ପ୍ରଥମ ଗ୍ଲୋବାଲ ଭର୍ଚ୍ଚୁଆଲ ଆନ୍ତର୍ଜାତୀୟ ଟାଏକୋଣ୍ଡ ପ୍ରତିଯୋଗିତାରେ ପିପିଲି ଟାଏକୋଣ୍ଡ ଏକାଡେମୀର ଶୁଭଶ୍ରୀ ଶୁଭସ୍ମିତା ମହାନ୍ତି, ତୁଳସୀ ଟୁଡୁ ଓ ତୃପ୍ତୀ ପ୍ରିୟଦର୍ଶନୀ ସାହୁ ଭାଗ ନେବେ। ଉକ୍ତ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଏହି ୩ ପ୍ରତିଯୋଗୀଙ୍କୁ ପିପିଲିର ଆଶିଷ ହେଲ୍‍ଥ କେୟାର୍ କ୍ଲିନିକର ମୁଖ୍ୟ ଡାକ୍ତର ଅମିତ୍ କୁମାର ମହାନ୍ତି ଓ ସମାଜସେବୀ ସତ୍ୟସଦନ ଦାସ ପ୍ରମୁଖ ସହଯୋଗ କରୁଛନ୍ତି। ଏହି ୩ ପ୍ରତିଯୋଗୀଙ୍କୁ ପିପିଲି ଟାଏକୋଣ୍ଡ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ନୃସିଂହ ସିଂ ଏବେ ପୂର୍ଣ୍ଣମାତ୍ରାରେ ତାଲିମ ପ୍ରଦାନ କରୁଛନ୍ତି।

ଥାଇଲାଣ୍ଡ ଠାରେ ହେବାକୁ ଥିବା ଉକ୍ତ ପ୍ରତିଯୋଗିତାରେ ଭାରତ ସମେତ ୧୪ଟି ଦେଶର ପ୍ରତିଯୋଗୀ ଭାଗ ନେବେ। ଏଥିପାଇଁ ଗତ ୧୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଟାଏକୋଣ୍ଡ ଛାତ୍ରଛାତ୍ରୀ ମାନେ ୧୭ତାରିଖ ସୁଦ୍ଧା ଆବେଦନ କରିପାରିବେ ବୋଲି ରାଜ୍ୟ ଟାଏକୋଣ୍ଡ ଏକାଡେମୀର ସାଧାରଣ ସଂପାଦକ ମନମୋହନ ଭଞ୍ଜ କହିଛନ୍ତି। ଏହି ପ୍ରତିଯୋଗୀତାରେ ଟାଇକୋଣ୍ଡର ପୁମ୍ସି ଓ ସ୍ପିଡ୍ କିକିଙ୍ଗ୍ ଆଭାସୀ ମାଧ୍ୟମରେ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା ଥିବାବେଳେ ପୁମ୍ସି ରେଫରୀ ଭାବେ ଭାରତରୁ ଆଞ୍ଜେଲା ନାୟକ, ମଙ୍ଗୋଲିଆରୁ ଲକ୍ ଗଭଦୋର୍ଜ ଦୁଗିରୀ, ହଂକଂରୁ ଜୋଏ ୱଙ୍ଗ୍ ,ଦକ୍ଷିଣ କୋରିଆରୁ ଗ୍ୟୁ ରିନ୍ କିମ୍, ସିଙ୍ଗାପୁରରୁ ଡରୀନ୍ ଲି ପ୍ରମୁଖ ଯୋଗଦେବେ ବୋଲି ସୂଚନା ମିଳିଛି। ସ୍ପିଡ୍ କିକିଙ୍ଗର ଥାଇଲାଣ୍ଡରୁ ନନ୍ ତାୱାଟ୍ ଅମରାକୁଲ, ଇଣ୍ଡୋନେସିଆରୁ ସାନି ହର୍ସନ, ମାଲେସିଆରୁ ଜୁଡିଲେ ପ୍ରମୁଖ ରେଫରୀ ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.