‘ଜୀବିକା ନିର୍ବାହ ପାଇଁ ସମନ୍ୱିତ କୃଷି’ ପ୍ରଶିକ୍ଷଣ ଶିବିର

ପିପିଲି:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପରିସରସ୍ଥ ଖୋର୍ଦ୍ଧା ଜିଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ‘ଜୀବିକା ନିର୍ବାହ ପାଇଁ ସମନ୍ୱିତ କୃଷି’ ଶୀର୍ଷକ ଏକ ଦୁଇଦିନିଆ ଦକ୍ଷତା ନିର୍ମାଣ ଆବାସିକ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି।
ଏଥିରେ ସିଫାର ନିର୍ଦ୍ଦେଶକ ଡ.ସରୋଜ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଧିକ ଉତ୍ପାଦନ ଓ ରୋଜଗାର ବୃଦ୍ଧି ପାଇଁ ପୋଖରୀ ସହିତ ଜଡ଼ିତ ସମନ୍ୱିତ କୃଷିକୁ କୃଷକମାନେ ଆପଣାଇବାକୁ ପରାମର୍ଶ ଦେଇଥିଲେ। କୃଷକଙ୍କ ଆୟବୃଦ୍ଧି ନିମନ୍ତେ ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ରର ବିଭିନ୍ନ ପଦକ୍ଷେପକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ବରିଷ୍ଠ ବୈଜ୍ଞାନିକ ତଥା ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ରର(କେଭିକେ) ମୁଖ୍ୟ ଡ. ଅଜୟ କୁମାର ଦାଶ ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ କରିବା ଅବସରରେ ଜିଲାର ଅନ୍ୟାନ୍ୟ ସହଯୋଗୀ ଅନୁଷ୍ଠାନର ସହାୟତାରେ ସମନ୍ୱିତ କୃଷି ପ୍ରଣାଳୀକୁ ଖୋର୍ଦ୍ଧା ଜିଲାରେ କାର୍ଯ୍ୟକାରୀ କରିବାକୁ କୃଷିବିଜ୍ଞାନ କେନ୍ଦ୍ର ପ୍ରଚେଷ୍ଟା ଜାରି ରଖିଥିବା ସୂଚନା ଦେଇଥିଲେ।

ଜଟଣୀ ବ୍ଲକର ଆତ୍ମା ବୈଷୟିକ ପରିଚାଳକ ଦେବାଶିଷ ରାୟ ମହାପାତ୍ର ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଜଟଣୀ ବ୍ଲକ୍ର କୃଷକ ଓ ମହିଳା କୃଷିଜୀବିମାନଙ୍କୁ ତାଲିମ୍ ପ୍ରଦାନ କରାଯାଉଥିବା ବେଳେ ପ୍ରଶିକ୍ଷଣର ପାଠ୍ୟକ୍ରମ ନିର୍ଦ୍ଦେଶକ ଡ. ଅଜୟ କୁମାର ଦାଶ, ପାଠ୍ୟକ୍ରମ ସଂଯୋଜକ ଏସଏମଏସପି ଆର୍. ସାହୁ ଓ ଡ. ବି.କେ.ବାଞ୍ଜା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.