ଜାତୀୟ ରାଜପଥ କଡରୁ ଝୁଲନ୍ତା ମୃତଦେହ ଜବତ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ବରାଗଡ ଗ୍ରାମ୍ୟଛକ ଠାରେ ରାଜପଥ କଡରେ ଥିବା ଏକ ମହାଲିମ୍ବ ଗଛରୁ ଜଣେ ଯୁବକର ଝୁଲନ୍ତା ମୃତଦେହକୁ ପିପିଲି ପୁଲିସ ଜବତ କରିଛି। ମୃତକଙ୍କ ନାମ ଉମାକାନ୍ତ ପରିଡା ଓରଫ କାଳିଆ (୨୪) ଓ ତାଙ୍କ ଘର ନିକଟବର୍ତ୍ତୀ ମାଳିବରାହୀ ଗ୍ରାମରେ ହୋଇଥିବା ସୂଚନା ମିଳିଛି।

ବରାଗଡ ଗ୍ରାମ୍ୟଛକ ଠାରେ ଗଛରେ ଉମାକାନ୍ତଙ୍କ ମୃତଦେହ ଝୁଲୁଥିବାର ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପିପିଲି ଥାନା ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ମୃତଦେହକୁ ଗଛରୁ ଉଦ୍ଧାର କରିବା ସହ ପଞ୍ଚାନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲେ। ଏନେଇ ପିପିଲି ପୁଲିସରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ମୃତକଙ୍କ ବାଇକ୍‍ ଥୁଆ ହୋଇଥିବା ବେଳେ ସେଠାରେ ଏକ ସ୍ଥାନରେ ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖାଯାଇଥିବା ପରିଲକ୍ଷିତ ହୋଇଥିଲା। ଏହା ଏକ ଆତ୍ମହତ୍ୟା ମାମଲା ହୋଇଥିବା ନେଇ ସାଧାରଣରେ ଆଲୋଚନା ଚାଲିଥିବା ବେଳେ ଉମାକାନ୍ତଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.