ପିପିଲିରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ

ପିପିଲି :କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବି ସହ ଚାଷୀ ଓ ଶ୍ରମିକ ବିରୋଧି ନୀତି ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ସୋମବାର ପିପିଲି ଅଞ୍ଚଳରେ ଭାରତ ବନ୍ଦ ବେଶ୍‍ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ସୂଚନା ମିଳିଛି । ସିପିଆଇ(ଏମ୍‍ଏଲ୍‍) ଲିବରେସନର ନେତା ତଥା ବିଧାୟକ ପ୍ରାର୍ଥୀ ଅଶୋକ ପ୍ରଧାନ, କିଶାନ ପଟ୍ଟନାୟକ, ପିପିଲି ବ୍ଲକ ସଂପାଦକ ତଥା ଶ୍ରମିକ ନେତା ସର୍ବେଶ୍ୱର ଭାରତୀ, ଶ୍ରମିକନେତା ରାଜକିଶୋର ଶତପଥୀ, କାହ୍ନୁଚରଣ ବେହେରା, ସୁନନ୍ଦ ଗଡନାୟକ, ରବିନ୍ଦ୍ର ସ୍ୱାଇଁ, ସଂଜୁକ୍ତା ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ବାମପନ୍ଥୀ କର୍ମୀ ଓ ସମର୍ଥକମାନେ ପିପିଲି ତରାକାଜ ଛକ ଠାରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ପୂର୍ବାହ୍ନ ସାଢେ ୧୦ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

 

ସେଠାରେ ଶ୍ରୀଭାରତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉପରୋକ୍ତ ଶ୍ରମିକନେତାମାନେ କେନ୍ଦ୍ର ସରକାରଙ୍କ କୃଷକ ବିରୋଧି ନୀତିକୁ କଡା ସମାଲୋଚନା କରିଥିଲେ । କୃଷି ଓ କୃଷକର ଉନ୍ନତି ପାଇଁ ତୁରନ୍ତ ଘରୋଇ ଧାନମଣ୍ଡି ବ୍ୟବସ୍ଥାକୁ ଉଚ୍ଛେଦ କରି ସରକାରଙ୍କ ପକ୍ଷରୁ ଧାନ କିଣାଯିବା, ଚୁକ୍ତି ଭିତ୍ତିକ କୃଷି ଓ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରାଯିବା ଓ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଆଇନ ୨୦୨୦କୁ ରଦ୍ଦ କରାଯିବା ଆଦି ସେମାନେ ଦାବି କରିଥିଲେ । ପରେ ସେଠାରୁ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାର ବିରୋଧି ବିଭିନ୍ନ ସ୍ଥୋଗାନ ଦେଇ ପିପିଲି ବଜାର, ହାଟଛକ ଦେଇ ମେଡିକାଲ ଛକ ପର୍ଯ୍ୟନ୍ତ ଆସିବା ସହ ଦୋକାନ ବଜାର, ବ୍ୟାଙ୍କ ଆଦିକୁ ବନ୍ଦ କରିଥିଲେ ।

Comments are closed.