ରୁଦ୍ରଙ୍କ ପାଇଁ ଭୋଟ୍‍ ପ୍ରଚାର କଲେ ପ୍ରୀୟବ୍ରତ

ପିପିଲି:ରାଜ୍ୟର ଅତ୍ୟନ୍ତ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଭାବେ ପରିଚିତ ପିପିଲି-ଡେଲାଙ୍ଗ ବିଧାନସଭା ଆସନ ଉପନିର୍ବାଚନକୁ ମଝିରେ ଆଉମାତ୍ର ୩ଦିନ ବାକି ରହିଥିବା ବେଳେ ସୋମବାର ହେଉଛି ଭୋଟ୍‍ ପ୍ରଚାରର ଶେଷଦିନ। ଭୋଟରଙ୍କୁ ହାତେଇବାକୁ ସମସ୍ତ ରାଜନୈତିକ ଦଳ ଏବେ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ତେବେ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟଙ୍କ ପୁଅ ଯୁବନେତା ପ୍ରୀୟବ୍ରତ ଓରଫ ରାଜା। ନିଜର ଯୁବକର୍ମୀ ଓ ସମର୍ଥକଙ୍କ ସହ ସେ ବିଭିନ୍ନ ପଞ୍ଚାୟତ ଓ ପିପିଲି ଏନ୍‍ଏସିରେ ଘରକୁ ଘର ବୁଲି ରୁଦ୍ରଙ୍କ ସପକ୍ଷରେ ମାରାଥନ୍‍ ପ୍ରଚାର ଚଳାଇଛନ୍ତି।

ଏହି ନିର୍ବାଚନମଣ୍ଡଳୀର ଟାଣୁଆ କଂଗ୍ରେସ ନେତା ଭାବେ ପରିଚିତ ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟ କଂଗ୍ରେସ ଦଳ ଉପରେ ଅସନ୍ତୁଷ୍ଟ ହୋଇ ୨୦୧୯ ନିର୍ବାଚନ ସମୟରେ ଟିକେଟ୍‍ ଫେରାଇ ଦେଇଥିଲେ। ସେ ଏବେ ନୀରବ ରହିଥିବା ବେଳେ ତାଙ୍କ ପୁଅ ଯୁବନେତା ପ୍ରୀୟବ୍ରତ ଓରଫ ରାଜା ଗତ କିଛିମାସ ତଳେ ନିଜର ସମର୍ଥକଙ୍କ ସହ ଭୁବନେଶ୍ୱର ଠାରେ ବିଜେଡିରେ ଯୋଗ ଦେଇଥିଲେ। ରୁଦ୍ରଙ୍କୁ ବିପୁଳ ଭୋଟ୍‍ରେ ବିଜୟୀ କରାଇବା ପାଇଁ ସେ ଦଳୀୟ ନେତାଙ୍କୁ ପ୍ରତିଶୃତି ଦେଇଥିବା ବେଳେ ଏବେ ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ଏକାଠି କରିବା ପାଇଁ ଘନ ଘନ ବୈଠକ କରୁଛନ୍ତି। ପିପିଲି ଏନ୍‍ଏସିର ୧୬ଟି ୱାର୍ଡରେ ଥିବା ଯୁଧିଷ୍ଠୀରଙ୍କ ସମର୍ଥକଙ୍କୁ ନେଇ ସେ ଇତିମଧ୍ୟରେ ବୈଠକ କରି ବିଜେଡିରେ ସାମିଲ କରାଇବାରେ ସକ୍ଷମ ହୋଇଛନ୍ତି। ପିପିଲି ବ୍ଲକର କଣ୍ଟି, ପାଣିଦୋଳ, ଭାରତୀପୁର, ଗୋବିନ୍ଦପୁର, ସଁପୁର, ହାଟସାହି, ଦାଣ୍ଡମୁକୁନ୍ଦପୁର, ତେଇସିପୁର, ରୂପଦେଇପୁର, ସହଜପୁର, ପୁବାଶାସନ, ପୋପରଙ୍ଗା, ମଙ୍ଗଳପୁର ସମେତ ଡେଲାଙ୍ଗ ବ୍ଲକର ଅରିସଲ, ରେଞ୍ଚ, ମୋଟରୀ, ଘୋରଡିଆ, କଲ୍ୟାଣପୁର, ଶ୍ରୀପୁରୁଷୋତ୍ତମପୁର ଆଦି ପଞ୍ଚାୟତରେ ପ୍ରୀୟବ୍ରତ ଘରକୁ ଘର ବୁଲି ରୁଦ୍ରଙ୍କ ପାଇଁ ଜୋରଦାର ଭୋଟ୍‍ ପ୍ରଚାର ଚଳାଇଛନ୍ତି। ଅଞ୍ଚଳର ବିକାଶ ଧାରାକୁ ବଜାୟ ରଖିବା ନିମନ୍ତେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସହ ରୁଦ୍ରଙ୍କୁ ବିପୁଳ ଭୋଟ୍‍ ବ୍ୟବଧାନରେ ଜିତାଇବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି। ଯୁଧିଷ୍ଠୀରଙ୍କ ଅତି ଆପଣାର ଓ ଟାଣୁଆକର୍ମୀ ମାନଙ୍କୁ ସେ ଇତିମଧ୍ୟରେ ରୁଦ୍ଧଦ୍ୱାର ବୈଠକରେ ବିଜେଡିରେ ସାମିଲ କରାଇଥିବା ସୂଚନା ମିଳିଛି। ତାଙ୍କ ବାପାଙ୍କ ପକେଟ୍‍ ଭୋଟ୍‍ ବିଜେଡି ସପକ୍ଷରେ ଯିବ ବୋଲି ସେ ଦୃଢକ୍ତି ପ୍ରକାଶ କରିବା ସହ ପିପିଲି ପୌରାଞ୍ଚଳର ଭୋଟରଙ୍କୁ ଅଧିକ ଫୋକସରେ ରଖିଥିବା ପ୍ରୀୟବ୍ରତ କହିଛନ୍ତି।

Comments are closed.