ସିଫାରେ ସ୍ୱଚ୍ଛତା ନିମନ୍ତେ ପ୍ରତିବଦ୍ଧତା କର୍ମଶାଳା

0

ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ କରାଯିବା ଅବସରରେ ଶନିବାର ଅପରାହ୍ନରେ “ସ୍ୱଚ୍ଛତା ନିମନ୍ତେ ପ୍ରତିବଦ୍ଧତା” ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ସିଫା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ସିଫାର ନିର୍ଦ୍ଦେଶିକା ଡଃ ବିନ୍ଦୁ ଆର୍‍. ପିଲାଇ ଅଧ୍ୟକ୍ଷତା କରି ସିଫା ଦ୍ୱାରା କରାଯାଇଥିବା ସ୍ୱଚ୍ଛଭାରତ ଅଭିଯାନର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଏସ୍‍ଇଆଇଏଏ ର ଚେୟାରମ୍ୟାନ୍‍ ଡଃ ବିଜୟ କେତନ ପଟ୍ଟନାୟକ ଯୋଗଦେଇ ପ୍ଲାଷ୍ଟିକ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ ଉପରେ ବକ୍ତବ୍ୟ ରଖି ଚାରି ‘ଆର୍‍’ ( ରିଡ୍ୟୁସ୍‍, ରିକଭର, ରିସାଇକ୍ଲ/ରିୟୁଜ, ରିଫ୍ୟୁଜ୍‍ ପ୍ଲାଷ୍ଟିକ) ର ଗୁରୁତ୍ୱକୁ ବର୍ଣ୍ଣନା କରିଥିଲେ। ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ସ୍ମାର୍ଟସିଟି ଲିଃ ର ଯୁବ ବିଶେଷଜ୍ଞ ଶିଶିର କୁମାର ଗ୍ରହାଚାର୍ଯ୍ୟ ଯୋଗଦେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋକପାତ କରିବା ସହ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମନ୍ଦିରମାଳିନୀ ଐତିହାସିକ ସହର ଭୁବନେଶ୍ୱରକୁ ଶତ ପ୍ରତିଶତ ମୁକ୍ତ ମଳତ୍ୟାଗ ଅଞ୍ଚଳ, ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥା ବସ୍ତି ଥଇଥାନ, ଭିତ୍ତିଭୂମିର ଉନ୍ନତି ତଥା ଶୃଙ୍ଖଳିତ ସହରରେ ପରିଣତ କରାଯାଇଥିବା ସଂପର୍କରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ବୈଜ୍ଞାନିକ ଡଃ ସ୍ନାତାଶ୍ରୀ ମହାନ୍ତି ସଂଯୋଜନା କରିଥିବା ବେଳେ ବୈଜ୍ଞାନିକ ନିତିଶ ଚନ୍ଦନ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଶେଷରେ ବରିଷ୍ଠ ବୈଜ୍ଞାନିକ ଡଃ ନଗେଶ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
୧୫୦ତମ ଗାନ୍ଧୀ ଜୟନ୍ତୀ ମହୋତ୍ସବ ପାଳନ ଅବସରରେ ସାରା ଭାରତବର୍ଷକୁ ସ୍ୱଚ୍ଛ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରଖିଥିବା ବେଳେ ସିଫା ପକ୍ଷରୁ ବର୍ଷସାରା ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ଡିସେମ୍ବର ୧୬ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ବିଭିନ୍ନ ଦିବସରେ ସିଫାରେ ସ୍ୱଚ୍ଛତା ଶପଥ ପାଠ ସହ ବୃକ୍ଷରୋପଣ, କାର୍ଯ୍ୟାଳୟ ଓ ତା’ର ପରିସର ପରିଚ୍ଛନ୍ନତା, ଜୈବପାଚନ ପ୍ରଣାଳୀରେ ଆବର୍ଜନା ପରିଚାଳନା ଓ ସେଥିନିମନ୍ତେ ତତ୍କାଳ ସହାୟତା ପ୍ରଦାନ କରାଯାଇଥିଲା। ପଲିଥିନ୍‍ ମୁକ୍ତ ପରିବେଶ, ଆବର୍ଜନା ନାଳ ସଫା କରିବା ସହିତ କୃଷକ ଦିବସ, ପ୍ରଦର୍ଶନୀ, କର୍ମଶାଳା ତଥା ବୈଷୟିକ କର୍ମଶାଳା ଆଦି ଆୟୋଜିତ ହୋଇଯାଇଅଛି। ଏଥିସହ ସଚେତନତା ଶିବିର, ପଥପ୍ରାନ୍ତ ନାଟକ, ପଦଯାତ୍ରା ଆଦି ସ୍ଥାନୀୟ ଅଞ୍ଚଳ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଆୟୋଜନ କରାଯାଇ ସ୍ୱଚ୍ଛତା ସଂପର୍କରେ ସଚେତନ କରାଯାଇଥିଲା।

Leave A Reply