ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୂରାବସ୍ଥା, ଡାକ୍ତର ନିଯୁକ୍ତି ଦାବିରେ ଆମରଣ ଅନଶନ

୯ ଡାକ୍ତର ପଦବୀ ଖାଲି, ନିଶ୍ଚେତକ ବିଶେଷଜ୍ଞ ଅଭାବରୁ ଓଟି କୋମାରେ

ପିପିଲି : ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଉନ୍ନତି ଆସିଛି ବୋଲି ସରକାର ପ୍ରଚାର କରୁଥିବା ବେଳେ ଏହାର ବାସ୍ତବ ଚିତ୍ର ପିପିଲି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦେଖିଲେ ସହଜରେ ଜାଣିହେବ । ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ୧୯ କିଲୋମିଟର ବ୍ୟବଧାନରେ ଥିବା ପିପିଲିର ଏହି ମୁଖ୍ୟ ହସ୍‍ପିଟାଲ୍‍ରେ ମୋଟ୍‍ ୧୦ଜଣ ଡାକ୍ତରଙ୍କ ମଧ୍ୟରୁ  ଏବେ ମାତ୍ର ଜଣେ ଏମ୍‍ବିବିଏସ୍‍ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀସେବା । ସରକାରଙ୍କ ୫-ଟି ଯୋଜନା ଏଠାରେ କାମରେ ଆସୁନଥିବା ବେଳେ ଏବେ ଏଠାରେ ୪ ଜଣ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ରହିଛି । ନିଶ୍ଚେତକ ବିଶେଷଜ୍ଞଙ୍କ ଅଭାବରୁ ଏହି ହସ୍‍ପିଟାଲ୍‍ର ଓଟି ପାଲଟିଛି କୋମା । ତୁରନ୍ତ ଏହି ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କରିବା ଦାବିରେ ଆଜି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନର ନେତୃବୃନ୍ଦ ଡାକ୍ତରଖାନା ସମ୍ମୁଖରେ ଆମରଣ ଅନଶନ ଚଳାଇଛନ୍ତି । ସେମାନଙ୍କ ଦାବି ଅନୁଯାଇ ନିକଟବର୍ତ୍ତୀ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତରଙ୍କୁ ଏହି ଡାକ୍ତରଖାନାକୁ ଡେପୁଟେସନରେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ  ପିପିଲି ଏନ୍‍ଏସି, ପିପିଲି ବ୍ଲକର ୧୪ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀଙ୍କ ସମେତ ନିମାପଡା ବ୍ଲକ, ବାଲିପାଟଣା ବ୍ଲକର ନିର୍ଦ୍ଧିଷ୍ଟ କେତେକ ଅଞ୍ଚଳ ଓ ଡେଲାଙ୍ଗ ବ୍ଲକର କେତେକ ପଞ୍ଚାୟତବାସୀ ନିର୍ଭର କରନ୍ତି । ଦୈନିକ ଏହି ଡାକ୍ତରଖାନାକୁ ୩ଶହରୁ ଉର୍ଦ୍ଧ୍ବ ରୋଗୀ ଆସୁଥିବା ବେଳେ ଗତ କିଛି ମାସ ହେବ ଡାକ୍ତର ଅଭାବ ଯୋଗୁଁ ନାନା ସମସ୍ୟା ସୃଷ୍ଟି ହେଉଛି । ଏଠାରେ ୪ଜଣ ଏମ୍‍ବିବିଏସ୍‍ ଡାକ୍ତର, ୪ଜଣ ବିଶେଷଜ୍ଞ ଡାକ୍ତର ଓ ୨ଜଣ ଏମ୍‍ଓ ଇନ୍‍ଚାର୍ଜ ଡାକ୍ତର ପଦବୀ ଭଳି ୧୦ଜଣ ନିୟମିତ ଡାକ୍ତରଙ୍କ ସ୍ଥାନରେ ଏବେ ମାତ୍ର ଜଣେ ଏମ୍‍ବିବିଏସ୍‍ ଡାକ୍ତର ଅବିନାଶ ରଥ କାର୍ଯ୍ୟରତ ଅଛନ୍ତି । ମେଡିସିନ, ସର୍ଜରୀ, ଗାଇନିକ୍‍ ଓ ପେଡିଆଟ୍ରିକ୍‍ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ରହିଛି । ଏଠାକୁ ଡେପୁଟେସନରେ ଆସିଥିବା ଜଣେ ଇଏନ୍‍ଟି ବିଭାଗୀୟ ମହିଳା ଡାକ୍ତର, ଜଣେ  ଆୟୁଷ ଡାକ୍ତର ଓ କୋଭିଡ୍‍ ଡ୍ୟୁଟିରେ ଆସିଥିବା ଅନ୍ୟଜଣେ ଡାକ୍ତରଙ୍କ ଶରୀର ଅସୁସ୍ଥତା ଯୋଗୁଁ ଏବେ ସେମାନେ ଚିକିତ୍ସାଧିନ ଥିବା କାରଣରୁ ଡାକ୍ତରଖାନାରେ ଅନୁପସ୍ଥିତ ଥିବା ସୂଚନା ମିଳିଛି । ଫଳରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବାରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ଦୀର୍ଘ ଦିନ ଧରି ଏହି ଡାକ୍ତରଖାନାରେ ଡାକ୍ତର ଅଭାବ ଜନିତ ସମସ୍ୟା ଲାଗି ରହିଥିବା ବେଳେ ଏବେ କିଛି ସପ୍ତାହ ହେଲା ଜଣେ ଡାକ୍ତରଙ୍କ ଦ୍ୱାରା ରୋଗୀଙ୍କ ସେବା କରାଯାଉଥିବା ସୂଚନା ମିଳିଛି । କରୋନା ମହାମାରୀ ଭଳି ଘଡିସନ୍ଧୀ ମୁହୂର୍ତ୍ତରେ ଏହି ଡାକ୍ତରଖାନାରେ ରୋଗୀ ସେବା ବ୍ୟାହତ ହେବାକୁ ନେଇ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଜଣେ ଡାକ୍ତରଙ୍କ ଦ୍ୱାରା ଏଠାରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବା କଷ୍ଟକର ହୋଇ ପଡିଛି । ଅନେକ ସମୟରେ ଓପିଡି ଓ ଜରୁରୀକାଳୀନ ଚିକିତ୍ସା ପାଇଁ ଏଠାକୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ନିକଟବର୍ତ୍ତୀ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପରାମର୍ଶ ଦିଆଯାଉଛି । ଅନେକ ଗୁରୁତର ରୋଗୀ ମାନେ ଅନ୍ୟ ଉପାୟ ନପାଇ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଯିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ଉପଯୁକ୍ତ ରୋଗୀସେବା ମିଳୁନଥିବା ବେଳେ ରୋଗୀମାନେ ବାଧ୍ୟ ହୋଇ କେତେକ ଘରୋଇ ଡାକ୍ତରଙ୍କ କ୍ଲିନିକ୍‍ ଉପରେ ନିର୍ଭର କରୁଛନ୍ତି । ଏହି ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଅନେକ ସମୟରେ ରୋଗୀମାନେ ଔଷଧ ଦୋକାନୀଙ୍କ ପରାମର୍ଶରେ ଔଷଧ ସେବନ କରୁଥିବା ସୂଚନା ମିଳିଛି । ଗାଇନିକ୍‍ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଗର୍ଭବତୀ ମହିଳାମାନେ ଏଠାରେ ଜରୁରୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିବା ବେଳେ ବାଧ୍ୟ ହୋଇ ସେମାନେ ପ୍ରାଇଭେଟ୍‍ କ୍ଲିନିକ କିମ୍ବା ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଏଥିଯୋଗୁଁ ଗରୀବ ଲୋକେ ଅଯଥା ଖର୍ଚ୍ଚାନ୍ତ ହେଉଥିବ ଅଭିଯୋଗ ହୋଇଛି । ଏଠାରେ ଓଟି (ଅପରେସନ୍‍ ଥିଏଟର) ଥିବା ବେଳେ ନିଶ୍ଚେତକ ବିଶେଷଜ୍ଞ ଅଭାବ ଯୋଗୁଁ ଛୋଟ ଅପରେସନ ମଧ୍ୟ କରାଯାଇ ପାରୁନଥିବା ସୂଚନା ମିଳିଛି । ଅଞ୍ଚଳର ଏହି ପ୍ରମୁଖ ଡାକ୍ତରଖାନାରେ ଏକ୍ସରେ ମେସିନ ନଥିବା ବେଳେ ଅର୍ଥପେଡିକ୍‍ ବିଶେଷଜ୍ଞ ପଦବୀ ନଥିବା ଯୋଗୁଁ ରୋଗୀମାନେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛନ୍ତି ।  ତେବେ ଏଠାରେ ୩ଜଣ ନିୟମିତ ଫାର୍ମାସିଷ୍ଟ ଆବଶ୍ୟକ ରହିଥିବା ବେଳେ ଜଣେ ନିୟମିତ ଫାର୍ମସିଷ୍ଟ ଓ ନିରାମୟ ଯୋଜନାରେ ଜଣେ ଫାର୍ମାସିଷ୍ଟ ଅଛନ୍ତି । ନିରାମୟ ଯୋଜନାରେ ଜଣେ ଫାର୍ମସିଷ୍ଟ ଥିବା ଯୋଗୁଁ ଏଠାରେ ଏହି ଯୋଜନାରେ ରୋଗୀଙ୍କୁ ୨୪ ଘଣ୍ଟିଆ ମାଗଣା ଔଷଧ ବିତରଣ ହୋଇ ପାରୁନାହିଁ । ସକାଳ ୮ରୁ ଦିନ ୧୨ ଓ ଅପରାହ୍ନ ୩ରୁ ସଂନ୍ଧ୍ୟା ୫ଟା ଯାଏଁ ଏହି ଡାକ୍ତରଖାନାରେ ରୋଗୀଙ୍କୁ ନିରାମୟ ଯୋଜନାରେ ମାଗଣା ଔଷଧ ବିତରଣ କରାଯାଉଥିବା ସୂଚନା ମିଳିଛି ।

ତୁରନ୍ତ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ଜଣ ନୂଆ ସ୍ଥାୟୀ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା, ଏଠାରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା, ନିରାମୟ ଯୋଜନାରେ ରୋଗୀଙ୍କୁ ୨୪ ଘଣ୍ଟିଆ ମାଗଣା ଔଷଧ ବିତରଣ କରାଯିବା, ଖାଲି ପଡିଥିବା କର୍ମଚାରୀ ପଦବୀ ପୂରଣ କରାଯିବା ଓ ଏଠାରେ ଉପଲବ୍ଧ ସମସ୍ତ ସୁବିଧା ରୋଗୀଙ୍କୁ ଯୋଗାଇ ଦିଆଯିବା ଦାବିରେ ସାମ୍ବାଦିକ ରାକେଶ ରୋଶନ ମହାନ୍ତି, ସମାଜସେବୀ ପ୍ରଣତୀରାଣୀ ପ୍ରଧାନ, ପ୍ରବୀର ହାଲଦାର, ଜାତୀୟ ଦଳିତ ଆଦିବାସୀ ମାଇନରିଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ, ଅନୁପ ପରିଡା, ବିଶାଲ ବାରିକ, ଶଶୀ ରାୟ ପ୍ରମୁଖଙ୍କ ନେତୃତ୍ୱରେ  ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ମେଡିକାଲ ସମ୍ମୁଖରେ ସକାଳ ୮ଟାରୁ ଆମରଣ ଅନଶନରେ ବସିଛନ୍ତି । ପିପିଲି ତହସିଲଦାର ସପନ କୁମାର ନନ୍ଦ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ଜେ.ବି ପଟ୍ଟନାୟକ ପ୍ରମୁଖ ମଧ୍ୟାହ୍ନରେ ଅନଶନକାରୀଙ୍କ ସହ ଆଲୋଚନା କରିଥିବା ବେଳେ ନିୟମିତ ଡାକ୍ତର ନିଯୁକ୍ତି କରାନଯିବା ଯାଏଁ ଅନଶନରୁ ଓହରିବୁ ନାହିଁ ବୋଲି ସେମାନେ ରୋକଠୋକ ଭାବେ ମନା କରି ଦେଇଥିଲେ । ତେବେ ମଙ୍ଗଳପୁର ମେଡିକାଲର ଡାକ୍ତର ସୁମନ ପ୍ରଧାନଙ୍କୁ  ଏହି ଡାକ୍ତରଖାନାରେ ୱାର୍କ ମ୍ୟାନେଜମେଣ୍ଟ ବେସିସ୍‍ରେ କାର୍ଯ୍ୟରେ ଯୋଗ ଦେବା ପାଇଁ ଅପରାହ୍ନରେ ପୁରୀ ସିଡିଏମ୍‍ଓ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ତେବେ ନୂତନ ଡାକ୍ତର ଯୋଗ ନଦେବା ଯାଏଁ ଅନଶନରୁ ଓହରିବୁ ନାହିଁ ବୋଲି ଅନଶନକାରୀମାନେ ଜିଦ୍‍ ଧରିଥିବା ବେଳେ ଖବର ଲେଖା ହେବା ଯାଏଁ ଅନଶନ ଚାଲିଥିବା ସୂଚନା ମିଳିଛି ।

Comments are closed.