ଗ୍ୟାସ୍‍ ସିଲିଣ୍ଡର ଫାଟି ଜଳିଗଲା ୧୦ବଖରା ଘର

ପିପିଲି : ପିପିଲି ବ୍ଲକ ଦୁର୍ଗାଦାସପୁର ପଞ୍ଚାୟତ ଅନ୍ତର୍ଗତ ଠଣଠଣା ଜେନା ସାହିରେ ଆଜି ଗ୍ୟାସ୍‍ ସିଲିଣ୍ଡର ଫାଟି ୧୦ ବଖରା ଘର ଜଳିଯାଇଛି। ତେବେ ସୌଭାଗ୍ୟବସତଃ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି। ପିପିଲିରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଦେଢଘଣ୍ଟାକାଳ ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିକୁ ଆୟତ୍ତ କରିଥିଲା।

ପ୍ରାପ୍ତ ସୂଚନା ଅନୁଯାଇ, ଠଣଠଣା ଜେନା ସାହିର ଦୁଃଖି ଜେନାଙ୍କ ଘରୁ ପ୍ରଥମେ ଅଗ୍ନି ଚାରିଆଡେ ବ୍ୟାପିଥିଲା। ଶ୍ରାଦ୍ଧ କାର୍ଯ୍ୟ ପାଇଁ ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ସମୟରେ ତାଙ୍କ ଘରେ ରୋଷେଇ କରାଯାଉଥିବା ବେଳେ କୌଣସି କାରଣରୁ ଗ୍ୟାସ୍‍ ସିଲିଣ୍ଡର ଲିକ୍‍ ହୋଇ ସେଥିରେ ଅଗ୍ନିକାଣ୍ଡ ଘଟିଥିଲା। ତତ୍‍କ୍ଷଣାତ୍‍ ଦୁଃଖି ଜେନାଙ୍କ ପରିବାର ଲୋକଙ୍କ ସମେତ ପଡୋଶୀ ଘରର ଲୋକମାନେ ବାହାରକୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ସହ ସିଲିଣ୍ଡରରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ସିଲିଣ୍ଡରଟି ହୁତୁହୁତୁ ହୋଇ ଜଳିବା ସହ ଘରର ଚାଳରେ ନିଆଁ ଲାଗିଯାଇଥିଲା। କିଛି ସମୟ ପରେ ସିଲିଣ୍ଡରଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇ ପ୍ରାୟ ୫୦ଫୁଟ ଉପରକୁ ଉଠିଯାଇଥିଲା। ଜଳନ୍ତା ସିଲିଣ୍ଡରଟି ପାଖରେ ଥିବା ଏକ ନଡିଆ ଗଛରେ ମାଡ ହୋଇ ଅନ୍ୟ ଏକ ଚାଳଘର ଉପରେ ପଡିଥିଲା। ଏଥିରେ ଉକ୍ତ ନଡିଆ ଗଛ ସମେତ ଅନ୍ୟ ଚାଳ ଛପର ଘର ମଧ୍ୟ ଜଳି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଦୁଃଖି ଜେନାଙ୍କ ସମେତ ଉକ୍ତ ସାହିର ଧଡୁ ଜେନା, ଅଜୁ ମଲ୍ଲିକ, ପବନା ଜେନା, ପ୍ରମୋଦ ଜେନା, ଆଲୋକ ଜେନା, ମଞ୍ଜୁ ଜେନା, ସନାତନ ଜେନା ପ୍ରଭୃତିଙ୍କ ୧୦ବଖରା ଘର ସଂପୂର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇଯାଇଛି। ଘର ମଧ୍ୟରେ ଥିବା ଚାଉଳ, ଗହମ, ବିରି, ମୁଗ ଆଦି ଶସ୍ୟ ସମେତ ଟିଭି, ଫ୍ୟାନ୍‍, ବାଜା, ପୋଷାକପତ୍ର ଓ ଦରକାରୀ କାଗଜପତ୍ର ସବୁ ପୋଡିଯାଇଛି। ଖବର ପାଇ ପିପିଲି ଅଗ୍ନିଶମବାହିନୀ ୨ଟି ଦମକଳ ସହ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଦେଢଘଣ୍ଟାକାଳ ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିକୁ ଆୟତ୍ତ କରିଥିଲା। ପିପିଲି ତହସିଲଦାର ସପନ କୁମାର ନନ୍ଦ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଅଗ୍ନିବିପନ୍ନଙ୍କୁ ତହସିଲ ପକ୍ଷରୁ ପଲିଥିନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ମହାରଥୀ, ବରିଷ୍ଠ ନେତା ସଦାଶିବ ଦାଶ, ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଗ୍ନିବିପନ୍ନ ପରିବାରକୁ ସମବେଦନା ଜଣାଇଥିଲେ। ଅଗ୍ନିବିପନ୍ନ ପ୍ରତ୍ୟେକ ପରିବାରକୁ ବିଧାୟକ ଶ୍ରୀମହାରଥୀ ପାଲ ଓ କମ୍ବଳ ପ୍ରଦାନ କରିଥିବା ବେଳେ ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଅଗ୍ନିବିପନ୍ନ ପରିବାର ଲୋକେ ସେମାନଙ୍କ ଛୁଆପିଲାଙ୍କୁ ନେଇ ନିକଟବର୍ତ୍ତି ବିଦ୍ୟାଳୟରେ ଆଶ୍ରୟ ନେଇଥିବା ବେଳେ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଅଗ୍ନିବିପନ୍ନ ମାନେ ଅତ୍ୟନ୍ତ ଦରିଦ୍ର ହୋଇଥିବାର ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି କରାଯାଇଛି।

Comments are closed.