ଚିନ୍ତା ବଢାଉଛି ଭାର୍ଗବୀ ନଦୀବନ୍ଧର ଘଳିଆ

ପିପିଲି : ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ନଦୀବନ୍ଧରେ ବହୁ ସ୍ଥାନରେ ଘଳିଆ ସୃଷ୍ଟି ହୋଇଛି। ତେବେ ଭାର୍ଗବୀ ନଦୀର ଦକ୍ଷୀଣପାର୍ଶ୍ବ ବନ୍ଧର ମଉଜବେଗ ଗ୍ରାମଠାରେ ସୃଷ୍ଟି ହୋଇଥିବା ଘଳିଆ ବିପଦପୂର୍ଣ୍ଣ ରହିଥିବାବେଳେ ତାର ସଫଳ ମରାମତି ତଥା ନିୟନ୍ତ୍ରଣ କରିବା ପାଇଁ ଜଳସଂପଦ ବିଭାଗର କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ମୃତୟନ କରାଯିବା ସହ ସେଠାରେ ଏନ୍‍ଡିଆର୍‍ଏଫ୍‍, ଓଡ୍ରାଫ୍‍ ଟିମ୍‍ ସମେତ ଅଗ୍ନିଶମବାହିନୀ କ୍ୟାମ୍ପ ପକାଇ ସଜାଗ ରହିଥିବା ସୂଚନା ମିଳିଛି।
ରୂପଦେଇପୁର ପଞ୍ଚାୟତର ମଉଜବେଗଠାରେ ଭାର୍ଗବୀ ନଦୀବନ୍ଧରେ ଗତକାଲିଠାରୁ ପଡିଥିବା ଦୁଇଟି ଘଳିଆର ମରାମତି ଚାଲିଛି। ଦୁଇଟିଯାକ ଘଳିଆ ନଦୀବନ୍ଧ ପାର୍ଶ୍ବ କେନାଲ ମଧ୍ୟରେ ବାହାରିଥିବାବେଳେ ତାକୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡିଥିଲା। ଆଜି ସକାଳେ ଘଳିଆ ମରାମତି ପାଇଁ ନଦୀବନ୍ଧରେ ବାଲି ନେଇ ଯାଉଥିବା ଏକ ଟ୍ରାକ୍ଟର ହଠାତ୍‍ ଗୋଟିଏ ଘଳିଆ ନିକଟରେ ୩ଫୁଟ ଗଳିପଡିଥିଲା। ନଦୀବନ୍ଧ ସେଠାରେ ଦବି ଯିବାରୁ ଘଳିଆର ମୁଁହ ବନ୍ଦ ହୋଇଯାଇଥିଲା। ଲୋକେ ବାଲିବସ୍ତା ପକାଇ ନଦୀବନ୍ଧକୁ ମରାମତି କରିଥିବାବେଳେ ଜଳସଂପଦ ବିଭାଗ ପକ୍ଷରୁ ନଦୀମଧ୍ୟରେ ବହ୍ଲା ପୋତାଯାଇ ବାଲିବସ୍ତା ପକାଯାଇ ସେହି ଘଳିଆକୁ ମରାମତି କରାଯାଇଥିଲା। ସେହି ନିକଟରେ ସୃଷ୍ଟି ହୋଇଥିବା ଅନ୍ୟ ଏକ ଘଳିଆର ମରାମତି ଚାଲିଥିଲେ ମଧ୍ୟ ସଂନ୍ଧ୍ୟା ସୁଦ୍ଧା ତାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ପୁରୀ ଜିଲାପାଳ ବଲୱନ୍ତ ସିଂ ଆଜି ଅପରାହ୍ନରେ ଉକ୍ତ ଘଳିଆ ମରାମତି ସ୍ଥାନ ପରିଦର୍ଶନ କରିଥିଲେ। ଘଳିଆକୁ ଯୁଦ୍ଧକାଳୀନ ଭିତ୍ତିରେ ନିୟନ୍ତ୍ରଣ କରିବା ସହ ସେଠାରେ ୨୪ଘଣ୍ଟିଆ ସତର୍କ ଦୃଷ୍ଟି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନଦୀବନ୍ଧ ଉପରେ ପୁଲିସ ମୃତୟନ କରାଯାଇଥିବାବେଳେ ଘଟଣାସ୍ଥଳରେ ପିପିଲି ତହସିଲଦାର ସପନ କୁମାର ନନ୍ଦ, ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜଳସଂପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଚିନ୍ମୟ ରାଉତ, ଏକ୍‍ଜିକ୍ୟୁଟିଭ୍‍ ଇଂଜିନିୟର ଭଗବାନ ଦାଶ, ପ୍ରମୋଦ ରାଉତ, ସହକାରୀ ଏକ୍‍ଜିକ୍ୟୁଟିଭ୍‍ ଇଂଜିନିୟର ପ୍ରମୋଦ କୁମାର କୋଦମାନସିଂ, ସହକାରୀ ଯନ୍ତ୍ରୀ ପୀତାମ୍ବର ନାୟକ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଘଳିଆ ମରାମତି କାର୍ଯ୍ୟର ତଦାରଖ କରୁଥିବା ସୂଚନା ମିଳିଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଥିବାବେଳେ ୪ଟି ପଞ୍ଚାୟତର ଅଧିବାସୀଙ୍କୁ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ପଡିଲେ ଉକ୍ତ ୪ଟି ପଞ୍ଚାୟତର ୪ହଜାର ୫ଶହ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ପାଇଁ ଯୋଜନା କରାଯାଇଥିବା ସଂପର୍କରେ ତହସିଲଦାର ଶ୍ରୀନନ୍ଦ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଏନ୍‍ଡିଆର୍‍ଏଫ୍‍, ଓଡ୍ରାଫ୍‍ ଟିମ୍‍ ସମେତ ଅଗ୍ନିଶମବାହିନୀ କ୍ୟାମ୍ପ ପକାଇ ସଜାଗ ରହିଥିବା ସଂପର୍କରେ ତହସିଲଦାରଙ୍କଠାରୁ ସୂଚନା ମିଳିଛି। ସେହିପରି ଭାର୍ଗବୀନଦୀ ବନ୍ଧରେ ଉତ୍ତରାଠାରୁ ବଳଙ୍ଗା ପର୍ଯ୍ୟନ୍ତ ଅନେକ ସ୍ଥାନରେ ଘଳିଆ ସୃଷ୍ଟି ହୋଇଥିବାବେଳେ ସେଗୁଡିକର ମରାମତି କରାଯିବା ସହ ସତର୍କ ଦୃଷ୍ଟି ରଖାଯାଇଥିବା ସୂଚନା ମିଳିଛି। ଦୟାନଦୀର ବାମପାର୍ଶ୍ବ ବନ୍ଧରେ ମଧ୍ୟ ଏକାଧିକ ଘଳିଆ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଦୟାନଦୀର କଣ୍ଟି ଓ ମାଧିପୁର କାଜରୁ ନିର୍ଗତ ବନ୍ୟାଜଳ ଶହଶହ ହେକ୍ଟର ଚାଷଜମିକୁ ଜଳମଗ୍ନ କରିଥିବାବେଳେ ବହୁଗ୍ରାମ ଜଳବନ୍ଦୀ ହୋଇରହିଛି। ୮ରୁ ଉର୍ଦ୍ଧ୍ବ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ବହୁଘର ମଧ୍ୟରେ ବନ୍ୟାଜଳ ପଶିଯାଇଛି। ପିପିଲି-ଜଟଣୀ ରାସ୍ତାର ବାରିମୂଳ ନିକଟରେ ରାସ୍ତା ଉପରେ ୩ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ସେହି ରାସ୍ତାରେ ଗାଡିମୋଟର ଯାତାୟତ ବନ୍ଦ ହୋଇଯାଇଛି।

Comments are closed.