କତା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଜଳିଗଲା ୪୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି

ପିପିଲି : ପୁରୀ ଜିଲା ସାତସଙ୍ଖ ସ୍ଥିତ ଜ୍ୟୋତି କଏର ଓ ନାସ୍ପାଲ କଏର ନାମକ ଦୁଇଟି କତା ଫ୍ୟାକ୍ଟ୍ରିରେ ଗତକାଲି ରାତିରୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଛି । ଫ୍ୟାକ୍ଟ୍ରିରୁ ଧୁଆଁ ବାହାରୁଥିବା ନେଇ ପଡୋଶୀ ପ୍ୟାକ୍ଟ୍ରିର ତୃତୀୟ ମହଲାରେ ରହୁଥିବା ମାଲିକଙ୍କୁ ଜଣାଇଥିଲେ । ମାଲିକ ଓ ତାଙ୍କ ପରିବାର ଲୋକ ପ୍ରାଣ ବିକଳରେ ଘରୁ ବାହାରି ପଳାଇ ଆସିଥିଲେ । ଏହାପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ସାକ୍ଷୀଗୋପାଳ ଓ ପିପିଲିରୁ ଦମକଳ ବାହିନୀ ଆସି ନିଆଁ ଲିଭାଉଥିଲେ । କିନ୍ତୁ ପ୍ୟାକ୍ଟ୍ରିରେ ବହୁପରିମାଣର କତା ମହଜୁଦ ଥିବା କାରଣରୁ ନିଆଁ ସହଜରେ ଲିଭିନଥିଲା । ସକାଳୁ ଉକ୍ତ ସ୍ଥାନରେ ପୁରୀ ସର୍କଲ ଡେପୁଟି ଫାଆର ଅଫିସର ବିଚିତ୍ର କୁମାର ପଣ୍ଡା ଏବଂ ପୁରୀର ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାର୍ୟ୍ୟରେ ଲାଗିଛନ୍ତି ।

ଦୁଇଟି କତା ଫ୍ୟାକ୍ଟ୍ରିର ପ୍ରବେଶ ଓ ପ୍ରସ୍ତାନ ପଥ ଗୋଟିଏ ହୋଇଥିବାରୁ ନିଆଁଲିଭାରେ ଅସୁବିଧା ହେଉଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି । ଫ୍ୟାକ୍ଟ୍ରିର ଦ୍ବତୀୟ ମହାଲାରେ କତା ତିଆରି ସାମଗ୍ରୀ ରହିଥିବା କାରଣରୁ ପ୍ରବଳ ମାତ୍ରାରେ ନିଆଁ ଜଳୁଛି । ଆବଶ୍ୟକ ହେଲେ ଘରର କାନ୍ଥ ଭଙ୍ଗିବାକୁ ପଡିବ ବୋଲି ଡେପୁଟି ଫାଆର ଅଫିସର ଶ୍ରୀ ପଣ୍ଡା କହିଛନ୍ତି । ନିଆଁ ଲିଭା କାର୍ୟ୍ୟ ଜାରି ରହିଥିଲେ ବେ​‌ଳେ ଅଗ୍ନିକାଣ୍ଡରେ ଫ୍ୟାକ୍ଟ୍ରିରେ ଥିବା ୩୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର କତା ପାରୁ, ପାପୋଛ,ରଶି, ଖରିକା ସମେତ ୧୫ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଯନ୍ତ୍ରାଶ ଜଳିଯାଇଥିବା ଦୁଇଟି ଫ୍ୟାକ୍ଟ୍ରିର ମାଲିକ ଜ୍ୟୋତି ରଞ୍ଜନ ପ୍ରାତ୍ର ଓ ବିରେନ୍ଦ୍ର ମୋହନ ପାତ୍ର ସୂଚନା ଦେଇଛନ୍ତି ।

Comments are closed.