ପିପିଲି : ଚାନ୍ଦୁଆ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା ଅଢେଇ ଲକ୍ଷ ଟଙ୍କାର ଚାନ୍ଦୁଆ

ଦୀପାବଳିରେ ଅଘଟଣ

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ସିଂହସାହିରେ ଥିବା ଏକ ଚାନ୍ଦୁଆ ଗୋଦାମରେ ଅଗ୍ନିକାଣ୍ଡ ଘଟି ଅଢେଲ ଲକ୍ଷ ଟଙ୍କା ମୂଲ୍ୟର ଚାନ୍ଦୁଆ ଜଳିଯାଇଛି । ଦୀପାବଳି ଅବସରରେ ବାଣଫୁଟା ଯାଉଥିବା ବେଳେ ଫୁଟା ବାଣ ପଡି ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ସିଂହସାହିରେ ଥିବା ଚାନ୍ଦୁଆ ବ୍ୟବସାୟୀ ଅଚ୍ୟୁତ ମହାନ୍ତିଙ୍କ ଗୋଦାମରେ ଗୁରୁବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଗୋଦାମର ଅଗଣାରେ ଟଣାଯାଇଥିବା ଏକ ଜରିପାଲ ଉପରେ କୌଣସି ସ୍ଥାନରୁ ଏକ ଫୁଟାବାଣ ଉଡି ଆସି ପଡିବା ପରେ ଜରିପାଳ ଜଳିଯିବା ସହ ଗୋଦାମ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ଗୋଦାମ ଘରେ ରଖାଯାଇଥିବା ୫୦ଟି ଚାନ୍ଦୁଆରେ ନିର୍ମତ ସ୍ୱାଗତ ତୋରଣ (ୱେଲକମ୍‍ ଗେଟ୍‍) ଓ ୧୧୦ଟି ଚାନ୍ଦୁଆ ବେଦୀ ସମେତ ଅନ୍ୟାନ୍ୟ ଚାନ୍ଦୁଆ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିଲା। ଗୋଦାମଘର ମଧ୍ୟରେ ଥିବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜଳିଯାଇଥିଲା । ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ।

Comments are closed.