ଚନ୍ଦକା ଗଲା ପିପିଲି ନରହନ୍ତା ଦନ୍ତା

ଭୁବନେଶ୍ବର/ଯାଁଳା/ତମାଣ୍ଡୋ : ପିପିଲିରେ ଚାରି ଚାରି ଜଣଙ୍କୁ ଦଳିଚକଟି ଜୀବନ ନେଇଥିବା ନରହନ୍ତା ଦନ୍ତା ସୋମବାର ରାତିରେ ଚନ୍ଦକା ଜଙ୍ଗଲକୁ ଫେରି ଯାଇଛି। ରବିବାର ରାତିରେ ପିପିଲିରୁ ଫେରିଥିବା ଉକ୍ତ ଦନ୍ତା ହାତୀ ଆଜି ଦିନମତମାମ୍‍ ପାତ୍ରପଡ଼ା ଔଷଧୀୟ ଜ୍ଞାନ କେନ୍ଦ୍ର(ମେଡିସିନାଲ୍‍ ଗାର୍ଡେନ୍‍)ରେ ରହିବା ପରେ ସନ୍ଧ୍ୟାରେ କଳିଙ୍ଗନଗର, ଘାଟିକିଆ ଓ ନୂଆଗାଁ ଦେଇ ଚନ୍ଦକା ଜଙ୍ଗଲକୁ ଫେରି ଯାଇଛି। ଦିନ ସାରା ବନ ବିଭାଗକୁ ନାକେଦମ୍‍ କରିଥିବା ଦନ୍ତା ଶେଷରେ କିଛି କ୍ଷୟକ୍ଷତି ନକରି ଜଙ୍ଗଲକୁ ଫେରି ଯାଇଥିବାରୁ ବନ ବିଭାଗ ଆଶ୍ୱସ୍ତ ହୋଇଛି। ତେବେ ଆଜି ଭୋର୍‍ ସମୟରେ ଫୁଲେଶ୍ୱରୀ ବସ୍ତିର ଗାଙ୍ଗୀ ମୁଣ୍ଡା ନାମକ ଜଣେ ମହିଳା ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ପ୍ରାଣଭୟରେ ଦୌଡ଼ିବାବେଳେ ପଡ଼ିଯାଇ ସେ ସାମାନ୍ୟ ଆହତ ହୋଇଛନ୍ତି।
ସୂଚନାନୁସାରେ ରବିବାର ରାତି ପ୍ରାୟ ୧୨ଟାବେଳେ ଦନ୍ତା ହାତୀଟି ପିପିଲି ଥାନା କଣ୍ଟିବଜାର ନିକଟ ଦେଇ ଦୟା ନଦୀ ପାର୍‍ ହେବା ପରେ ପିଛା କରୁଥିବା ବନ ବିଭାଗ ଆଉ ତା’ର ଟେର୍‍ ପାଇନଥିଲା। ଆଜି ସକାଳୁ ଏୟାର୍‍ଫିଲ୍ଡ ଥାନା ପଞ୍ଚୁପଲ୍ଲୀ ପଞ୍ଚାୟତର ନୂଆଗାଁରେ ହାତୀର ପାଦଚିହ୍ନ ଓ ମଳତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା। ତେଣୁ ହାତୀଟି ରେତଙ୍ଗ ଅଞ୍ଚଳରେ ଥିବା ନେଇ ସନ୍ଦେହ କରାଯାଇଥିଲା ଓ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। ମାତ୍ର ସକାଳୁ ଫୁଲେଶ୍ୱରୀ ବସ୍ତିରେ ହାତୀ ରହିଥିବା ଖବର ପ୍ରଚାର ହେବା ପରେ ସ୍ପଷ୍ଟ ହେଲା ଯେ ଉକ୍ତ ଦନ୍ତା ହିଁ ଗତ ରାତିରେ ରେତଙ୍ଗ ନିକଟରେ ରେଳ ଧାରଣା ପାର୍‍ ହୋଇଛି ଓ ପରେ ରେତଙ୍ଗ-ପାତ୍ରପଡ଼ା ଗହୀର ଦେଇ ୧୬ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିବା ପରେ ମେଡ଼ିସିନାଲ୍‍ ଗାର୍ଡେନରେ ପଶିଛି। ଭୋର୍‍ ସମୟରେ ଫୁଲେଶ୍ୱରୀ ବସ୍ତିର ଗାଙ୍ଗୀ ମୁଣ୍ଡା ହାତୀକୁ ଦେଖି ଭୟରେ ଦୌଡ଼ିବା ବେଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ।
ମେଡିସିନାଲ୍‍ ଗାର୍ଡେନ୍‍ରେ ହାତୀ ରହିଥିବା ସ୍ପଷ୍ଟ ହେବା ପରେ କଳିଙ୍ଗନଗର ଓ ଫୁଲେଶ୍ୱରୀ ବସ୍ତିରେ କୋକୁଆଭୟ ଖେଳି ଯାଇଥିଲା। ପିପିଲି କାଣ୍ଡ ଘଟିବା ଆଶଙ୍କାରେ ବନ ବିଭାଗର ଅଧିକାରୀମାନେ ପୁଲିସ ପ୍ରଶାସନକୁ ସାଙ୍ଗରେ ନେଇ ସେଠାରେ ଡେରା ପକାଇଥିଲେ। ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରାଇ ଦିଆଯାଇଥିଲା। କଳିଙ୍ଗନଗରରୁ ଫୁଲେଶ୍ୱରୀ ବସ୍ତିକୁ ଲମ୍ବିଥିବା ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା।
ସେହିଭଳି ମେଡିସିନାଲ୍‍ ଗାର୍ଡେନ୍‍ ଭିତର ଦେଇ ଯାଇଥିବା ଲାଇନ୍‍ କଟାଯାଇଥିଲା। ପ୍ରାୟ ସାଢ଼େ ଚାରିଟାବେଳେ ହାତୀଟି ବାହାରକୁ ବାହାରିଥିଲା। ବନ ବିଭାଗ ବାଣ ଫୁଟାଇ ତାକୁ ଘାଟିକିଆ ଗହୀର ମୁହାଁ କରାଇଥିଲେ। ମେଡିସିନାଲ୍‍ ଗାର୍ଡେନ୍‍ରୁ ବାହାରି ସେ ଘାଟିକିଆ ଦହଲ ଦେଇ ବିପୁଲ୍‍ ଗାର୍ଡେନ୍‍ ଆପାର୍ଟମେଣ୍ଟ ଦିଗରେ ଯାଇଥିଲା। ହାତୀ ଦେଖିବା ପାଇଁ କଳିଙ୍ଗନଗର ରାସ୍ତା ସାରା ହଜାର ହଜାର ସଂଖ୍ୟାରେ ଲୋକ ଭିଡ଼ ଜମାଇଥିଲେ। ବନ ବିଭାଗ ଘାଟିକିଆ କଳିଙ୍ଗନଗର ରାସ୍ତାକୁ ବନ୍ଦ କରି ଦେଇଥିଲା। ବିପୁଲ୍‍ ଗାର୍ଡେନ୍‍ ନିକଟରୁ ହାତୀଟି ଟାଟା ଆର୍ୟାନ୍‍ ଆପାର୍ଟମେଣ୍ଟ ନିକଟ ଦେଇ ଶଙ୍କରପୁର-ନୂଆଗାଁ ଦିଗରେ ଚାଲିଥିଲା। ଫୁଲେଶ୍ୱରୀ ବସ୍ତିରୁ ନୂଆଗାଁ ପର୍ଯ୍ୟନ୍ତ ଯିବାକୁ ପ୍ରାୟ ଦେଢ଼ ଘଣ୍ଟା ଲାଗିଯାଇଥିଲା। ଲୋକଙ୍କ ହୋ-ହଲ୍ଲା ପାଇଁ ବାରମ୍ବାର ଦନ୍ତାଟି ଆକ୍ରମଣ ଉଦ୍ଦେଶ୍ୟରେ ପଛକୁ ଫେରି ଗୋଡ଼ାଉଥିଲା। ତେବେ ଶେଷକୁ ବନ ବିଭାଗ ତାକୁ ନୂଆଗାଁ ଗହୀରରୁ ପାଇକରାପୁର ଗହୀରକୁ ପଠାଇବାରେ ସଫଳ ହୋଇଥିଲା। ସେଠାରୁ ତାକୁ ଦେଉଳିଆ ମୁଣ୍ଡିଆ କିମ୍ବା ଦାସପୁର ଦେଇ ଚନ୍ଦକା ଜଙ୍ଗଲକୁ ପଠାଇ ଦିଆଯିବାକୁ ବନ ବିଭାଗ କର୍ମଚାରୀମାନେ ଜଗି ରହିଥିଲେ। ରାଜଧାନୀରେ ଦନ୍ତାକୁ ଜଗିବା ପାଇଁ କଟକ, ଫୁଲନଖରା, ମଞ୍ଚେଶ୍ବର ଓ ଭୁବନେଶ୍ବର ଓ ଚନ୍ଦକା ବନ ବିଭାଗ ଅଧିକାରୀଙ୍କୁ ମିଶାଇ ୧୦୦ଜଣ କର୍ମଚାରୀ ନିଯୁକ୍ତ ହୋଇଥିଲେ। ତିନି ସହକାରୀ ବନ ଅଧୀକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ମହମ୍ମଦ ଜମିଲ ଓ ବିଜୟ ପରିଡ଼ାଙ୍କ ନେତୃତ୍ବରେ ବନ କର୍ମଚାରୀ ଦନ୍ତା ଘଉଡ଼ାଇବା ସହ ହାତୀ ଆକ୍ରମଣରୁ ଲୋକଙ୍କୁ ରକ୍ଷା ଲାଗି ସବୁପ୍ରକାର ଉଦ୍ୟମ କରିଥି‌େ‌ଲ।

Comments are closed.