ରାତି ପାହିଲେ ପିପିଲି ଉପନିର୍ବାଚନ

୩ କଂପାନୀ ଅର୍ଦ୍ଧସାମରିକ ବାହିନୀ, ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୂତୟନ, ୨୦୧ ବୁଥ୍‍ ସମ୍ବେଦନଶୀଳ

ଗଣ୍ଡଗୋଳକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ- ଏସ୍‍ପି, ଜିଲାର ସମସ୍ତ ମଦଦୋକନ ବନ୍ଦ

ପିପିଲି : ରାଜ୍ୟର ସବୁଠାରୁ ଅଧିକ ସ୍ପର୍ଶକାତର ନିର୍ବାଚନମଣ୍ଡଳୀ ଭାବେ ପରିଚିତ ପିପିଲି ବିଧାନସଭା ଆସନର ବହୁ ପ୍ରତୀକ୍ଷିତ ଉପନିର୍ବାଚନକୁ ସଂପୂର୍ଣ୍ଣ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ସରିଛି। ୩୦ ତାରିଖ ଗୁରୁବାର ହେବାକୁ ଥିବା ମତଦାନ ପାଇଁ ସମସ୍ତ ୩୪୮ଟି ଭୋଟଗ୍ରହଣ କେନ୍ଦ୍ରରେ ପୁଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ରାତି ପାହିଲେ ଅପେକ୍ଷା କେବଳ ଭୋଟରଙ୍କ ମତଦାନକୁ । ସମସ୍ତ ମତଦାନ କେନ୍ଦ୍ରରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ମତଦାନ ସମୟରେ ଗଣ୍ଡଗୋଳକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସ୍‍ପି ଡକ୍ଟର କନୱର ବିଶାଲ ସିଂହ ପ୍ରକାଶ କରିଛନ୍ତି । ସମଗ୍ର ନିର୍ବାଚନମଣ୍ଡଳୀର ୧୦ଟି ପ୍ରବେଶ ପଥରେ ପୁଲିସ ପକ୍ଷରୁ କଡା ଯାଞ୍ଚର ବ୍ୟବସ୍ଥା କରାଯାଇଥିବା ବେଳେ ବିନା କାରଣରେ ବାହାର ଅଞ୍ଚଳ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ନିର୍ବାଚନମଣ୍ଡଳୀ ମଧ୍ୟରେ ଭୋଟରଙ୍କ ବ୍ୟତୀତ କୌଣସି ବାହାର ଅଞ୍ଚଳ ଲୋକଙ୍କ ରହିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାଇ ଏହି ନିର୍ବାଚନ ପାଇଁ ୨୮ ତାରିଖ ସଂନ୍ଧ୍ୟା ୬ଟାରୁ ଜିଲାର ସମସ୍ତ ମଦଦୋକନକୁ ବନ୍ଦ ରଖାଯାଇଛି। ଏହି ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ଏସ୍‍ପି, ଅତିରିକ୍ତ ଏସ୍‍ପି, ଡିଏସ୍‍ପି, ଇନିସପେକ୍ଟର ପାହ୍ୟାର ୩୫ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ୧୬୩ଜଣ ଏସ୍‍ଆଇ, ଡେପୁଟି ଏସ୍‍ଆଇ, ଡେପୁଟି ସୁବେଦାର, ଏଏସ୍‍ଆଇ ପ୍ରମୁଖଙ୍କ ସମେତ ୭୩୬ଜଣ ହାବିଲଦାର, କନେଷ୍ଟବଳ ଆଦିଙ୍କୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି। ୩୦ଜଣ ଏସ୍‍ଆଇ ଓ ଏଏସ୍‍ଆଇ ପାହ୍ୟାର ଅଧିକାରୀଙ୍କ ସହ ୩୦ ସେକ୍ସନ ପୁଲିସ ଫୋର୍ସଙ୍କୁ ନିର୍ବାଚନମଣ୍ଡଳୀର ୧୦ଟି ପ୍ରବେଶପଥରେ କରାଯାଇଥିବା ପୁଲିସ ଯାଞ୍ଚ ବ୍ୟବସ୍ଥା (ନାକା) ଠାରେ ନିୟୋଜିତ କରାଯାଇଛି। ୩୨ଟି ପୁଲିସ ମୋବାଇଲ ପାର୍ଟିକୁ ସମଗ୍ର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ନିୟୋଜିତ କରାଯାଇଛି।
                                    କେନ୍ଦ୍ରୀୟ ସାଧାରଣ ପର୍ଯ୍ୟବେକ୍ଷକଙ୍କ ବୁଥ୍‍ ପରିଦର୍ଶନ


ପିପିଲି ଉପନିର୍ବାଚନ ପାଇଁ କେନ୍ଦ୍ରୀୟ ସାଧାରଣ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଏମ୍‍. ଭୀରବ୍ରହ୍ମେୟା ଆଜି ପିପିଲି ଗସ୍ତରେ ଆସି ବିିଭିନ୍ନ ବୁଥ୍‍ ପରିଦର୍ଶନ କରିଥିଲେ। ବୁଥରେ ପାନୀୟଜଳ, ରାମ୍ପ, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥା ଆଦିକୁ ସେ ତନଖି କରିଥିଲେ । ପରେ ସେ ନିର୍ବାଚନ ପରିଚାଳନା ସଂପର୍କରେ ପିପିଲି ବିଡିଓ ରଶ୍ମିତା ନାଥଙ୍କ ସହ ସମୀକ୍ଷା କରିଥିଲେ । ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ (ଏକ୍ସପେଣ୍ଡିଚର ଅବଜରଭର) ଗୋପୀ ରେଡ୍ଡି, ଜିଲାପାଳ ସମର୍ଥ ବର୍ମା ଓ ପୁରୀ ଏସ୍‍ପି ଡକ୍ଟର କନୱର ବିଶାଲ ସିଂହ ପ୍ରମୁଖ ପୃଥକ ଭାବେ ବୁଧବାର ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍‍ ପରିଦର୍ଶନ କରିିବା ସହ ଭୋଟ୍‍ଗ୍ରହଣ ପାଇଁ କରାଯାଇଥିବା ବ୍ୟବସ୍ଥାର ଚୁଡାନ୍ତ ସମୀକ୍ଷା କରିଥିଲେ।
ଆଜି ସମସ୍ତ ମତଦାନ କେନ୍ଦ୍ରକୁ ବିଶୋଧନ କରାଯାଇଥିବା ବେଳେ ଗୁରୁବାର ଆଉଥରେ ବିଶୋଧନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ୧୭୫ଟି ମତଦାନ କେନ୍ଦ୍ରରେ ୱେବ୍‍କାଷ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମତଦାନ ତଦାରଖ ନିମନ୍ତେ ୨୩ ଅଣୁ ପର୍ଯ୍ୟବେକ୍ଷକ (ମାଇକ୍ରୋ ଅବ୍‍ଜର୍ଭର)ଙ୍କୁ ନିଯୁକ୍ତ କରାଯାଇଛି । ଭିନ୍ନକ୍ଷମ ମତଦାତାଙ୍କ ପାଇଁ ୩୪୮ ହୁଇଲ ଚେୟାର ଓ ୧୦୨ଟି ଗାଡିର ବ୍ୟବସ୍ଥା କରାଯାଇଛି । ୨୦୧ଟି ବୁଥ୍‍କୁ ସମ୍ବେଦନଶୀଳ ବୁଥ୍‍ ଭାବେ ଚିହ୍ନଟ କରାଯାଇଛି। ୧୨ଟି ବୁଥ୍‍ରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ମତଦାନ ବାଧାପ୍ରାପ୍ତ ଆଶଙ୍କା ଥିବା ବୁଥ୍‍ରେ ଅର୍ଦ୍ଧ ସାମରିକ ବାହିନୀଙ୍କୁ ନିୟୋଜିତ କରାଯାଇଛି। ସ୍ୱଚ୍ଛ, ଅବାଧ, ନିରପେକ୍ଷ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା ସହ ସମସ୍ତ ଆୟୋଜନ ଚୁଡାନ୍ତ ହୋଇଛି ବୋଲି ଜିଲାପାଳ କହିଥିଲେ। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଭୋଟ ଦେବା ପ୍ରତ୍ୟେକ ନାଗରିକଙ୍କ ମୌଳିକ କର୍ତବ୍ୟ। ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ପାଇଁ ଅଧିକରୁ ଅଧିକ ସଂଖ୍ୟାରେ ଆସି ଭୋଟ ଦେଇ ନିଜ ମତ ସାବ୍ୟସ୍ତ କରିବା ପାଇଁ ଜିଲାପାଳ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି।
ନିର୍ବାଚନ ମଇଦାନରେ ୧୦ ପ୍ରାର୍ଥୀ
ଏହି ଉପନିର୍ବାଚନରେ ମୋଟ୍‍ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରୀତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିପିଆଇ(ଏମ୍‍ଏଲ୍‍)ରୁ ଅଶୋକ କୁମାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, କଳିଙ୍ଗ ସେନାରୁ ପିଙ୍କଲିନ୍‍ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆରୁ ମହମ୍ମଦ ଇମ୍ମାମ୍‍ଉଦ୍ଦିନ ଓ ସ୍ୱାଧିନ ପ୍ରାର୍ଥୀଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି।                                           ୩୪୮ ମତଦାନ କେନ୍ଦ୍ର , ୨ଲକ୍ଷ ୨୯ ହଜାର ୯୯୮ ମତଦାତା


ପିପିଲି ବ୍ଲକର ୨୫ଟି ପଞ୍ଚାୟତ, ଡେଲାଙ୍ଗ ବ୍ଳକର ୨୧ଟି ପଞ୍ଚାୟତ ଓ ପିପିଲି ଏନ୍‍ଏସିର ୧୬ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ ହେଉଛି ସାଧାରଣବର୍ଗର ପ୍ରାର୍ଥିଙ୍କ ପାଇଁ ଉଦ୍ଦିଷ୍ଟ । ଏଠାରେ ମୋଟ୍‍ ୨୭୩ଟି ମତଦାନ କେନ୍ଦ୍ର ରହିଥିବା ବେଳେ କୋଭିଡ୍‍ ପାଇଁ ଅଧିକ ୭୫ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ମୋଟ୍‍ ୩୪୮ଟି ବୁଥ୍‍ ମଧ୍ୟରୁ ପିପିଲି ବ୍ଲକ ଓ ଏନ୍‍ଏସିରେ ୧୯୯ଟି ବୁଥ୍‍ ରହିଥିବା ଡେଲାଙ୍ଗ ବ୍ଲକରେ ୧୪୯ଟି ବୁଥ୍‍ ରହିଛି। ଏହି ଉପନିର୍ବାଚନରେ ୧ଲକ୍ଷ ୧୯ହଜାର ୨୦୬ଜଣ ପୁରୁଷ ଭୋଟର, ୧ଲକ୍ଷ ୧୦ହଜାର ୭୯୦ଜଣ ମହିଳା ଭୋଟର ଓ ୨ଜଣ ଅନ୍ୟାନ୍ୟ ଭୋଟରଙ୍କୁ ମିଶାଇ ସର୍ବମୋଟ୍‍ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ୩୪୮ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିବେ । ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ୩୪୮ ହୁଇଲ ଚେୟାର ଓ ୧୦୨ଟି ଗାଡି ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପାଇଁ ସମୁଦାୟ ୩୪୮ ବ୍ୟାଲଟ୍‍ ୟୁନିଟ, ୩୪୮ଗୋଟି କଂଣ୍ଟ୍ରୋଲ ୟୁନିଟ ଓ ୩୪୮ଗୋଟି ଭିଭିପାଟ୍ ବ୍ୟବସ୍ଥା କରାଯିବା ସହ ଅତିରିକ୍ତ ଭାବେ ଯଥେଷ୍ଟ ସଂଖ୍ୟାରେ ଇଭିଏମ ଗଚ୍ଛିତ ରଖାଯାଇଛି। ମତଦାନ ସମୟରେ ଇଭିଏମ୍‍ରେ କୌଣସି ତୃଟି ଦେଖାଗଲେ ତୁରନ୍ତ ଏହାକୁ ସୁଧାରିବା ପାଇଁ ହାଇଦ୍ରାବାଦରୁ ଆସିଥିବା ୮ଜଣ ଇଞ୍ଜିନିୟରଙ୍କୁ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ରଖାଯାଇଛି। ପିପିଲିରେ ମୋଟ ୧୦ଗୋଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ପିପିଲିର ୯୬ଗୋଟି ବୁଥରେ ୱେବ୍‍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଗୁରୁବାର ସକାଳ ୭ଟା ଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‍ଗ୍ରହଣ କରାଯିବ।
                                    ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା


ପୁରୀ ଏସ୍‍ପି ଡକ୍ଟର କନୱର ବିଶାଲ ସିଂହଙ୍କ ତତ୍ତ୍ୱାବଧାନରେ ୩ଜଣ ଅତିରିକ୍ତ ଏସ୍‍ପି ସମଗ୍ର ନିର୍ବାଚନମଣ୍ଡଳୀକୁ ପରିଚାଳନା କରୁଛନ୍ତି। ନିର୍ବାଚନମଣ୍ଡଳୀକୁ ୩ ଭାଗରେ ବିଭକ୍ତ କରାଯାଇଥିବା ବେଳେ ବଳଙ୍ଗା ଥାନା ଓ ସତ୍ୟବାଦୀ ଥାନା ଅଞ୍ଚଳ ଦାୟିତ୍ୱରେ ଅତିରିକ୍ତ ଏସ୍‍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ରହିଥିବା ବେଳେ ଡେଲାଙ୍ଗ ଥାନା ଅଞ୍ଚଳ ଦାୟିତ୍ୱରେ ଅତିରିକ୍ତ ଏସ୍‍ପି ମିହିର କୁମାର ପଣ୍ଡା ଓ ପିପିଲି ଥାନା ଅଞ୍ଚଳ ଦାୟିତ୍ୱରେ ଅତିରିକ୍ତ ଏସ୍‍ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀକୁ ୪ଟି ଜୋନ୍‍ରେ ବିଭକ୍ତ କରାଯାଇ ପ୍ରତି ଜୋନ୍‍ ଦାୟିତ୍ୱରେ ଜଣେ ଜଣେ ଡିଏସ୍‍ପି ପାହ୍ୟାର ଅଧିକାରୀଙ୍କୁ ରଖାଯାଇଛି। ସେହିପରି ସମଗ୍ର ନିର୍ବାଚନମଣ୍ଡଳୀକୁ ୧୧ଟି ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ ପ୍ରତ୍ୟେକ ସେକ୍ଟରରେ ଜଣେ ଲେଖାଏଁ ଇନିସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱରେ ରଖାଯାଇଛି। ପ୍ରତ୍ୟେକ ପ୍ରାର୍ଥୀଙ୍କୁ ପୁଲିସ ପକ୍ଷରୁ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଯୋଗାଇ ଦିଆଯାଇଥିବା ସଂପର୍କରେ ଏସ୍‍ଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି। ନିର୍ବାଚନମଣ୍ଡଳୀର ୨୦୧ଟି ସ୍ଥାନରେ ଥିବା ୩୪୮ଟି ମତଦାନ କେନ୍ଦ୍ରକୁ ଜଗିବା ପାଇଁ ୧୦ପ୍ଲାଟୁନ୍‍ ଫୋର୍ସଙ୍କୁ ନିୟୋଜିତ କରାଯାଇଥିବା ବେଳେ ୩୨ଟି ପୁଲିସ ମୋବାଇଲ ପାର୍ଟି ସମଗ୍ର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଅଛନ୍ତି। ନିର୍ବାଚନ ପାଇଁ ୩ କଂପାନୀ ଅର୍ଦ୍ଧସାମରିକ ବାହିନୀ (ବିଏସ୍‍ଏଫ୍‍ ଯବାନ) ଓ ମୋଟ୍‍ ୨୫ ପ୍ଲାଟୁନ୍‍ ଓଡିଶା ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଥିବା ସଂପର୍କରେ ପିପିଲି ଏସ୍‍ଡିପିଓ ଶ୍ରୀବରାଳ ସୂଚନା ଦେଇଛନ୍ତି। ପିପିଲି ଥାନା ଅଞ୍ଚଳରେ ଏହି ନିର୍ବାଚନମଣ୍ଡଳୀର ୨୧ଟି ପଞ୍ଚାୟତ ଓ ପିପିଲି ଏନ୍‍ଏସି ରହିଥିବା ବେଳେ ଡେଲାଙ୍ଗ ଥାନା ଅଞ୍ଚଳରେ ୧୯ଟି ପଞ୍ଚାୟତ, ସତ୍ୟବାଦୀ ଥାନା ଅଞ୍ଚଳରେ ୨ଟି ପଞ୍ଚାୟତ ଓ ବଳଙ୍ଗା ଥାନା ଅଞ୍ଚଳରେ ୪ଟି ପଞ୍ଚାୟତ ରହିଛି। ସମଗ୍ର ନିର୍ବାଚନମଣ୍ଡଳୀର ସମସ୍ତ ୧୦ଟି ପ୍ରବେଶପଥ ଠାରେ ପୁଲିସ ପକ୍ଷରୁ କଡା ଯାଞ୍ଚ ବ୍ୟବସ୍ଥା କରାଯାଉଛି।

Comments are closed.